ଯଦି ଦଳୀୟ ହ୍ୱିପ ଅବମାନନା ପ୍ରମାଣିତ ହୁଏ, ତେବେ ପାଇଲଟ ଓ ଅନ୍ୟ ୧୮ ବିଧାୟକଙ୍କ ସଦସ୍ୟ ପଦ ରଦ୍ଦ ହୋଇପାରେ ।
Trending Photos
)
ଜୟପୁର/ନୂଆଦିଲ୍ଲୀ: ଗତକାଲି ଉପମୁଖ୍ୟମନ୍ତ୍ରୀ ଓ ରାଜସ୍ଥାନ କଂଗ୍ରେସ ସଭାପତି ପଦରୁ ହଟେଇ ଦିଆଯାଇଥିବା ସଚିନ ପାଇଲଟଙ୍କ ଉପରେ ଆଉ ଏକ ଆକ୍ସନ । ରାଜସ୍ଥାନ ବିଧାନସଭା ବାଚସ୍ପତି ପାଇଲଟଙ୍କୁ ନୋଟିସ ଜାରି କରିଛନ୍ତି । କେବଳ ପାଇଲଟ ନୁହଁନ୍ତି, ତାଙ୍କର ଅନ୍ୟ ୧୮ ସମର୍ଥକ ବିଧାୟକଙ୍କୁ ମଧ୍ୟ ନୋଟିସ ଜାରି କରିଛନ୍ତି ବାଚସ୍ପତି ଡାଃ ସିପି ଯୋଶୀ । ଦଳୀୟ ହ୍ୱିପ ଅବମାନନା ନେଇ ଏହି ନୋଟିସ ଜାରି କରାଯାଇଛି । ଯଦି ଦଳୀୟ ହ୍ୱିପ ଅବମାନନା ପ୍ରମାଣିତ ହୁଏ, ତେବେ ପାଇଲଟ ଓ ଅନ୍ୟ ୧୮ ବିଧାୟକଙ୍କ ସଦସ୍ୟ ପଦ ରଦ୍ଦ ହୋଇପାରେ ।
ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗତକାଲି କଂଗ୍ରେସ ବିଧାୟକ ଦଳ ବୈଠକ ବିଧାନସଭା ପରିସର ଭିତରେ ହୋଇନଥିଲା । ତେଣୁ ଯଦି ପାଇଲଟ କିମ୍ବା ତାଙ୍କ ସମର୍ଥକ ବିଧାୟକଙ୍କ ଉପରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଏ, ତେବେ ଅଦାଲତରେ ଏହାକୁ ଚ୍ୟାଲେଞ୍ଜ ମଧ୍ୟ କରାଯାଇପାରିବ । ଅର୍ଥାତ ପାଇଲଟ କିମ୍ବା ତାଙ୍କ ସମର୍ଥକଙ୍କ ବିଧାୟକ ପଦ ଯଦି ବାଚସ୍ପତି ରଦ୍ଦ କରନ୍ତି, ତେବେ ଏନେଇ ଆଇନର ମଧ୍ୟ ଆଶ୍ରୟ ନେଇପାରିବେ ପାଇଲଟ ।
ବିଜେପିରେ ସାମିଲ ହେବେ ନାହିଁ ସଚିନ ପାଇଲଟ
ତେବେ ଏସବୁ ଭିତରେ ଅନ୍ୟ ଏକ କଥା ମଧ୍ୟ ସାମ୍ନାକୁ ଆସିଛି । ସଚିନ ପାଇଲଟ ବିଜେପିରେ ମିଶିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ସେଥିରେ ଗୋଟିଏ ପ୍ରକାର ପୂର୍ଣ୍ଣଚ୍ଛେଦ ପଡ଼ିଛି । ପାଇଲଟ ଯେ ପଦ୍ମ ଧରିବେ ନାହିଁ, ଖବର ସରୋବରାହ ସଂସ୍ଥା ଏଏନଆଇକୁ ଏଭଳି କିଛି ପ୍ରତିକ୍ରିୟା ଦେଇଛନ୍ତି । ତେବେ ତାଙ୍କର ପରବର୍ତ୍ତୀ ପଦକ୍ଷେପ କ'ଣ ହେବ, ସେନେଇ ସମସ୍ତଙ୍କ ନଜର ରହିଛି ।