ପଙ୍ଗପାଳ ମୁକାବିଲା: ଢୋଲ ଏବଂ ଡିଜେ ବଜାଇବା ସହ ବାଣ ଫୁଟାଇବାକୁ ନିର୍ଦ୍ଦେଶ

ପଙ୍ଗପାଳ ମୁକାବିଲା ପାଇଁ ପ୍ରସ୍ତୁତ ହୋଇ ଉଠିଛନ୍ତି ଦିଲ୍ଲୀ ସରକାର |

ପଙ୍ଗପାଳ ମୁକାବିଲା: ଢୋଲ ଏବଂ ଡିଜେ ବଜାଇବା ସହ ବାଣ ଫୁଟାଇବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ପଙ୍ଗପାଳର ବିପଦକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାରଙ୍କ ନିର୍ଦ୍ଦେଶନାମା ଜାରି ହୋଇଛି | ଏହାର ମୁକାବିଲା ପାଇଁ ଦକ୍ଷିଣ ଏବଂ ପଶ୍ଚିମ ଜିଲ୍ଲାରେ ସରକାର ଏକ ହାଇ ଆଲର୍ଟ ଘୋଷଣା କରିଛନ୍ତି | ରାଜ୍ୟ ସଚ୍ଚିବାଳୟ ଠାରେ ଏନେଇ ଆୟୋଜିତ ହୋଇଥିବା ବୈଠକରେ ଉନ୍ନୟନ କମିଶନର ଏବଂ ଡିଭିଜିନାଲ କମିଶନର, କୃଷି ନିର୍ଦ୍ଦେଶକ, ଦକ୍ଷିଣ ଏବଂ ପଶ୍ଚିମ ଦିଲ୍ଲୀ ଜିଲ୍ଲାର ଜିଲ୍ଲାପାଳ ଉପସ୍ଥିତ ଥିଲେ |

ପଙ୍ଗପାଳର ମୁକାବିଲା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ସରକାର | ପଙ୍ଗପାଳକୁ ଘଉଡାଇବା ପାଇଁ ଡ୍ରମ କିମ୍ବା ଡିଜେ ବଜାଇବା, ଥାଳି ତାଟିଆ ପିଟିବା, ବାଣ ଫୁଟାଇବା, ଏବଂ ନିମ୍ ପତ୍ର ଆଦି ଜାଳିବାକୁ କୁହାଯାଇଛି | ଏହା ସହିତ ଦରକାର ସମୟରେ ସହଯୋଗ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି | 

ଏବେ ଦିଲ୍ଲୀରେ ପଙ୍ଗପାଳଙ୍କ ଛୋଟ ଦଳ ଦିଲ୍ଲୀରେ ଆସି ପହଞ୍ଚି ସାରିଛି | ଏଥିପାଇଁ ସତର୍କ ହୋଇ ଉଠିଛନ୍ତି ଦିଲ୍ଲୀ ସରକାର | ଅନ୍ୟପଟେ ସାମ୍ଭାବ୍ୟ ପଙ୍ଗପାଳ ହମଲାକୁ ଦୃଷ୍ଟିରେ ରଖି ଦକ୍ଷିଣ ଏବଂ ପଶ୍ଚିମ ଦିଲ୍ଲୀକୁ ସଜାଗ ରଖାଯାଇଛି | ବର୍ତ୍ତମାନ ପବନ ଦକ୍ଷିଣ ଦିଗରେ ପ୍ରଭାବିତ ହେଉଛି | ଯଦି ବାୟୁରେ ପରିବର୍ତ୍ତନ ଆସେ, ଦିଲ୍ଲୀରୁ ବାହାରି ଯାଇପାରନ୍ତି ପଙ୍ଗପାଳ | ବର୍ତ୍ତମାନ ସାମଗ୍ରିକ ସ୍ଥିତି ଉପରେ ନଜର ରଖାଯାଇଛି |

ଦିଲ୍ଲୀର ଡିଏମ, ଏସଡିଏମ ଏବଂ ଏମସିଡି ସମେତ ସମସ୍ତ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି | ଏହା ସହ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗ ରଖାଯାଇଛି | ଯଦି ହରିୟାଣାରୁ ପଙ୍ଗପାଳ ଦିଲ୍ଲୀ ମୁହାଁ ହୁଅନ୍ତି ଠିକ ସମୟରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି ଦିଲ୍ଲୀ ସରକାର |

ପଙ୍ଗପାଳ ଆକ୍ରମଣ ସମ୍ଭାବନାକୁ ଦୃଷ୍ଟିରେ ରଖି ଏଥିରୁ କିପରି ବର୍ତ୍ତିବାକୁ ହେବ ତାହାର ଉପାୟ କୃଷକଙ୍କୁ ଜଣାଇଛି କୃଷି ବିଭାଗ | ପଙ୍ଗପାଳ କୀଟ ଏକାଠି ହୋଇ ଗତି କରିଥାନ୍ତି ଏବଂ ଗୋଟିଏ ଦିନ ମଧ୍ୟରେ ପ୍ରାୟ ୧୦୦ରୁ ୧୫୦ କିଲୋମିଟର ପର୍ଯ୍ୟନ୍ତ  ଯାତ୍ରା କରିଥାନ୍ତି | ପଙ୍ଗପାଳ ଗୋଷ୍ଠୀ ଗୋଟିଏ ହାରାହାରି ୧୦ଟି ହାତୀ, ୨୫ଟି ଓଟ କିମ୍ବା ୨୫୦୦ ଖାଦ୍ୟ ଖାଇ ଦେଇପାରନ୍ତି | 

ଦେଶର ବିଭିନ୍ନ ସ୍ଥାନରେ ଆତଙ୍କ ସୃଷ୍ଟି କରିବା ପରେ ପଙ୍ଗପାଳ ଆତଙ୍କ ଦିଲ୍ଲୀ, ଗୁରୁଗ୍ରାମ ଏବଂ ଦ୍ୱାରକା ନିକଟରେ ପହଞ୍ଚିଛି | ପଙ୍ଗପାଳ ଦଳ ସାଧାଣତଃ ସନ୍ଧ୍ୟା ସମୟରେ ଆସିବା ସହ  ଭୂମି ଉପରେ ବସିଥାନ୍ତି | ଯେଉଁଠାରେ ପଙ୍ଗପାଳ ଦଳ ପହଞ୍ଚିଥାନ୍ତି ସେଠାରେ ସେମାନେ  ଥିବା ଗଛପତ୍ର ଖାଇଥାନ୍ତି | ଏହା ପର ଦିନ ନୂଆ ଦିଗରେ ଯାତ୍ରା ଆରମ୍ଭ କରିଥାନ୍ତି |