)
ନୂଆଦିଲ୍ଲୀ: ଦେଶରେ କୋରୋନା ଭୂତାଣୁ ଯୋଗୁଁ ସ୍ଥିତି ଦିନକୁ ଦିନ ଅତି ଭୟାବହ ହେବାକୁ ଲାଗିଛି । ପ୍ରତିଦିନ ରେକର୍ଡ ସଂଖ୍ୟକ କୋରୋନା ସଂକ୍ରମିତ ଚିହ୍ନଟ ହେବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି । ଫଳରେ ସାରା ଦେଶରେ କୋରୋନା ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ କେରଳର କାସରଗୋଡରେ ଏହାର ବ୍ୟତିକ୍ରମ ଘଟିଛି । ଏଠାରେ ଏକ ବିବାହ ଉତ୍ସବରେ କୋରୋନା ପ୍ରୋଟୋକଲ ପାଳନ ନକରିବାରୁ ବର-କନ୍ୟା ସମେତ ୪୩ ଅତିଥି କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଏହି ମାମଲାରେ କନ୍ୟାର ପିତାଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁ କରିଛି । କେରଳ ପାଣ୍ଡେମିକ୍ ଆକ୍ଟ ଅନୁଯାୟୀ କନ୍ୟାଙ୍କ ପିତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଏହି ବିବାହ ଜୁଲାଇ ୧୭ରେ ହୋଇଥିଲା ।
ବିବାହ ଉତ୍ସବରେ ୫୦ରୁ ଅଧିକ ଲୋକ ଯୋଗ ଦେଇଥିଲେ ବୋଲି ପୋଲିସ କହିଛି । ଜଣେ ଅଧିକାରୀ କହିଛନ୍ତି ଯେ, ବର-କନ୍ୟା ବ୍ୟତୀତ ଅନ୍ୟ ୪୧ ଜଣ ବ୍ୟକ୍ତି ଏହି ବିବାହରେ ଯିଏ ଅଂଶ ଗ୍ରହଣ କରିଥିଲେ, ସେମାନଙ୍କ କୋରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏଠାରେ କହି ରଖୁଛୁ ଯେ କାସାରଗୋଡରେ ବର୍ତ୍ତମାନ ୬୫୮ କୋରୋନା ମାମଲା ରହିଛି ।