ବାଲାସାହେବଙ୍କ ରାସ୍ତାରେ ଉଦ୍ଧବ: ଶରଦ ପାୱାର

ଶିବସେନାର ଦଳୀୟ ମୁଖପତ୍ର ସାମ୍ନାକୁ ଏକ ସାକ୍ଷାତକାର ଦେଇ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରତିକ୍ରିୟା ରଖିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର । 

ବାଲାସାହେବଙ୍କ ରାସ୍ତାରେ ଉଦ୍ଧବ: ଶରଦ ପାୱାର
ଫାଇଲ ଫଟୋ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଏବେ ବିରୋଧୀ ଦଳ ସିଟରେ ବସିଥିବା ବିଜେପି ବିଧାନସଭା ନିର୍ବାଚନରେ ୧୦୫ ଆସନ ଆଣିଥିଲା । ସର୍ବବୃହତ ଦଳ ଭାବେ ଉଭା ହୋଇଥିଲା । ତେବେ ଏଥିପାଇଁ ଶିବସେନା ହିଁ ଦାୟୀ । ବିଜେପିକୁ ଶିବସେନାର ଭୋଟ ମିଳିଥିଲା । ଯଦି ଶିବସେନାର ଭୋଟକୁ ହଟାଇ ଦିଆଯାଏ, ତେବେ ଭାରତୀୟ ଜନତା ପାର୍ଟି ମାତ୍ର ୫୦ରୁ ୬୦ ଆସନରେ ହିଁ ସୀମିତ ରହିଥାନ୍ତା । ତେଣୁ ବିଜେପି ସବୁବେଳେ ଯେଉଁ ୧୦୫-୧୦୫ ବୋଲି କହୁଛି, ତାକୁ ଏକଥା ବୁଝିବା ଦରକାର । ଯାହା ଯୋଗୁ ବିଜେପି ୧୦୫ ଆସନ ପାଇବାରେ ସଫଳ ହୋଇଛି, ସେହି ଦଳ ଶିବସେନା ସହ ବିଶ୍ୱାସ ଘାତକ ମଧ୍ୟ କରିବାକୁ ପଛାଇନାହିଁ । ଶିବସେନାର ଦଳୀୟ ମୁଖପତ୍ର ସାମ୍ନାକୁ ଏକ ସାକ୍ଷାତକାର ଦେଇ ଏମିତି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରତିକ୍ରିୟା ରଖିଛନ୍ତି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ମୁଖ୍ୟ ଶରଦ ପାୱାର । 

ପାୱାରଙ୍କ ହାତରେ ଅଛି କି ମହାରାଷ୍ଟ୍ର ସରକାରଙ୍କ ରିମୋର୍ଟ ? ଏହାର ଉତ୍ତର ଦେବାକୁ ଯାଇ ଏନସିପି ମୁଖ୍ୟ କହିଛନ୍ତି, ''ମୁଁ ସରକାରଙ୍କ ପ୍ରିନ୍ସିପାଲ ନୁହେଁ, କିମ୍ବା ରିମୋର୍ଟ କଣ୍ଟ୍ରୋଲ ମଧ୍ୟ ନୁହେଁ । ଋଷ ଭଳି ଦେଶରେ ସରକାର ରିମୋର୍ଟ କଣ୍ଟ୍ରୋଲରେ ଚାଲିଥାଏ । ଯେଉଁ ଦେଶରେ ୨୦୩୬ ପର୍ଯ୍ୟନ୍ତ ପୁଟିନ କ୍ଷମତାରେ ରହିବା ନେଇ ତୟ ହୋଇଛି । ଆମ ଦେଶର ଶାସନ ବ୍ୟବସ୍ଥାରେ ଲୋକତାନ୍ତ୍ରିକ ସରକାର ହୁଏ, ଆଉ ଏହି ସରକାର ରିମୋର୍ଟ କଣ୍ଟ୍ରୋଲରେ କେବେ ମଧ୍ୟ ଚାଲିପାରିବ ନାହିଁ ।'' 

ସେହିପରି ବାଲାସାହେବ ଠାକରେଙ୍କ ବିଚାରଧାରା ନେଇ ମଧ୍ୟ ଆଲୋକପାତ କରିଛନ୍ତି ଶରଦ ପାୱାର । କହିଛନ୍ତି, ''ବାଲାସାହେବ ଠାକରେଙ୍କ ବିଚାରଧାରା ବିଜେପିଠାରୁ ପୁରା ଅଲଗା ଥିଲା । ମୁଁ ଯେଉଁ ବାଲାସାହେବ ଠାକରେଙ୍କୁ ଜାଣିଛି, ତାଙ୍କର କାମ କରିବାର ତରିକା ବିଜେପି ସହ ମେଳ ଖାଏ ନାହିଁ । ବିଜେପି ଓ ବାଲାସାହେବ ଠାକରେଙ୍କ ଭିତରେ ଆକାଶ-ପାତାଳ ତଫାତ । ହଁ, ଏହା ସତ ଯେ ବାଲାସାହେବ ଠାକରେ ବିଜେପିର କିଛି ନେତାଙ୍କୁ ବହୁତ ସମ୍ମାନ କରୁଥିଲେ । ଏମାନଙ୍କ ଭିତରେ ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡୱାଣୀ ଏବଂ ପ୍ରମୋଦ ମହାଜନ ପ୍ରମୁଖ ରହିଥିଲେ । ଖାସ୍ ଏମାନଙ୍କ ପାଇଁ ହିଁ ସେ ବିଜେପି ସାଥିରେ ଥିଲେ, ମହାରାଷ୍ଟ୍ରରେ  ଶିବସେନା-ବିଜେପି ସରକାର ହୋଇଥିଲା ।''

ସେହିପରି କଂଗ୍ରେସ ଓ ଶିବସେନା ମଧ୍ୟରେ ସବୁବେଳେ ମତପାର୍ଥକ୍ୟ ରହିଥିବା କଥାକୁ ଅସ୍ୱୀକାର କରିଛନ୍ତି ଶରଦ ପାୱାର । ଉଭୟ ଦଳ ମଧ୍ୟରେ ସେତେ ଅଧିକ ମତପାର୍ଥକ୍ୟ କେବେ ବି ନଥିଲା ବୋଲି ସେ କହିଛନ୍ତି । ପାୱାରଙ୍କ କହିବା କଥା ହେଲା, ରାଷ୍ଟ୍ରୀୟ ପ୍ରସଙ୍ଗରେ ନିଜର ଭବିଷ୍ୟତ କଥା ଚିନ୍ତା ନକରି ଶିବସେନା ଆରମ୍ଭରୁ ହିଁ କଂଗ୍ରେସକୁ ସମର୍ଥନ କରିଥିଲା । ଯେଉଁ ସମୟରେ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ସମଗ୍ର ଦେଶ ଏକାଠି ହୋଇଥିଲା, ସେହି ସମୟରେ ବାଲାସାହେବ ଠାକରେ ଇନ୍ଦିରା ଗାନ୍ଧୀଙ୍କ ସାଥିରେ ଥିଲେ । ଏପରିକି ନିର୍ବାଚନରେ ନିଜର ପ୍ରାର୍ଥୀ ମଧ୍ୟ ଦେଇନଥିଲେ । କୌଣସି ରାଜନୈତିକ ଦଳ କେବେ ଏମିତି କରିପାରିବେ କି ବୋଲି ପ୍ରଶ୍ନ କରିଛନ୍ତି ଏନସିପି ମୁଖ୍ୟ । ଏହା କେହି ଚିନ୍ତା ବି କରିପାରିବେ ନାହିଁ । ପ୍ରଥମରୁ ହିଁ ଶିବସେନା ଓ କଂଗ୍ରେସ ମଧ୍ୟରେ ସେମିତି କିଛି ବଡ଼ ମତଭେଦ ନଥିଲା । ଆଉ ଏବେ ସେହି ରାସ୍ତାରେ ଉଦ୍ଧବ ଠାକରେ ଚାଲୁଥିବା କହିଛନ୍ତି ଶରଦ ପାୱାର । 

ଏନସିପି ମୁଖ୍ୟ ଆଗକୁ ଏକଥା ମଧ୍ୟ କହିଛନ୍ତି, ମୋର ଆଉ ଶିବସେନା ମଧ୍ୟରେ କିଛି ପ୍ରସଙ୍ଗରେ ନିହାତି ଭାବେ ମତଭେଦ ଥିଲା । କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ, ଆମେ ପରସ୍ପର ସହ କଥା ମଧ୍ୟ ହେଉନଥିଲୁ । ବର୍ତ୍ତମାନ ଶିବସେନା ସହ ଯେତିକି ଆଲୋଚନା ହେଉଛି, ବାଲାସାହେବ ଠାକରେଙ୍କ ସମୟରେ ତାଠାରୁ ଅଧିକ ଆଲୋଚନା ହେଉଥିଲା ବୋଲି କହିଛନ୍ତି ଶରଦ ପାୱାର । ବାଲାସାହେବ ଠାକରେ କୌଣସି ବ୍ୟକ୍ତିଙ୍କୁ ଲୁଚିଛପି ସାହାଯ୍ୟ କରୁନଥିଲେ । ଅନ୍ୟଦଳର ଲୋକଙ୍କୁ ବି ଖୋଲା ହୃଦୟରେ ସାହାଯ୍ୟ କରୁଥିଲେ । ଭବିଷ୍ୟତ ବିଷୟରେ କୌଣସି ଚିନ୍ତା ନକରି ସାହାଯ୍ୟ କରୁଥିଲେ । ଆଉ ଏନେଇ ନିଜ ଘରର କଥାକୁ ଉଦାହରଣ ଭାବେ ନେଇଛନ୍ତି ଏନସିପି ମୁଖ୍ୟ । ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ଯେତେବେଳେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ୁଥିଲେ, ସେହି ସମୟରେ ଶିବସେନା ପକ୍ଷରୁ ଉକ୍ତ ଆସନରେ ପ୍ରାର୍ଥୀ ଦିଆଯାଇନଥିଲା । ଏହା କେବଳ ବାଲାସାହେବ ଠାକରେଙ୍କ ପକ୍ଷରେ ସମ୍ଭବ ବୋଲି କହିଛନ୍ତି ଶରଦ ପାୱାର । 

ତେବେ ଦେବେନ୍ଦ୍ର ଫଡନାଭିସଙ୍କୁ ନେଇ ମଧ୍ୟ ସାକ୍ଷାତକାର ବେଳେ ଟିପ୍ପଣୀ କରିଥିଲେ ଏନସିପି ମୁଖ୍ୟ । କୌଣସି ବି ନେତା ଜନତାଙ୍କ ପାଖକୁ ଯାଇ ମୁଁ ଫେରିବି ବୋଲି କହିବା ଠିକ ନୁହେଁ । କିନ୍ତୁ ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ ତତକାଳିନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଜନତାଙ୍କ ଆଗରେ ବାରମ୍ବାର ମୁଁ ଫେରିବି, ମୁଁ ଫେରିବି ବୋଲି କହୁଥିଲେ । ଯାହା ମହାରାଷ୍ଟ୍ର ଜନତାଙ୍କୁ ଠିକ୍ ଲାଗିନଥିଲା ବୋଲି ପାୱାର କହିଛନ୍ତି । 

କୌଣସି ବି ନେତା ଏହା ଭାବିବା ଉଚିତ ନୁହେଁ ଯେ, ମୁଁ ସବୁବେଳେ କ୍ଷମତାରେ ରହିବି । ଏହି ଦେଶର ଜନତା ଇନ୍ଦିରା ଗାନ୍ଧୀ, ଅଟଳ ବିହାରୀ ବାଜପେୟୀଙ୍କ ଭଳି ଶକ୍ତିଶାଳୀ ନେତାଙ୍କୁ ମଧ୍ୟ କ୍ଷମତାରୁ ହଟାଇ ଦେଇଥିଲେ । ଯାହାଙ୍କ ସହ ଦିନେ ସମଗ୍ର ଦେଶ ଛିଡ଼ା ହୋଇଥିଲା, ସେମାନଙ୍କୁ ମଧ୍ୟ ବଡ଼ ପରାଜୟ ସାମ୍ନା କରିବାକୁ ପଡ଼ିଥିଲା ବୋଲି କହିଛନ୍ତି ପାୱାର । 

ଯଦି ଆମେ ଲୋକସଭା ନିର୍ବାଚନ ଦେଖିବା ତେବେ ମହାରାଷ୍ଟ୍ର ଜନତା କେନ୍ଦ୍ରରେ ଯେଉଁ ସରକାର ଅଛି, ସେହି ସରକାରଙ୍କ ସପକ୍ଷରେ ହିଁ ଭୋଟ ଦେଇଥିଲେ । ହେଲେ ବିଧାନସଭା ନିର୍ବାଚନରେ ମହାରାଷ୍ଟ୍ରରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା । କେବଳ ମହାରାଷ୍ଟ୍ର କାହିଁକି, ମଧ୍ୟପ୍ରଦେଶ, ରାଜସ୍ଥାନ, ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ମଧ୍ୟ ସେମିତି କିଛି ହୋଇଥିଲା । ଲୋକମାନେ ବିଧାନସଭା ଓ ଲୋକସଭା କ୍ଷେତ୍ରରେ ପୃଥକ ପୃଥକ ଦଳକୁ ଭୋଟ ଦେଇଛନ୍ତି ବୋଲି ସାକ୍ଷାତକାର ବେଳେ କହିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର । 

ଶରଦ ପାୱାର ଆଗକୁ ଆହୁରି ମଧ୍ୟ କହିଛନ୍ତି, ମହାରାଷ୍ଟ୍ରରେ ୩ ଦଳ ମିଶି ସରକାର ଗଢ଼ିଛନ୍ତି । ଆଉ ଏହାର ଫାଇଦା ମହାରାଷ୍ଟ୍ରବାସୀଙ୍କୁ ହେଉଥିବା ନଜର ଆସୁଛି । ମୋର ଏପରି ମନେହେଉଛି । କିନ୍ତୁ ଦୁର୍ଭାଗ୍ୟର କଥା ଏହା ଯେ, ଠିକ ସମୟରେ କୋରୋନା ଆସିଲା । ଯେଉଁଥିପାଇଁ ଅନ୍ୟସବୁ କ୍ଷେତ୍ରକୁ ଆଉ ବିଶେଷ ଧ୍ୟାନ ଦିଆଯାଇପାରୁନାହିଁ । ପୁରା ଫୋକସ କୋରୋନା ମୁକାବିଲା ଦିଗରେ ଦିଆଯାଉଛି । ଯଦି ୩ ଦଳ ଏକାଠି ହୋଇନଥାନ୍ତେ, ତେବେ କୋରୋନା ଭାଇରସକୁ କଣ୍ଟ୍ରୋଲକୁ ଆଣିବା ସମ୍ଭବ ହୋଇନଥାନ୍ତା । ଏବେ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ସାଥିରେ ଥିବା କହିଛନ୍ତି ଏନସିପି ମୁଖ୍ୟ । 

ମହାରାଷ୍ଟ୍ରରେ ଶାସନ କରୁଥିବା ମହାବିକାଶ ଅଘାଡ଼ିରେ କିଛି ମନୋମାଳିନ୍ୟ ଅଛି କି ? ତିନି ଚକିଆ ଗାଡ଼ି(ଶିବସେନା, ଏନସିପି, କଂଗ୍ରେସ) ବେଶି ଦିନ ନୁହେଁ ବୋଲି କହିଆସୁଛି ବିଜେପି । କିନ୍ତୁ ମହାରାଷ୍ଟ୍ରରେ କିଛି ଦିନ ଶାସନ କରିବା ପରେ ଏହି ୩ ଚକିଆ ଗାଡ଼ିର ସମସ୍ତ ଚକ ଯେମିତି ପୁରା ସେଟ ହୋଇଗଲାଣି ! ଦିନେ ଭିନ୍ନ ୩ ବିଚାରଧାରର ଦଳ ମିଶି ସରକାର ଗଢ଼ିବା ଅସମ୍ଭବ ମନେହେଉଥିଲା । କିନ୍ତୁ ସାମନାକୁ ଦେଇଥିବା ସାକ୍ଷାତକାରରେ ଶରଦ ପାୱାର ଯେଉଁ ସବୁ ଗୁରୁତ୍ୱପୂର୍ଣ୍ଣ ପ୍ରତିକ୍ରିୟା ରଖିଛନ୍ତି, ମନେହେଉଛି 'ମହା ବିକାଶ ଅଘାଡ଼ି' ପୁରା ମଜଭୁତ ରହିଛି ।