)
ନୂଆଦିଲ୍ଲୀ: ମଦ ଉପରେ ଲାଗୁଥିବା କୋରୋନା ଟ୍ୟାକ୍ସ ହଟାଇବାକୁ ଦିଲ୍ଲୀର କେଜ୍ରିୱାଲ ସରକାର ନିଷ୍ପତ୍ତି ନେଇଛନ୍ତି । ମଦ ଉପରେ ବିଶେଷ କୋରୋନା ଟ୍ୟାକ୍ସର ୭୦ ପ୍ରତିଶତ ହଟାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ଜୁନ୍ ୧୦ ଠାରୁ କାର୍ଯ୍ୟକାରୀ ହେବ । ଆହୁରି ମଧ୍ୟ ୭୦ ପ୍ରତିଶତ ସେସ୍ ପ୍ରତ୍ୟାହାର କରାଯିବ । ଏହାସହ ୫ ପ୍ରତିଶତ ଭ୍ୟାଟ୍ ବୃଦ୍ଧି କରାଯିବ । ଭ୍ୟାଟ୍ ବର୍ତ୍ତମାନ ୨୦ ପ୍ରତିଶତ ରହିଛି । ଯାହା ବୃଦ୍ଧି ପାଇଁ ୨୫ ପ୍ରତିଶତକୁ ପହଞ୍ଚିବ ।
ବାସ୍ତବରେ ରାଜସ୍ୱ ହ୍ରାସ ହେତୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀ ସରକାର ଆଶା କରିଥିଲେ ଯେ, ମଦ ଉପରେ କୋରୋନା ଟ୍ୟାକ୍ସ ଲାଗୁ କଲେ ଏହା ଅତିରିକ୍ତ ରାଜସ୍ୱ ପାଇବ । କିନ୍ତୁ ମେ ମାସରେ ଏହାର ରାଜସ୍ୱ ପୂର୍ବ ଅପେକ୍ଷା ଅଧିକ ବୃଦ୍ଧି ହୋଇପାରି ନାହିଁ । ମଦ ବିକ୍ରୟରୁ ଏହା ଅଧିକ ରାଜସ୍ୱ ପାଇବ ବୋଲି ଦିଲ୍ଲୀ ସରକାର ଆଶା କରୁଥିଲେ । କିନ୍ତୁ ମେ ୪ରୁ ମେ ୩୦ ପର୍ଯ୍ୟନ୍ତ ନୂତନ କୋରୋନା ଫି ବ୍ୟତୀତ କେବଳ ୨୩୫ କୋଟି ଟଙ୍କା ସଂଗ୍ରହ କରିବାରେ ସକ୍ଷମ ହୋଇଛି । ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଆରମ୍ଭ ହେବା ସହିତ ମେ ୪ ତାରିଖରୁ ସହରରେ ମଦ ବିକ୍ରିକୁ ଅନୁମତି ଦିଆଯାଇଥିଲା । ପ୍ରଥମ ଲକଡାଉନ୍ ଆରମ୍ଭ ହେବା ସହିତ ମାର୍ଚ୍ଚ ୨୫ରୁ ମଦ ବିକ୍ରି ବନ୍ଦ ହୋଇଯାଇଥିଲା ।
ଅବକାରୀ ବିଭାଗର ତଥ୍ୟ ଅନୁଯାୟୀ, ଦିଲ୍ଲୀରେ ପ୍ରଥମ ଦିନରେ ପାଞ୍ଚ କୋଟି ଟଙ୍କା ମୂଲ୍ୟର ମଦ ବିକ୍ରି ହୋଇଥିଲା ଯେତେବେଳେ ସ୍ୱତନ୍ତ୍ର ସେସ୍ ଲାଗୁ ହୋଇନଥିଲା । କିନ୍ତୁ ମଦ ବିକ୍ରିକୁ ଅନୁମତି ଦେବାର ଗୋଟିଏ ଦିନ ପରେ ଦିଲ୍ଲୀ ସରକାର ମଦ ବିକ୍ରି ଉପରେ ବିଶେଷ କୋରୋନା ଶୁଳ୍କ ଲାଗୁ କରିଥିଲେ । ଯାହାକି MRPର ୭୦ ପ୍ରତିଶତ ଥିଲା । ସରକାର ମେ ୩୦ ପର୍ଯ୍ୟନ୍ତ ୨୩୪.୫୪ କୋଟି ଟଙ୍କା ମୂଲ୍ୟର ମଦ ବିକ୍ରି କରିଥିଲେ । ସ୍ୱତନ୍ତ୍ର କୋରୋନା ଫି ଭାବରେ ଅତିରିକ୍ତ ୧୬୦ କୋଟି ଟଙ୍କା ପାଇଥିଲେ । ଏହି ସମୟ ମଧ୍ୟରେ ମେ ୭ ଓ ମେ ୨୫ ଦୁଇଟି ଶୁଖିଲା ଦିନ ଥିଲା ।