)
ପ୍ୟୋଙ୍ଗୟାଙ୍ଗ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି । ଅନ୍ୟପକ୍ଷେ ସାଟେଲାଇଟ ବା ଉପଗ୍ରହରୁ ପ୍ରାପ୍ତ ତାଙ୍କ ସ୍ୱତନ୍ତ୍ର ଟ୍ରେନର ଇମେଜ ଚର୍ଚ୍ଚାର ବିଷୟ ପାଲଟିଛି । ଫଟୋଗ୍ରାଫରୁ ଜଣାପଡିଛି ଯେ ଟ୍ରେନ୍ ବର୍ତ୍ତମାନ ଉତ୍ତର କୋରିଆର ପୂର୍ବ ଉପକୂଳରେ କିମଙ୍କ ହଲିଡେ କମ୍ପାଉଣ୍ଡ ବାହାରେ ପାର୍କିଂ ହୋଇଛି । ଏହି ଫଟୋଗୁଡିକ ମନିଟରିଂ ଗ୍ରୁପ୍ ୩୮ ଦ୍ୱାରା ପ୍ରକାଶିତ ହୋଇଛି । ଯାହା ଉତ୍ତର କୋରିଆର କାର୍ଯ୍ୟକଳାପ ଉପରେ ନଜର ରଖେ ।
କିମ ଜୋଙ୍ଗ ଉନଙ୍କ ଯତ୍ନ ନେବା ଏବଂ ଚିକିତ୍ସା ସହାୟତା ପାଇଁ ଚୀନ୍ ଉତ୍ତର କୋରିଆକୁ ବିଶେଷଜ୍ଞ ଡାକ୍ତରଙ୍କ ଏକ ଟିମ୍ ପଠାଇଥିବାର ଖବର ରହିଛି । ବାସ୍ତବରେ କିମ ନିକଟରେ ହୃଦଘାତର ଶିକାର ହୋଇଥିଲେ । ପରେ ତାଙ୍କ ଅସ୍ତ୍ରୋପଚାର କରିଥିବା ଜଣାପଡିଛି । ସେହି ଦିନଠାରୁ ତାଙ୍କ ଅବସ୍ଥା ଗୁରୁତର ରହିଛି । ଚାଇନାର ଡାକ୍ତରଙ୍କ ଏହି ଟିମ୍ ତାଙ୍କ ଚିକିତ୍ସା ଏବଂ ସୁସ୍ଥ ହେବାର ଆବଶ୍ୟକ ସହାୟତା ଯୋଗାଉଛି ।
କିମ ଗତ କିଛି ସପ୍ତାହ ଧରି ସର୍ବସାଧାରଣରେ ଉପସ୍ଥିତ ନଥିଲେ । ସେ ଏପ୍ରିଲ ୧୫ରେ ନିଜ ଜେଜେବାପା ତଥା ଉତ୍ତର କୋରିଆର ପ୍ରତିଷ୍ଠାତା ତଥା ପ୍ରଥମ ଏକଛତ୍ରବାଦୀ ଶାସକ କିମ ଇଲ ସାଙ୍ଗଙ୍କ ୧୦୮ ତମ ଜୟନ୍ତୀ ଅବସରରେ ଆୟୋଜିତ ସମାରୋହରେ ଯୋଗ ଦେଇନଥିଲେ । ସେବେଠାରୁ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ କଳ୍ପନାଜଳ୍ପନା ଚାଲୁଛି ।

ଉତ୍ତର କୋରିଆ ସମ୍ବନ୍ଧୀୟ ମାମଲା ଅଧ୍ୟୟନରେ ବିଶେଷଜ୍ଞତା ରଖୁଥିବା ଗ୍ରୁପ୍ '38 ନର୍ଥ ' ଏହା ମଧ୍ୟ କହିଛି ଯେ, ଏହି ଫଟୋଗୁଡ଼ିକ କିମଙ୍କ ସ୍ୱାସ୍ଥ୍ୟ ବିଷୟରେ କୌଣସି ସୂଚନା ଦେଇନାହିଁ । କିନ୍ତୁ ଏହା ଦକ୍ଷିଣ କୋରିଆର ଗୁପ୍ତଚର କମିଟିର ବୟାନକୁ ବଳ ପ୍ରଦାନ କରୁଛି ଯେ, କିମ ରାଜଧାନୀ ପ୍ୟୋଙ୍ଗୟାଙ୍ଗ ବାହାରେ ରହୁଛନ୍ତି ।
ଦକ୍ଷିଣ କୋରିଆ କ୍ରମାଗତ ଭାବରେ କହିଛି ଯେ, ଏପର୍ଯ୍ୟନ୍ତ କିମଙ୍କ ସ୍ୱାସ୍ଥ୍ୟ ଖରାପ ଥିବା କୌଣସି ସଙ୍କେତ ମିଳିନାହିଁ । ବାସ୍ତବରେ ଉଭୟ ଦେଶ ପାଇଁ କିମଙ୍କ ସ୍ୱାସ୍ଥ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ କିମଙ୍ଗ ଗୁରୁତର ଅସୁସ୍ଥତା କିମ୍ବା ମୃତ୍ୟୁ ଗରିବ କିନ୍ତୁ ପରମାଣୁ ସମ୍ପନ୍ନ ଉତ୍ତର କୋରିଆରେ ଅସ୍ଥିରତା ସୃଷ୍ଟି କରିପାରେ, ଯାହା ଦକ୍ଷିଣ କୋରିଆ ଏବଂ ବିଶ୍ୱ ଉପରେ ବହୁତ ପ୍ରଭାବ ପକାଇପାରେ ।
'38 ନର୍ଥ 'କହିଛି ଯେ ଫଟୋଗ୍ରାଫଗୁଡିକ ଦର୍ଶାଇଛି ଯେ, ଏହି ନିର୍ଦ୍ଦିଷ୍ଟ ଟ୍ରେନ୍ ଏପ୍ରିଲ୍ ୨୧ ପୂର୍ବରୁ ପହଞ୍ଚିଥିଲା ଏବଂ ଏପ୍ରିଲ୍ ୨୩ ପର୍ଯ୍ୟନ୍ତ ସେଠାରେ ଥିଲା । ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ, ଆମେରିକାର ଜଣେ ଅଧିକାରୀ କହିଛନ୍ତି ଯେ, କିମଙ୍କ ସ୍ୱାସ୍ଥ୍ୟକୁ ନେଇ ଚାଲିଥିବା ଚିନ୍ତା ବିଶ୍ୱାସଯୋଗ୍ୟ, କିନ୍ତୁ ଏହାର ଗମ୍ଭୀରତାକୁ ଆକଳନ କରିବା କଷ୍ଟକର । ତେବେ କିମଙ୍କ ବ୍ରେନ ଡେଡ ହୋଇଯାଇଥିବା ମଧ୍ୟ ଅନୁମାନ କରାଯାଉଛି । ଦକ୍ଷିଣ କୋରିଆର ୱେବସାଇଟ୍ ଅନୁଯାୟୀ କିମ ଜୋନ୍ ଉନ୍ ଏପ୍ରିଲ ୧୨ରେ ଅସ୍ତ୍ରୋପଚାର କରିଥିଲେ ।
ଏହି ୱେବସାଇଟ୍ ଅନୁଯାୟୀ, ସେ ଏହି ପ୍ରକ୍ରିୟା ଦେଇ ଗତି କରିବାକୁ ପଡୁଥିଲା କାରଣ ସେ ବହୁତ ଧୂମପାନ କରନ୍ତି ଏବଂ ମୋଟାପଣରେ ପୀଡିତ ଥିଲେ । ସେ ହିଆସଙ୍ଗ କାଉଣ୍ଟିରେ ମଧ୍ୟ ଚିକିତ୍ସିତ ହେଉଥିଲେ । ଏହା ମଧ୍ୟ କୁହାଯାଉଛି କିମଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଛି । ଏହି କାରଣରୁ ଏପ୍ରିଲ ୧୯ରେ ଡାକ୍ତରଙ୍କ ଏକ ଦଳ ପ୍ୟୋଙ୍ଗୟାଙ୍ଗକୁ ଫେରିଥିଲେ । କିନ୍ତୁ କିମ ଜୋଙ୍ଗ ଆଉ କିଛି ଦିନ ନିଜ ହଲିଡେ କାଉଣ୍ଟିରେ ବିଶ୍ରାମ ନେବା ପାଇଁ ରହିଛନ୍ତି ।