ଆଇଏସଏସକୁ ଦୁଇ ମହାକାଶଯାତ୍ରୀଙ୍କ ସହ ସ୍ପେସକ୍ରାପ୍ଟ ପଠାଇଲା ଆମେରିକା
Advertisement

ଆଇଏସଏସକୁ ଦୁଇ ମହାକାଶଯାତ୍ରୀଙ୍କ ସହ ସ୍ପେସକ୍ରାପ୍ଟ ପଠାଇଲା ଆମେରିକା

ପ୍ରଥମ ଥର ପାଇଁ ମହାକାଶ ଅଭିମୁଖେ ଘରୋଇ କମ୍ପାନୀର ମହାକାଶଯାନ 

 ଆଇଏସଏସକୁ ଦୁଇ ମହାକାଶଯାତ୍ରୀଙ୍କ ସହ ସ୍ପେସକ୍ରାପ୍ଟ ପଠାଇଲା ଆମେରିକା

ୱାସିଂଟନ: ଇତିହାସ ରଚିଲା ଆମେରିକା । ମହାକାଶ ଇତିହାସର ସ୍ୱର୍ଣ୍ଣାକ୍ଷରରେ ସ୍ଥାନ ପାଇଲା ୩୦ ମଇ । ଜନ୍ ଏଫ୍ କେନେଡି ସେଣ୍ଟରରୁ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ(ଆଇଏସଏସ)କୁ ମହାକାଶଯାନ ପଠାଇଛି ଆମେରିକା । ନାସାର ଦୁଇ ମହାକାଶଚାରୀଙ୍କ ସହ ଆଇଏସଏସ ଅଭିମୁଖେ ସ୍ପେସକ୍ରାପ୍ଟ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ମହାକାଶଯାନକୁ ଘରୋଇ କମ୍ପାନୀ ସ୍ପେସଏକ୍ସ(SpaceX) ପ୍ରସ୍ତୁତ କରିଛି । ଘରୋଇ କମ୍ପାନୀର ମହାକାଶଯାନରେ ଯାତ୍ରୀ ପଠାଇବା ମହାକାଶ ଇତିହାସର ପ୍ରଥମ ଘଟଣା ।  

ଆମେରିକାର ସମୟ ଅନୁସାରେ, ଶନିବାର ଦିନ ୩.୨୨ରେ ସ୍ପେସକ୍ରାପ୍ଟକୁ ଉତକ୍ଷେପଣ କରାଯାଇଥିଲା । ଅର୍ଥାତ ଭାରତୀୟ ସମୟ ରାତି ୧୨ଟା ୫୨ ମିନିଟରେ ଏହା ଉତକ୍ଷେପଣ ହୋଇଛି । ଏହି ସ୍ପେସକ୍ରାପ୍ଟରେ ଦୁଇ ମହାକାଶଚାରୀ ଅଛନ୍ତି । ଆଇଏସଏସକୁ ପହଞ୍ଚିବା ପାଇଁ ଏମାନଙ୍କୁ ୧୯ ଘଣ୍ଟାର ସମୟ ଲାଗିବ । ବାଣିଜ୍ୟିକ ମହାକାଶ ଉଡ଼ାଣରେ ଏହି ମିଶନ ଏକ ନୂଆ ଯୁଗର ଆରମ୍ଭ କରିଛି । 

ତିନ ଦିନ ପୂର୍ବରୁ ଏହି ମହାକାଶଯାନ ଉଦକ୍ଷେପଣ ହେବାର ଥିଲା । ହେଲେ ଖରାପ ପାଗ ଯୋଗୁଁ ଏହାକୁ ବାତିଲ କରାଯାଇଥିଲା । ମିଶିନ ଲଞ୍ଚ ହେବାର ମାତ୍ର ୧୭ ମିନିଟ ପୂର୍ବରୁ ଏପରି ନିଷ୍ପତ୍ତି ନିଆଯାଇଥିଲା । ସେହି ସମୟରେ ପାଗ ଏତେ ଖରାପ ଥିଲା ଯେ, ଦୁଇ ମହାକାଶଚାରୀଙ୍କ ଜୀବନ ପ୍ରତି ବିପଦ ରହିଥିଲା । କ୍ରୁ ମେମ୍ବରଙ୍କ ସୁରକ୍ଷା ଆମର ପ୍ରାଥମିକତା ବୋଲି ନାସା ପକ୍ଷରୁ କୁହାଯାଇଥିଲା । 

କେଉଁଠୁ ଉତକ୍ଷେପଣ ହେଲା ମହାକାଶଯାନ ? 

ଫ୍ଲୋରିଡାର କୋପ୍ କନଭାରାଲରେ ଥିବା ଜନ୍ ଏଫ୍ କେନେଡି ସେଣ୍ଟରରୁ ଏହାକୁ ଉତକ୍ଷେପଣ କରାଯାଇଛି । ୫୦ ବର୍ଷ ପୂର୍ବରୁ ଏହି ସେଣ୍ଟରରୁ ଆପୋଲୋ ମୁନ ମିଶନ ଲଞ୍ଚ ହୋଇଥିଲା । 

ଆମେରିକାର ରାଷ୍ଟ୍ରପତି ମଧ୍ୟ ଥିଲେ ଉପସ୍ଥିତ

ଶନିବାର ଉତକ୍ଷେପଣ ବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉପସ୍ଥିତ ଥିଲେ । ସେହିପରି ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ମଧ୍ୟ ଥିଲେ । ନାସା, ଏଲନ ମସ୍କ ଏବଂ ଦୁଇ ମହାକାଶଚାରୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ଆମେରିକା ପାଇଁ ଆଜିର ଦିନ ଐତିହାସିକ ବୋଲି କହିଥିଲେ ଟ୍ରମ୍ପ ।