)
ୱାଶିଂଟନ୍: କୋରୋନା ସଙ୍କଟର ପ୍ରଭାବ ସମଗ୍ର ବିଶ୍ୱରେ ଦେଖିବାକୁ ମିଳୁଛି । ଏହାର ସର୍ବାଧିକ ପ୍ରଭାବ ଆମେରିକା ପରି ବିକଶିତ ରାଷ୍ଟ୍ର ଉପରେ ପଡ଼ିଛି । ଗତ ସପ୍ତାହରେ ଆମେରିକୀୟ ଶ୍ରମିକଙ୍କ ଦ୍ୱାରା ବେକାରୀ ଭତ୍ତା ଦାବିରେ ହ୍ରାସ ଘଟିଛି । କିନ୍ତୁ ତଥାପି ବେକାରୀ ଭତ୍ତା ଦାବିରେ ୩.୨ ମିଲିୟନ ବୃଦ୍ଧି ପାଇଛି । ସରକାରୀ ତଥ୍ୟରୁ ଏହି ସୂଚନା ମିଳିଛି । ମାର୍ଚ୍ଚ ମଧ୍ୟଭାଗରୁ ବେକାରୀ ଭତ୍ତା ଦାବି ଉପରେ ଆମେରିକାର ଶ୍ରମ ମନ୍ତ୍ରଣାଳୟ ତଥ୍ୟ ପ୍ରକାଶ କରିଛି । ଯାହାର ମୋଟ ସଂଖ୍ୟା ହେଉଛି ୩୩.୫ ମିଲିୟନ । କୋରୋନା ଭାଇରସ ମହାମାରୀ ଯୋଗୁଁ ବ୍ୟବସାୟ ବନ୍ଦ ପଡ଼ିଛି । ଯେଉଁ କାରଣରୁ ବହୁ ସଂଖ୍ୟାରେ ବେକାରୀ ଭତ୍ତା ପାଇଁ ଦାବି କରାଯାଉଛି ।
ଗତ ସପ୍ତାହରେ ଅଧିକ ସଂଖ୍ୟକ ବେକାରୀ ଭତ୍ତା ପାଇଁ ଦାବି କରାଯାଇଥିଲା । ବିଶେଷଜ୍ଞମାନେ ମନେ କରନ୍ତି ଯେ, ଏହି ମହାମାରୀରୁ ଆହୁରି ଅଧିକ କ୍ଷତି ହେବାର ସମ୍ଭାବନା ରହିଛି । ଆମେରିକାରେ ଏହି ମହାମାରୀ ଯୋଗୁଁ ୭୩ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଦେଶରେ ସମୁଦାୟ କୋରୋନା ପଜିଟିଭ ମାମଲା ୧୨ ଲକ୍ଷରୁ ଅଧିକ ପହଞ୍ଚିଛି ।
ତେବେ ମେ ୨ରେ ଶେଷ ହେବାକୁ ଥିବା ସପ୍ତାହ ପାଇଁ ଆଜି ପ୍ରକାଶିତ ସଂଖ୍ୟା ପୂର୍ବ ସପ୍ତାହ ତୁଳନାରେ କମ୍ ରହିଛି । ଗତ ସପ୍ତାହରେ ୩.୮ ମିଲିୟନ ଶ୍ରମିକ ବେକାରୀ ଭତ୍ତା ପାଇଁ ଦାବି କରିଥିଲେ । ଏହା ଦର୍ଶାଏ ଯେ ପୂର୍ବ ଅପେକ୍ଷା ବର୍ତ୍ତମାନ ଛଟେଇ କମ୍ କରାଯାଉଛି । ତଥାପି ବେରୋଜଗାରଙ୍କ ଦ୍ୱାରା ଭତ୍ତାର ଦାବି ବହୁତ ଅଧିକ ରହିଛି ।