ବିପଦରେ କେପି ଶର୍ମା ଓଲି, ଚାଲିଯାଇପାରେ ନେପାଳ ପ୍ରଧାନମନ୍ତ୍ରୀଙ୍କ ଗାଦି!

ନେପାଳ ରାଜନୀତିରେ ଏବେ ବଡ ଧରଣର ହଟଚମଟ ସୃଷ୍ଟି ହୋଇଛି |

ବିପଦରେ କେପି ଶର୍ମା ଓଲି, ଚାଲିଯାଇପାରେ ନେପାଳ ପ୍ରଧାନମନ୍ତ୍ରୀଙ୍କ ଗାଦି!

କାଠମାଣ୍ଡୁ: ଚୀନ ପ୍ରରୋଚନାରେ ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ସଂଘର୍ଷ ପୂର୍ଣ୍ଣ କରି ବିବାଦରେ ଥିବା ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବେ ବିପଦ ମଧ୍ୟକୁ ଚାଲିଯାଇଛନ୍ତି | ସଦ୍ୟ ନେପାଳ ରାଜନୀତିରେ ହଟଚମଟ ଆରମ୍ଭ ହେବା ପରେ ଏବେ ନିଜ ଗାଦିକୁ ସୁରକ୍ଷା ଦେବା ନେପାଳ ପ୍ରଧାନମନ୍ତ୍ରୀଙ୍କ ପାଇଁ ଏକ ବିରାଟ ଆହ୍ୱାନ ସୃଷ୍ଟି କରିଛି | ଦେଶରେ ରାଜନୈତିକ ଆନ୍ଦୋଳନ ତୀବ୍ର ହେବା ପରେ ନେପାଳ ରାଷ୍ଟ୍ରପତିଙ୍କୁ ଭେଟିବା ଆଗ୍ରହୀ ହୋଇ ଉଠିଛନ୍ତି ପ୍ରଧାନମନ୍ତ୍ରୀ | 

ସାମ୍ପ୍ରତିକ ସମୟରେ ନେପାଳରେ ରାଜନୀତିରେ ଭୂକମ୍ପ ଆସିବା ଚୀନ ପାଇଁ ସତର୍କ ଘଣ୍ଟି ସଦୃଶ୍ୟ | ଏଭଳି ସ୍ଥିତିରେ ଜୁଲାଇ ୨ ତାରିଖରେ ଦେଶବାସୀଙ୍କୁ ସମ୍ବୋଧିତ କରିବା ପାଇଁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ଓଲି | ଗୁରୁବାର ଦିନ ୧୨ଟା ବେଳେ ତାଙ୍କର ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କାର୍ଯ୍ୟକ୍ରମ ରହିଥିଲା | ହେଲେ ଏବେ ନେପାଳରେ ଅଭିଯୋଗ ହୋଇଛି ପ୍ରଧାନମନ୍ତ୍ରୀ ତାଙ୍କ ଗାଦିକୁ ବଞ୍ଚାଇବା ପାଇଁ ଚୀନର ସହଯୋଗ ନେଉଛନ୍ତି | ଏହା ଭାରତ ବିରୋଧରେ ଦୃଋ ଆଭିମୁଖ୍ୟ ଗ୍ରହଣ କରିଛନ୍ତି |

ସେଠାକାର ସ୍ଥିତି ଏପରି ହୋଇପଡିଛି ନେପାଳରେ କ୍ଷମତାସୀନ ଥିବା ଶାସକ କମ୍ୟୁନିଷ୍ଟ ପାର୍ଟିର ଦଳୀୟ ନେତା ଏବେ ପ୍ରଧାନମନ୍ତ୍ରୀ ଓଲିଙ୍କ ଇସ୍ତଫା ଦାବି କରିଛନ୍ତି | ଦଳର ସ୍ଥାୟୀ ସମିତି ବୈଠକରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ, ମାଧବ ନେପାଳ, ଜଲନାଥ ଖନାଲ ଏବଂ ବାମଦେବ ଗୌତମଙ୍କ ସମେତ ଦଳର ବରିଷ୍ଠ ପଦ ଛାଡିବା ପାଇଁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଓଲିଙ୍କୁ  ଜଣାଇ ଦେଇଛନ୍ତି | 

ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଦେଶର ସଂସଦରେ ବଜେଟ୍ ଅଧିବେଶନ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି | ଅର୍ଥାତ ସେ ବର୍ତ୍ତମାନ ନିଜ ପଦରୁ ଇସ୍ତଫା ଦେବେ ନାହିଁ | ସଂସଦ ଅଧିବେଶନକୁ ସ୍ଥଗିତ କରି ଦଳୀୟ ବିଭାଜନର ଏକ ନୂତନ ନିୟମ ଆଣିବେ | ଏହା ଦ୍ୱାରା ଦଳରେ ବିଭାଜନ ହେବାର ସମ୍ଭାବନା ବୃଦ୍ଧି ପାଇଛି |

ନେପାଳର ରାଜନୈତିକ ସଙ୍କଟ ପଛରେ ରହିଛି ଚୀନର ଷଡଯନ୍ତ୍ର

ନେପାଳର ଓଲି ସରକାରଙ୍କୁ ନେଇ ଆସିଥିବା ସଙ୍କଟ ମଧ୍ୟରେ ଚୀନ୍‌ର ଗୁପ୍ତଚର ଏଜେନ୍ସି ମିଲିଟାରୀ ଅଫ୍ ଷ୍ଟେଟ୍ ସିକ୍ୟୁରିଟି (ଏମ୍ଏସ୍ଏସ୍) ସେଠାରେ ଉପସ୍ଥିତିକୁ ବଢାଇବାରେ ଲାଗିପଡିଛି | କୋରୋନା ସହାୟତା ଆଳରେ ବହୁ ସଂଖ୍ୟକ ଚୀନ୍ ଗୁପ୍ତଚର ମେଡିକାଲ କର୍ମଚାରୀ ଭାବେ ନେପାଳ ଆସିବା ଆରମ୍ଭ କରିଛନ୍ତି | ନେପାଳରେ ଚାଲିଥିବା ଭାରତ ବିରୋଧି ଷଡଯନ୍ତ୍ରରେ ଚୀନ ଗୁପ୍ତଚର ଏଜେନ୍ସି ନିୟୋଜିତ ହୋଇଛି | ସୁରକ୍ଷା ଏଜେନ୍ସି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଅଲି ଏବଂ ନେପାଳର ଗୁରୁତ୍ୱପୂର୍ଣ୍ଣ ନେତାଙ୍କ ସହ ଯୋଗାଯୋଗରେ ପାକିସ୍ତାନ ନିୟୋଜିତ ରହିଛି |

ସୀମା ବିବାଦର ସୁଯୋଗ ନେବାକୁ ଉଦ୍ୟମ କରୁଛି ପାକିସ୍ତାନ

ଭାରତ ଏବଂ ନେପାଳ ମଧ୍ୟରେ ସୀମା ବିବାଦର ସୁଯୋଗ ନେବାକୁ ପାକିସ୍ତାନ ମଧ୍ୟ ଚେଷ୍ଟା କରୁଛି | ଏହି ସହିତ ଜୁଲାଇ ୨ ତାରିଖ ଗୁରୁବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ନେପାଳ ପ୍ରତିପକ୍ଷ ଓଲିଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛନ୍ତି | ନେପାଳ ରାଜନୀତିରେ ହଟଚମଟ ସୃଷ୍ଟି ହେବା ପରେ ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଆଇଏସଆଇ କାଠମାଣ୍ଡୁରେ ଥିବା ପାକିସ୍ତାନ ଦୂତାବାସରେ ଏହାର ଏଜେଣ୍ଟଙ୍କ ସଂଖ୍ୟା ବୃଦ୍ଧି କରିଛି |