ଆଉ ପାକିସ୍ତାରେ ରହିବନି ବେକାରୀ ସମସ୍ୟା। ସମସ୍ତଙ୍କୁ ରୋଜଗାର ଦେବାକୁ ଇମ୍ରାନ ଖାନ ସରକାର କରିଛନ୍ତି ବଡ ଘୋଷଣା।
Trending Photos
)
ଇସଲାମାବାଦ: ପାକିସ୍ତାନରେ ଏବେ ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଯାହା ସେଠାକାର ଇମ୍ରାନ ସରକାରଙ୍କୁ ଚିନ୍ତାରେ ପକାଇଛି। ଏହି ସମସ୍ୟାରୁ ମୁକିଳିବା ପାଇଁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏକ ଯୋଜନା କରିଛନ୍ତି। ଦେଶର ପର୍ଯ୍ୟଟନ କ୍ଷେତ୍ରର ବିକାଶ କରି ଅଧିକରୁ ଅଧିକ ଲୋକଙ୍କୁ ରୋଜଗାରକ୍ଷମ କରାଯିବ ବୋଲି ସେ କହିଛନ୍ତି।
ଗୁରୁବାର ପର୍ଯ୍ୟଟନ ଉପରେ ଜାତୀୟ ସମନ୍ୱୟ କମିଟିର ଏକ ବୈଠକରେ ଅଧ୍ୟକ୍ଷତା କରି ଖାନ କହିଛନ୍ତି ଯେ, ସରକାର ଦେଶର ନରମ ଭାବମୂର୍ତ୍ତିକୁ ପ୍ରୋତ୍ସାହିତ କରିବାକୁ ଚାହୁଁଛନ୍ତି। ଯେଉଁଥିପାଇଁ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଆବଶ୍ୟକ। ପାକିସ୍ତାନର ବିଭିନ୍ନ ଜଳବାୟୁ ମଣ୍ଡଳ ଏବଂ ଅନେକ ପର୍ଯ୍ୟଟନସ୍ଥଳୀ ରହିଛି ଯାହା ବିଶ୍ୱସ୍ତରରେ ପ୍ରୋଜେକ୍ଟ କରାଯାଇପାରିବ।
ଏପରି ହେଲେ ପାକିସ୍ତାନକୁ ଅଧିକ ପର୍ଯ୍ୟଟକ ଆକର୍ଷିତ ହେବେ। ଫଳରେ ଦେଶରେ ନିଯୁକ୍ତି ସୃଷ୍ଟି ଓ ଦେଶ ରାଜସ୍ୱ ବୃଦ୍ଧି ହେବ। ତେବେ ପର୍ଯ୍ୟଟନ ସ୍ଥାନ ପରିଚାଳନା କରିବା ସମୟରେ ପରିବେଶ ସଂରକ୍ଷଣକୁ ସୁନିଶ୍ଚିତ କରାଯିବ। ସେଥିପାଇଁ ସରକାର ଇକୋ-ଟୁରିଜିମ୍ ଉପରେ ଧ୍ୟାନ ଦେଇଛନ୍ତି ବୋଲି ଇମ୍ରାନ କହିଛନ୍ତି।
ଦେଶର ପର୍ଯ୍ୟଟନ କ୍ଷେତ୍ରର ବିକାଶ ତଥା ପ୍ରୋତ୍ସାହନ ପାଇଁ ପ୍ରାଦେଶିକ ସରକାରଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ। ଏହି କ୍ଷେତ୍ରରେ ବହୁ କାର୍ଯ୍ୟ କରାଯାଉଛି ଏବଂ ସମ୍ଭାବ୍ୟ ପର୍ଯ୍ୟଟନ ସ୍ଥାନଗୁଡିକର ଜିଓ ମ୍ୟାପିଂ ଚାଲିଛି। ୨୦୨୦-୨୧ ମଧ୍ୟରେ ୩୦ଟି ପର୍ଯ୍ୟଟନସ୍ଥଳିକୁ ଆନ୍ତର୍ଜାତୀୟ ମାନକ ଦିଆଯିବ ବୋଲି ଆଶାବ୍ୟକ୍ତ କରାଯାଉଛି।
ସେପଟେ ପାକିସ୍ତାନ ନିଜର କାର୍ଯ୍ୟକଳାପକୁ ନେଇ ସର୍ବଦା ବିଶ୍ୱସ୍ତରରେ ଅପମାନ ହୋଇଆସୁଛି। ବିଶେଷ କରି ଆତଙ୍କୀକୁ ନିଜ ଭୁଇଁରେ ଶରଣ ଦେବା ଓ ଟେରର ଫଣ୍ଡି। ଏଥିପାଇଁ ତାକୁ ଗ୍ରେ ତାଲିକାରେ ରଖାଯାଇଛି। ଲଗାତାର ପାକିସ୍ତାନରେ ଆତଙ୍କବାଦୀ ଗତିବିଧି ବୃଦ୍ଧି ପାଉଛି। ଯାହା ବିଦେଶୀ ପର୍ଯ୍ୟଟକଙ୍କ ପାଇଁ କେତେ ସୁରକ୍ଷିତ ହେବ ତାହାକୁ ନେଇ ପ୍ରଶ୍ନ ଉଠିଛି।