Trending Photos
)
ନୂଆଦିଲ୍ଲୀ: ଆଉ କିଛି ଦିନପରେ ବିହାର ବିଧାନସଭା ନିର୍ବାଚନ। ଭୋଟ ପଡିବା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଆଶ୍ୱସ୍ତି ମିଳିଛି। ଚାଇବସା ଟ୍ରେଜେରୀ ମାମଲାରେ ତାଙ୍କୁ ଝାଡଖଣ୍ଡ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। କିନ୍ତୁ ଏହି ବେଲ୍ ତାଙ୍କ ଦଳ ପାଇଁ କୌଣସି ଲାଭ ହେବ ନାହିଁ। କାରଣ ସେ ଏବେ ବି ଜେଲରେ ଅଛନ୍ତି।
ଲାଲୁ ପ୍ରସାଦ ୧୯୯୨-୯୩ରେ ବିହାରର ମୁଖ୍ୟମନ୍ତ୍ରୀ ଥିବା ବେଳେ ଚାଇବସା ଟ୍ରେଜରୀ ଦୁର୍ନୀକି ମାମଲା ସାମନାକୁ ଆସିଥିଲା। ଏଥିରେ ସାଢେ ୩୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ହେରଫେର ହୋଇଥିବା ତଦନ୍ତରୁ ଜଣାପଡିଥିଲା। ମାମଲାରେ ଲାଲୁଙ୍କ ସମ୍ପୃକ୍ତିର ପ୍ରମାଣ ମିଳିଲା ପରେ ସିବିଆଇ ତାଙ୍କୁ ଗିରଫ କରିଥିଲା।
ସେହି ଚାଇବସା ମାମଲାରେ ଲାଲୁଙ୍କୁ ଝାଡଖଣ୍ଡ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। କିନ୍ତୁ ସେ ଏବେ ଜେଲରୁ ମୁକୁଳି ପାରିବେ ନାହିଁ। କାରଣ ସେ ଡୁମକା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୧୪ ବର୍ଷ ଜେଲ ଦଣ୍ତ କାଟୁଛନ୍ତି। ଯଦି ଏହି ମାମଲାରେ ବି ତାଙ୍କୁ ଜାମିନ ମିଳିଥାନ୍ତା ତେବେ ସେ ଜେଲରୁ ହୁଏତ ବାହାରକୁ ବାହାରିଥାନ୍ତେ।
ଲାଲୁଙ୍କୁ ବେଲ୍ ମିଳିବା ପରେ ବି ନିରାଶ ଅଛି ଆରଜେଡି କ୍ୟାମ୍ପ। କାରଣ ଏଥର ବିଧାନସଭା ନିର୍ବାଚନରେ ଲାଲୁ ଦଳ ପାଇଁ ପ୍ରଚାର କରିପାରିବେ ନାହିଁ। ବିଭିନ୍ନ ଦୁର୍ନୀତି ମାମଲାରେ ଛନ୍ଦି ହୋଇ ୨୦୧୮ରୁ ସେ ଜେଲରେ ଅଛନ୍ତି। କିନ୍ତୁ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଅଧିକ ସମୟ ରିମ୍ସରେ ରହୁଛନ୍ତି।
ନିର୍ବାଚନ ପୂର୍ବରୁ ଲାଲୁ ଜେଲରୁ ମୁକୁଳିବା ବା ଜାମିନ ପାଇବା ସମ୍ଭବପର ନୁହେଁ। ଯଦି ଏମିତି ହୁଏ ତେବେ, ୪୦ ବର୍ଷରେ ପ୍ରଥମ ଥର ବିହାର ନିର୍ବାଚନ ବେଳେ ଲାଲୁ ପ୍ରସାଦ ଯାଦବ ଅନୁପସ୍ଥିତ ରହିବେ। ନିଜ ଦଳ ପାଇଁ ପ୍ରଚାର ବି କରିପାରିବେ ନାହିଁ। ବିହାର ନିର୍ବାଚନର ଜଣେ ଷ୍ଟାର ହେଲେ ଲାଲୁ। ୭୦ ଦଶକରୁ ସେଠାରେ ତାଙ୍କର ଦବଦବା ରହିଛି।