ନୂଆଦିଲ୍ଲୀ: ଅନେକ ଦିନର ଅପେକ୍ଷା ପରେ ଧର୍ମ ନଗରୀ ଅଯୋଧ୍ୟାରେ ନିର୍ମିତ ହେବାକୁ ଯାଉଛି ଭଗବାନ ରାମ ମନ୍ଦିର। ହେଲେ ଏବେ ମନ୍ଦିର ନିର୍ମାଣ ମାମଲାରେ ମୁହାଁମୁହାଁ ହୋଇଛନ୍ତି କେନ୍ଦ୍ରରେ କ୍ଷମତାସୀନ ଶାସକ ବିଜେପି ଏବଂ ବିରୋଧି କଂଗ୍ରେସ। ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଗୈରିକ ଦଳ ଉଦ୍ଦେଶ୍ୟରେ କଂଗ୍ରେସ ନେତା ଶଶୀ ଥରୁର କହିଛନ୍ତି ଭଗବାନ ରାମ ବିଜେପିର ସମ୍ପତ୍ତି ନୁହଁନ୍ତି।
ରାମ ମନ୍ଦିର ମାମଲାରେ କଂଗ୍ରେସର ଆଭିମୁଖ୍ୟ ଉପରେ ମତ ରଖି ସେ କହିଛନ୍ତି ଦଳ ସବୁ ବେଳେ ରାମ ମନ୍ଦିର ନିର୍ମାଣ ସପକ୍ଷରେ ରହିଛି। କଂଗ୍ରେସ ମୁସଲମାନଙ୍କୁ ଠକି ଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ଉପରେ ମତ ରଖି ସେ କହିଛନ୍ତି ସେମାନେ ନିଜକୁ ପଚାରନ୍ତୁ, ତାଙ୍କୁ କିଏ ଠକିଛି। ଆମେ କାହା ସହ ଛଳନା କରିନାହୁଁ କିମ୍ବା ବିରୋଧରେ ରହିନାହୁଁ।
ଯେଉଁ ସମୟରେ ଥରୁରଙ୍କ ବୟାନ ଆସିଛି ତାହା ବେଶ ଗୁରୁତ୍ୱ ବହନ କରୁଛି। କାରଣ ସେ ଦାକ୍ଷିଣାତ୍ୟ ରାଜ୍ୟ କେରଳରୁ ସଂସଦକୁ ପ୍ରତିନିଧିତ୍ୱ କରୁଛନ୍ତି। ଯେଉଁଠାରା ତାଙ୍କ ଦଳର ମେଣ୍ଟ ସହଯୋଗୀ ଭାବେ ରହିଛି ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ(Union Muslim League)। କଂଗ୍ରେସର ଅନେକ ନେତା ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ସ୍ୱାଗତ କରିଛନ୍ତି।
ଏପରିକି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ରାମ ମନ୍ଦିର ନିର୍ମାଣ କରିବା ସପକ୍ଷରେ ଟ୍ୱିଟ କରିଛନ୍ତି। ଏନେଇ ସେ କହିଛନ୍ତି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ହେଉଥିବା ଭୂମି ପୂଜନ ଜାତୀୟ ଏକତାର ପ୍ରତୀକ। ଅନ୍ୟପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଭାଗବାନ ରାମ ହେଉଛନ୍ତି ମର୍ଯ୍ୟଦା ପୁରୁଷ ଏବଂ ମାନବିକତାର ପ୍ରତୀକ।
ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରି ଥରୁର କହିଛନ୍ତି ଭଗବାନ ରାମ ତାଙ୍କର ଦଳୀୟ ସମ୍ପତ୍ତି ନୁହଁନ୍ତି । ସେ ଜଣେ ଆଦର୍ଶ ପୁରୁଷ । ଯିଏକି ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରହିଛନ୍ତି। ଏପରିକି ମହାତ୍ମ ଗାନ୍ଧୀ ମୃତ୍ୟୁ ବେଳେ ହେ ରାମ କହି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମର୍ଯ୍ୟଦା ପୁରୁଷ ଭଗବାନ ରାମଙ୍କ ନାମକୁ କେହି ଚୋରି କରିପାରିବେ ନାହିଁ କିମ୍ବା ତାଙ୍କ ନାଁରେ ସ୍ଲୋଗାନ ଅଥବା ବୟାନବାଜି ପ୍ରଦାନ କରି ତାଙ୍କୁ ନିଜ ଅଧିକାରରେ ରଖି ପାରିବେ ନାହିଁ।
ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ କେବେ ବିରୋଧ କରୁ ନଥିଲା, ହେଲେ ବାବ୍ରି ମସଜିଦ ଧ୍ୱଂସ ହେବା ପରେ ବିବାଦ ବଢିବାରେ ଲାଗିଥିଲା । ୧୦୮୯ ମସିହାରେ ରାଜୀବ ଗାନ୍ଧୀ ଏକ ବିକଳ୍ପ ଭାବରେ ନିକଟସ୍ଥ ବିବାଦୀୟ ଜମିରେ ବିଶ୍ୱ ହିନ୍ଦୁ ପରିଷଦକୁ ମନ୍ଦିର ଶିଳାନ୍ୟାସ କରିବା ଲାଗି ଅନୁମତି ଦେଇଥିଲେ। ମସଜିଦ ତାଲା ଖୋଲିବାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ନୁହଁନ୍ତି ସେତେବେଳର ଫୈଜାବାଦ ଜିଲ୍ଲା ଜଜ ଏହି ନିର୍ଦ୍ଦେଶ ଦେଇଥିଲେ। ଯେତେବଳେ ଦେଶ ବ୍ରିଟିଶ ସରକାରଙ୍କ ଶାନନାଧିନ ଥିଲା। ଏହା ପରେ ମନ୍ଦିର ଖୋଲିବା ଲାଗି ରାସ୍ତା ପ୍ରଶସ୍ତ ହୋଇଥିଲା।
କଂଗ୍ରେସକୁ ବିଜେପି-ଲାଇଟ ବୋଲି ଅଭିହିତ କରୁଥିବା କେତେକ ବାମପନ୍ଥୀ ବୁଦ୍ଧିଜୀବୀଙ୍କ ଉଦ୍ଦେଶ୍ୟରେ ଥରୁର କହିଛନ୍ତି,ଏ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ପରେ ଅନେକ ନେତା ରାମ ମନ୍ଦିରକୁ ସ୍ୱାଗତ କରିଛନ୍ତି, ହେଲେ ସେମାନେ ମୁସଲମାନଙ୍କ ବିରୁଦ୍ଧରେ ହିନ୍ଦୁଙ୍କୁ ପ୍ରବର୍ତ୍ତାଇ ନାହାଁନ୍ତି କିମ୍ବା ମୁସଲମାନ ସମ୍ପ୍ରଦାୟ ବିରୁଦ୍ଧରେ କୌଣସି କାର୍ଯ୍ୟ କରିନାହାଁନ୍ତି। ସେମାନେ ଆଦର୍ଶ ପୁରୁଷ ରାମଙ୍କୁ ପ୍ରଶଂସା କରିଛନ୍ତି।