)
ନୂଆଦିଲ୍ଲୀ: ଜୁନ ୧୫-୧୬ ମଧ୍ୟରାତ୍ରୀରେ ପୂର୍ବ ଲଦାଖର ଗଲୱାନ ଉପତ୍ୟାକାରେ ମୁହାଁମୁହିଁ ହୋଇଥିଲେ ଭାରତ-ଚୀନ ସୈନ୍ୟବାହିନୀ | ଏହି ଘଟଣା ପରଠୁ ଉଭୟ ଦେଶ ମଧ୍ୟରେ ସମ୍ପର୍କ ତିକ୍ତତାପୂର୍ଣ୍ଣ ହୋଇଉଠିଛି | ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ ୧୯ ତାରିଖ ସନ୍ଧ୍ୟା ୫ଟା ବେଳେ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି |
ଏହି ବୈଠକରେ ଭାରତ-ଚୀନ ସୀମା ବିବାଦ ଉପରେ ଆଲୋଚନା ହେବ | ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ଜୁନ ୨୧ ତାରିଖ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଦେଶକୁ ସମ୍ବୋଧିତ କରିବେ | ଭାରତ-ଚୀନ ସାମରିକ ସଂଘର୍ଷ ଘଟଣାରେ ପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବୟାନ ଆସିସାରିଛି |
ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ କହିଛନ୍ତି, "ଏହି ସଂଘର୍ଷରେ ପ୍ରାଣ ହରାଇଥିବା ଯବାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ | ଦେଶର ପ୍ରତ୍ୟେକ ଇଞ୍ଚ ଜମିର ସୁରକ୍ଷା ପାଇଁ ଭାରତ ପ୍ରତିଶୃତିବଦ୍ଧ | ଯଦି ଶତ୍ରୁ ଦେଶର ଆମର ସୈନ୍ୟବାହିନୀକୁ ଉତ୍ତେଜିତ କରେ, ଏହାର ମୁହଁତୋଡ ଜବାବ ଦେବାକୁ ଭାରତୀୟ ସେନା ସକ୍ଷମ | "
ଏ ମାମଲାରେ ପ୍ରତିକ୍ରିୟା ରଖି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, "ଦେଶ ନିଜ ସୈନିକଙ୍କ ବଳିଦାନକୁ ଭୁଲି ପାରିବ ନାହିଁ | ଶହୀଦ ଯବାନଙ୍କ ପରିବାର ସହ ମୁଁ ଛିଡା ହୋଇଛି | ଏପରି କଠିନ ସମୟରେ ଦେଶ କାନ୍ଧରେ କାନ୍ଧ ମିଳାଇ ସେମାନଙ୍କ ପଛରେ ଛିଡା ହୋଇରହିଛି | ଭାରତୀୟ ବୀରଙ୍କ ଶୌର୍ଯ୍ୟ ଏବଂ ସାହସକୁ ନେଇ ଆମେ ଗର୍ବିତ | "
'ଗଲୱାନ ଉପତ୍ୟାକାରେ ଭାରତ-ଚୀନ ମଧ୍ୟରେ ମୁହାଁମୁହିଁ ହେବା ପରେ ଉଭୟ ଦେଶର ସମ୍ପର୍କ ତିକ୍ତତାପୂର୍ଣ୍ଣ ରହିଛି | ଜୁନ ୧୫-୧୬ ମଧ୍ୟରାତ୍ରୀରେ ହୋଇଥିବା ଏହି ସାମରିକ ସଂଘର୍ଷରେ କେତେକ ସୈନିକ ନଦୀ କିମ୍ବା ଖାଲରେ ଖସିପଡିବା ଫଳରେ ପ୍ରାଣ ହରାଇଥିଲେ | ଏ ଘଟଣାରେ ୨୦ ଭାରତୀୟ ଯବାନ ଶହୀଦ ହୋଇଥିବା ବେଳେ, ଚୀନର ୪୩ ସୈନ୍ୟ ମୃତାହତ ହୋଇଛନ୍ତି |