ସ୍ଲିପ ମାରିଲା ବିଜେପି ମନ୍ତ୍ରୀଙ୍କ ତୁଣ୍ଡ: କହିଲେ, ପ୍ରଧାନମନ୍ତ୍ରୀ ସମାଜ ପାଇଁ କଳଙ୍କ
Advertisement

ସ୍ଲିପ ମାରିଲା ବିଜେପି ମନ୍ତ୍ରୀଙ୍କ ତୁଣ୍ଡ: କହିଲେ, ପ୍ରଧାନମନ୍ତ୍ରୀ ସମାଜ ପାଇଁ କଳଙ୍କ

ବେଳେ ବେଳେ ଏମିତି ବି ହୁଏ...

ଫାଇଲ ଫଟୋ

ଭୋପାଲ: ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରଲ ହେଉଛି, ଯାହା ଆପଣଙ୍କୁ ଆଚମ୍ବିତ କରିଦେବ । ମଧ୍ୟପ୍ରଦେଶର ଜଣେ ମନ୍ତ୍ରୀ ବିକାଶ ଦୁବେ ଏନକାଉଣ୍ଟର ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ , ୟୁପି ମୁଖ୍ୟମନ୍ତ୍ରୀ ଓ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ସମାଜ ପାଇଁ କଳଙ୍କ ବୋଲି କହୁଛନ୍ତି । ଏହି ଏନକାଉଣ୍ଟର ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରିବା କିଛି ନୂଆ କଥା ନୁହେଁ । କିନ୍ତୁ ଜଣେ ବିଜେପି ନେତାଙ୍କ ଏଭଳି ବିବାଦୀୟ ବୟାନ ଏବେ ଖବର ଶିରୋନାମା ପାଲଟିଛି । ସେ ପୁଣି ଅନ୍ୟ କେହି ନୁହଁନ୍ତି, ମଧ୍ୟପ୍ରଦେଶରେ କ୍ଷମତାସୀନ ବିଜେପି ସରକାରର ଜଣେ ମନ୍ତ୍ରୀ । ତେଣୁ ମଧ୍ୟପ୍ରଦେଶ ମନ୍ତ୍ରୀଙ୍କ ଏପରି ବୟାନକୁ ନେଇ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କୁ ମୌକା ମିଳିଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ଏହା ଯେ, ତୁଲସୀ ସିଲାବଟ ପୂର୍ବରୁ କଂଗ୍ରେସ ସାଂସଦ ଥିଲେ । ଏବେ ବିଜେପି ସରକାରରେ ମନ୍ତ୍ରୀ ହୋଇଛନ୍ତି । 

କୁଖ୍ୟାତ ଅପରାଧୀ ବିକାଶ ଦୁବେ ଏନକାଉଣ୍ଟରକୁ ନେଇ ସାମ୍ବାଦିକମାନେ ମଧ୍ୟପ୍ରଦେଶ ସରକାରରେ ମନ୍ତ୍ରୀ ଥିବା ତୁଲସୀ ସିଲାବଟଙ୍କ ପ୍ରତିକ୍ରିୟା ନେଇଥିଲେ । ତେବେ ଏହି ସମୟରେ ମନ୍ତ୍ରୀ ସିଲାବଟଙ୍କ ତୁଣ୍ଡ ସ୍ଲିପ ମାରିଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସମାଜ ପାଇଁ କଳଙ୍କ ବୋଲି କହୁ କହୁ କହିଦେଇଥିଲେ ତୁଲସୀ ସିଲାବଟ । ଭାଇରଲା ଭିଡିଓରେ ଏମିତି ହିଁ ଶୁଣିବାକୁ ମିଳୁଛି । 

ତେବେ ପରବର୍ତ୍ତୀ ସମୟରେ ଏହାକୁ ନେଇ ସଫେଇ ଦେଇଛନ୍ତି ମନ୍ତ୍ରୀ ସିଲବଟ । ଏନକାଉଣ୍ଟର ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ଓ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲି । ଦେଶ ପାଇଁ ବିକାଶ ଦୁବେକୁ କଳଙ୍କ ବୋଲି କହିଥିବା କହିଛନ୍ତି ସିଲାବଟ । ଏପରିକି କଂଗ୍ରେସର କିଛି ଲୋକ ଏହାକୁ ବିକୃତ ଭାବେ ଉପସ୍ଥାପିତ କରୁଥିବା ସେ ଅଭିଯୋଗ କରିଛନ୍ତି । 

ତେବେ ପୁରା ଭିଡିଓ ଦେଖିଲେ ଜଣାପଡ଼ୁଛି ଯେ, ପ୍ରତିକ୍ରିୟା ଦେବା ବେଳେ ମନ୍ତ୍ରୀଙ୍କ ପାଟି ସ୍ଲିପ ମାରିଯାଇଥିଲା । ସେ ବିକାଶ ଦୁବେକୁ ଦେଶ ପାଇଁ କଳଙ୍କ କହିବା ଯାଗାରେ ପ୍ରଧାନମନ୍ତ୍ରୀ ଓ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ କଳଙ୍କ ବୋଲି କହିଦେଇଥିଲେ । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଓଜସ୍ୱୀ ବୋଲି ସମ୍ବୋଧନରୁ ସ୍ପଷ୍ଟ ଜଣାପଡ଼ୁଛି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଦେଶ ପାଇଁ କଳଙ୍କ କହିବା ତାଙ୍କ ଉଦ୍ଦେଶ୍ୟ ନଥିଲା । ସେମିତିରେ ବି ଏ ଏନକାଉଣ୍ଟରକୁ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା ବୋଲି କହିଥିଲେ ସିଲାବଟ ।