ଏଲଏସିରେ ମୃତାହତ ସୈନ୍ୟଙ୍କୁ ଏୟାରଲିଫ୍ଟ କରିବା ବେଳେ ଦୃଶ୍ୟମାନ ହୋଇଛି ଚୀନ ହେଲିକାପ୍ଟର |
Trending Photos
)
ନୂଆଦିଲ୍ଲୀ: ପୂର୍ବ ଲଦାଖର ଗଲୱାନ ଉପତ୍ୟାକାରେ ଭାରତ-ଚୀନ ମଧ୍ୟରେ ହୋଇଥିବା ସାମରିକ ବିବାଦରେ ପ୍ରାଣବଳି ଦେଇଛନ୍ତି ଉଭୟ ଦେଶର ସୈନିକ | ଏହି ସଂଘର୍ଷରେ ଚୀନର ୪୩ ସୈନ୍ୟ ମୃତାହତ ହୋଇଛନ୍ତି | ଏ ଘଟଣା ପରେ ଉଭୟ ଦେଶ ମଧ୍ୟରେ ଥିବା ପ୍ରକୃତ ନିୟନ୍ତ୍ରଣ ସୀମାରେଖା-ଏଲଏସି(Line of Actual Control-LAC) ଠାରେ ଚୀନ ହେଲିକପ୍ଟର ଉଡୁଥିବାର ଦେଖିବାକୁ ମିଳିଛି |
ପରେ ଏଲଏଏସି ଅଞ୍ଚଳରେ ଏହାର ସଂଖ୍ୟା ବଢିଥିବାର ଜଣାପଡିଥିଲା | ଏନେଇ କୁହାଯାଉଛି ଗଲୱାନ ଉପତ୍ୟାକାରେ ହୋଇଥିବା ସଂଘର୍ଷରେ ମୃତାହତ ହୋଇଥିବା ସୈନିକଙ୍କୁ ଏୟାରଲିଫ୍ଟ କରିବା ପାଇଁ ହେଲିକପ୍ଟର ପଠାଇଥିଲା ଚୀନ |
ଜୁନ ୧୫-୧୬ ମଧ୍ୟରାତ୍ରୀରେ ପୂର୍ବ ଲଦାଖର ଗାଲଭାନ ଉପତ୍ୟକାରେ ମୁହାଁମୁହିଁ ହୋଇଥିଲେ ଭାରତ-ଚୀନ ସେନା | ଏହି ସାମରିକ ସଂଘର୍ଷରେ ଡ୍ରାଗନ ସେନାର ୪୩ ଯବାନ ମୃତାହତ ହୋଇଥିଲେ | ସେମାନଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି | ଏ ଘଟଣା ପରଠୁ ଉଭୟ ଦେଶ ମଧ୍ୟରେ ସମ୍ପର୍କ ତିକ୍ତତାପୂର୍ଣ୍ଣ ହୋଇଉଠିଛି |
ମଙ୍ଗଳବାର ଭାରତ ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଛି, ଲଦାଖରେ ହୋଇଥିବା ସାମରିକ ସଂଘର୍ଷରେ ୨୦ ଭାରତୀୟ ଯବାନ ଶହୀଦ ହୋଇଛନ୍ତି | ଏହି ଘଟଣା ପ୍ରାରମ୍ଭରେ ଜଣେ ସେନା ଅଧିକାରୀ ଏବଂ ଦୁଇ ସୈନିକ ପ୍ରାଣ ହରାଇଥିବାର ଖବର ମିଳିଥିଲା | ଏହା ପରେ ସେନା ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଅତ୍ୟଧିକ ଉଚ୍ଚତା ଏବଂ ନିମ୍ନ ତାପମାତ୍ରାପୂର୍ଣ୍ଣ ଅଞ୍ଚଳରେ ଡ୍ୟୁଟି କରୁଥିବା ସମୟରେ ଅନ୍ୟ ୧୭ ସୈନିକ ଗୁରୁତର ଆହତ ହେବା କାରଣରୁ ସେମାନଙ୍କ ମୃତ୍ୟୁ ହୋଇଥିଲା | ପରେ ଶହୀଦ ହୋଇଥିବା ଯବାନଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି |
ଏହା ସହିତ ସେନା ପକ୍ଷରୁ ଜାରି ବିବୃତ୍ତିରେ ଆହୁରି କୁହାଯାଇଛି, ଗଲୱାନ ଉପତ୍ୟାକାର ଯେଉଁସ୍ଥାନରେ ଏ ଘଟଣା ଘଟିଥିଲା, ଉଭୟ ଦେଶର ସୈନିକ ହଟିଯାଇଛନ୍ତି | ଜୁନ ୧୫-୧୬ ମଧ୍ୟ ରାତ୍ରୀରେ ଭାରତ-ଚୀନ ସୈନ୍ୟବାହିନୀ ମଧ୍ୟରେ ସାମରିକ ସଂଘର୍ଷ ଉପୁଜିଥିଲା | ଦେଶର ଅଖଣ୍ଡତା ଏବଂ ସାର୍ବଭୌମତ୍ୱ ରକ୍ଷା କରିବାକୁ ଭାରତୀୟ ସେନା ସବୁବେଳେ ସତର୍କ ରହିଛି |
୧୯୭୫ ମସିହା ପରେ ଏହା ପ୍ରଥମ ବଡ ଘଟଣା
ଜଣେ ବରିଷ୍ଠ ସେନା ଅଧିକାରୀଙ୍କ ଅନୁଯାୟୀ, ୧୯୭୫ ମସିହାରେ ଅରୁଣାଚଳ ପ୍ରଦେଶର ତୁଲୁଙ୍ଗ ଲା ଠାରେ ହୋଇଥିବା ସଂଘର୍ଷରେ ୪ ଜଣ ଭାରତୀୟ ସୈନିକ ଶହୀଦ ହୋଇଥିଲେ | ଏହା ପରେ ଅନେକ ଥର ଭାରତ-ଚୀନ ମଧ୍ୟରେ ମୁହାଁମୁହିଁ ହୋଇଛି, ହେଲେ କେତେବେଳେ ଚଳିତ ବର୍ଷ ଜୁନ ୧୫-୧୬ ମଧ୍ୟରାତ୍ରୀରେ ହୋଇଥିବା ଭୟାନକ ସାମରିକ ସଂଘର୍ଷର ପୁନରାବୃତ୍ତି ସେବେ ଠାରୁ ଦେଖିବାକୁ ମିଳିନଥିଲା |