ମୁମ୍ବାଇ: ପ୍ରବଳ ବର୍ଷାରେ ସଙ୍ଗୀନ ହୋଇପଡିଛି ମାୟା ନଗରୀ ମୁମ୍ବାଇର ସ୍ଥିତି। ଚଳିତ ଥର ହୋଇଥିବା ବର୍ଷା ବିଗତ ୪୬ ବର୍ଷର ରେକର୍ଡ ଭାଙ୍ଗିଛି। ମାତ୍ରାଧିକ ବେଗରେ ପବନ ବହିବା କାରଣରୁ ବ୍ୟାପକର ପରିମାଣରେ କ୍ଷୟକ୍ଷତି ହେବା ସହ ପ୍ରାୟ ୧୧୨ଟି ଗଛ ଉପୁଡିଯାଇଛି। ଏହା ସହିତ ୬ଟି ଘର ଭାଙ୍ଗିଯିବା ସହ, ସହରର କେତେକ ଅଞ୍ଚଳରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଛି।
ଦକ୍ଷିଣ ମୁମ୍ବାଇରେ ପବନର ହାରାହାରି ବେଗ ୭୦-୮୦ କିମି ରହିଥିବା ବେଳେ, ସର୍ବାଧିକ ବେଗ ୧୦୬ କିଲୋମିଟର ରହିଛି। ଚଳିତ ବର୍ଷ ଜିନ ପ୍ରଥମ ସପ୍ତାହରେ ଦେଶର ପଶ୍ଚିମ ଉପକୂଳରେ ତାଣ୍ଡବ ସୃଷ୍ଟି କରିଥିବା ନିସାର୍ଗା ସାମୁଦ୍ରିକ ଝଡ ସମୟରେ ପବନର ବେଗ ମଧ୍ୟା ସମାନ ରହିଥିଲା। ମୌସୁମୀ ସମୟରେ ପବନର ୧୦-୧୫ କିମି ରହିଥାଏ।
ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ମୁମ୍ବାଇବାସୀଙ୍କୁ ଜଣାଇ ଦେଇଛି ପୋଲିସ। ଏହା ସହିତ ଜଳବନ୍ଦୀ ହୋଇ ପଡିଥିବାସ୍ଥାନ କିମ୍ବା ସମୁଦ୍ରକୂଳିଆ ଅଞ୍ଚଳକୁ ନଯିବା ଲାଗି ଜଣାଇ ଦେଇଛି। ଜରୁରୀକାଳୀନ ପରିସ୍ଥିତିରେ ୧୦୦ ନମ୍ବରକୁ ଫୋନ କରିବା ଲାଗି ସ୍ଥାନୀୟ ଲୋକଙ୍କ ଉଦ୍ଦେଶ୍ୟରେ କହିଛି ମୁମ୍ବାଇ ପୋଲିସ।
ମହାରାଷ୍ଟ୍ରରେ ବିଭିନ୍ନ ଜିଲ୍ଲାରେ ବର୍ଷା ପରବର୍ତ୍ତୀ ସ୍ଥିତିର ମୁକାବିଲା କରିବା ଲାଗି ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ-ଏନଡିଆରଏଫ(NDRF-National Disaster Response Force) ୧୬ଟି ଟିମକୁ ସଜାଗ ରଖାଯାଇଛି। ରାଜ୍ୟରେ କୋହ୍ଲାପୁରରେ ୪, ମୁମ୍ବାଇରେ ୫, ସାଙ୍ଗଲିରେ ୨, ସତାରା, ଥାନେ, ପାଲଘର, ନାଗପୁର, ରାୟଗଡ ଆଦି ଜିଲ୍ଲାରେ ଏନଡିଆରଏଫର ଗୋଟିଏ ଗୋଟିଏ ଟିମକୁ ନିୟୋଜିତ କରାଯାଇଛି।
ମୁମ୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ବର୍ଷା ହେବାର ଆଶଙ୍କାଙ୍କୁ ଦୃଷ୍ଟିରେ ରଖି ଭାରତୀୟ ତଟରକ୍ଷା ବାହିନୀ(Indian Coast Guard) ପକ୍ଷରୁ ୨ ଅଧିକାରୀ ଏବଂ ୧୦ ଯବାନଙ୍କୁ ବନ୍ୟା ପ୍ରଭାବିତ ମାହାଡ, ରାୟଗଡ ଜିଲ୍ଲାରେ ରିଲିଫ ବଣ୍ଟନ କାର୍ଯ୍ୟରେ ନିୟୋଜିତ କରାଯାଇଛି।