କେମିତି ମଲା ବିକାଶ ଦୁବେ ? ଜାଣନ୍ତୁ, ପୁରା କାହାଣୀ

ଯାହା ଜଣାପଡ଼ିଛି, ଆଜି ସକାଳ ୭ଟା ୧୫ରୁ ୭ଟା ୩୫ ମଧ୍ୟରେ ଏହି ଏନକାଉଣ୍ଟର ହୋଇଛି ।

କେମିତି ମଲା ବିକାଶ ଦୁବେ ? ଜାଣନ୍ତୁ, ପୁରା କାହାଣୀ

କାନପୁର: ଗ୍ୟାଙ୍ଗଷ୍ଟାର ବିକାଶ ଦୁବେକୁ ଏନକାଉଣ୍ଟର । ୟୁପି ଏସଟିଏଫ ବିକାଶକୁ ଏନକାଉଣ୍ଟର କରିଛି । ଗତକାଲି ମଧ୍ୟପ୍ରଦେଶ ଉଜ୍ଜୈନରୁ ଧରା ପଡ଼ିଥିଲା କାନପୁର ଏନକାଉଣ୍ଟରର ମାଷ୍ଟରମାଇଣ୍ଡ ବିକାଶ ଦୁବେ । ପରେ ତାକୁ କାନପୁର ନିଆଯାଉଥିଲା । ତେବେ ନିଜ ଅଞ୍ଚଳରେ ପହଞ୍ଚିଯାଇଥିବା ଜାଣି ବିକାଶର ବଳ ବଢ଼ିଯାଇଥିଲା । ପୋଲିସ ପାଖରୁ ବନ୍ଧୁକ ଛଡ଼ାଇ ଖସି ଯିବାକୁ ଉଦ୍ୟମ କରିଥିଲା ଏହି କୁଖ୍ୟାତ ଅପରାଧି । ଭାରସାମ୍ୟ ହରାଇ ଗାଡ଼ିଟି ଓଲଟି ପଡ଼ିବାରୁ ବିକାଶକୁ ସୁବିଧା ହୋଇଥିଲା । ଆହତ ସୁରକ୍ଷାକର୍ମୀଙ୍କ ବନ୍ଧୁକ ଛଡ଼ାଇ ଗୁଳିଚାଳନା କରିଥିଲା ବିକାଶ ଦୁବେ । ଆଉ ପୋଲିସ ନିଜକୁ ବଞ୍ଚାଇବାକୁ ଯାଇ ବିକାଶ ଦୁବେ ଉପରେ ପାଲଟା ଗୁଳି ଚାଳନା କରିବାକୁ ବାଧ୍ୟ ହୋଇଥିବା କୁହାଯାଉଛି । 

ଯାହା ଜଣାପଡ଼ିଛି, ଆଜି ସକାଳ ୭ଟା ୧୫ରୁ ୭ଟା ୩୫ ମଧ୍ୟରେ ଏହି ଏନକାଉଣ୍ଟର ହୋଇଛି । କୁହାଯାଉଛି, ଗାଡ଼ି ଓଲଟି ପଡ଼ିବା ପରେ ବିକାଶ ଦୁବେ ଆହତ ପୋଲିସ କର୍ମଚାରୀଙ୍କ ପାଖରୁ ବନ୍ଧୁକ ଛଡ଼ାଇ ଖସି ଯାଉଥିଲା । ତେବେ ସୁରକ୍ଷାକର୍ମୀ ବିକାଶର ପିଛା କରିଥିଲେ । ପିଛା କରୁଥିବା ପୋଲିସ ଉପରେ ମଧ୍ୟ ବିକାଶ ଦୁବେ ଗୁଳି ଚଳାଇଥିଲା । ତେଣୁ ପୋଲିସ ପାଲଟା ଗୁଳି ଚଲାଇଥିଲା । 

ପୋଲିସ ଗୁଳିରେ ଗୁରୁତର ଆହତ ହୋଇଥିବା ବିକାଶ ଦୁବେକୁ ତୁରନ୍ତ ମେଡିକାଲ ନିଆଯାଇଥିଲା । ତେବେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିବା କୁହାଯାଉଛି । ସକାଳ ୭ଟା ୫୫ ମିନିଟ ବେଳକୁ ବିକାଶ ଦୁବେକୁ ମୃତ ଘୋଷଣା କରିଥିଲେ ଡାକ୍ତର ।