)
Defense deal: ନୂଆଦିଲ୍ଲୀ: ପାକିସ୍ତାନ ଓ ସାଉଦି ଆରବ ଭିତରେ ଏକ ରଣନୀତିକ ଚୁକ୍ତି ସ୍ୱାକ୍ଷର ହୋଇଛି। ଏହି ଚୁକ୍ତି ଦ୍ୱାରା କୌଣସି ଗୋଟିଏ ଦେଶ ଉପରେ ଆକ୍ରମଣ ହେଲେ ତାହାକୁ ଉଭୟ ଦେଶ ମିଳିତ ଭାବେ ଜବାବ ଦେବେ। କିଛିଦିନ ତଳେ ଇସ୍ରାଏଲର ଦୋହା ଉପରେ ଆକ୍ରମଣ ଏବଂ ଅପରେସନ୍ ସିନ୍ଦୁର ଦ୍ୱାରା ଭାରତର ପାକିସ୍ତାନ ଉପରେ ଆକ୍ରମଣକୁ ପରିପ୍ରେକ୍ଷୀରେ ଏହି ଚୁକ୍ତିକୁ ଗୁରୁତ୍ୱପୂର୍ଣ୍ଣ ଭୋବଳି ଗଅହଣ କରାଯାଉଛି। ଭାରତ ଏହି ଚୁକ୍ତିକୁ ଗୁରୁତର ସହ ଗ୍ରହଣ କରିବା ସହ ଏ ବିଷୟରେ ଅନୁଧ୍ୟାନ କରୁଛି ବୋଲି କହିଛି।
ବୁଧବାର ଦିନ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ୍ ଶରିଫଙ୍କ ସାଉଦି ଆରବ ଗସ୍ତ ସମୟରେ ଏହି ଚୁକ୍ତି ସ୍ୱାକ୍ଷର ହୋଇଛି। ଏହି ଅବସରରେ ସାଉଦି ଆରବର ରାଜା ମୋହମ୍ମଦ୍ ବିନ୍ ସାଲମାନ ଉପସ୍ଥିତ ଥିଲେ। 'ଷ୍ଟ୍ରାଟେଜିକ୍ ମ୍ୟୁଚୁୟାଲ୍ ଡିଫେନ୍ସ୍ ଏଗ୍ରିମେଣ୍ଟ୍' ନାମକ ଏହି ଚୁକ୍ତି ସ୍ୱାକ୍ଷର ଦ୍ୱାରା ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗ ବୃଦ୍ଧି ପାଇବ। ଯେକୌଣସି ଆକ୍ରମଣକୁ ନିୟନ୍ତ୍ରଣ କରିବାରେ ସଂଯୁକ୍ତ ନିରୋଧକ ଶକ୍ତିକୁ ମଜବୁତ୍ କରାଯିବ। ଏହି ଚୁକ୍ତି ଅନୁଯାୟୀ, ଏକ ଦେଶ ଉପରେ ଆକ୍ରମଣ ହେଲେ ତାହା ଅନ୍ୟ ଦେଶ ଉପରେ ମଧ୍ୟ ଆକ୍ରମଣ ଭାବେ ଗଣନା କରାଯିବ ବୋଲି ଏଏଫ୍ପି ସମ୍ବାଦ ସଂସ୍ଥା ଓ ସାଉଦି ପ୍ରେସ୍ ଏଜେନ୍ସି ରିପୋର୍ଟରେ କୁହାଯାଇଛି।
ଏହି ଚୁକ୍ତିବାବଦରେ ନିଜର ମତ ପ୍ରକାଶ କରି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର୍ ଜୈସ୍ୱାଲ୍ କହିଛନ୍ତି, "ଆମେ ସାଉଦି ଆରବ ଓ ପାକିସ୍ତାନ ମଧ୍ୟରେ ଷ୍ଟ୍ରାଟେଜିକ୍ ମ୍ୟୁଚୁୟାଲ୍ ଡିଫେନ୍ସ୍ ପ୍ୟାକ୍ଟ୍ ସ୍ୱାକ୍ଷର ବାବଦରେ ସଚେତନ ରହିଛୁ। ସରକାରଙ୍କୁ ଜଣାଯାଇଛି ଯେ ଏହି ଚୁକ୍ତ ଦୁଇ ଦେଶ ମଧ୍ୟରେ ଦୀର୍ଘଦିନର ବ୍ୟବସ୍ଥାକୁ ଆନୁଷ୍ଠାନିକ କରୁଛି।" ସେ ଆହୁରି କହିଛନ୍ତି, "ଆମେ ଏହି ଚୁକ୍ତି ଦ୍ୱାରା ଆମର ରାଷ୍ଟ୍ରୀୟ ସୁରକ୍ଷା ସହିତ ସହ ଅଞ୍ଚଳିକ ଓ ବିଶ୍ୱ ସ୍ଥିରତା ଉପରେ ପ୍ରଭାବ ଅଧ୍ୟୟନ କରିବା।"