)
ନୂଆଦିଲ୍ଲୀ: କୋରୋନା ଭାଇରସ ମୁକାବିଲାରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ତଥା ବର୍ତ୍ତମାନ ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କ ତରଫରୁ ସାହାଯ୍ୟ ଯୋଗାଇ ଦିଆଯାଉଛି । ସେ ଦିଲ୍ଲୀ ସରକାର ଏବଂ ପିଏମ ଫଣ୍ଡ ସମେତ କୋଟି କୋଟି ଟଙ୍କା ଦାନ କରିଛନ୍ତି । ଅନ୍ୟପକ୍ଷେ ଗମ୍ଭୀର ପାକିସ୍ତାନ ବିରୋଧରେ ଦେଇଥିବା ବୟାନକୁ ନେଇ ସର୍ବଦା ଚର୍ଚ୍ଚାରେ ଥାଏ । ଏହି ସମୟରେ ଗମ୍ଭୀର ତାଙ୍କ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ପାକିସ୍ତାନର ଏକ ଡାକ୍ତରଖାନାରେ ଡାକ୍ତରମାନେ କୋରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା କରୁଥିବାବେଳେ ନାଚୁଛନ୍ତି । ଗମ୍ଭୀର ଭିଡିଓ ସେୟାର କରି ଟ୍ୱିଟ୍ କରି କହିଛନ୍ତି ଯେ, 'କୋରୋନା ତୁମେ ଯେଉଁଠାରେ ଥାଅ ଶୁଣି ନିଆ ।'
ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଏହି ଭିଡିଓରେ ଡାକ୍ତରମାନେ ଡ୍ୟାନ୍ସ ଏବଂ ଥଟ୍ଟା ମଜା କରି ରୋଗୀମାନଙ୍କ ଭିତରେ ସକରାତ୍ମକ ଚିନ୍ତାଧାରା ସୃଷ୍ଟି କରୁଛନ୍ତି । ଗମ୍ଭୀର ଡାକ୍ତରଙ୍କ ଏହି କାର୍ଯ୍ୟକୁ ସଲାମ ଜଣାଇ ଟ୍ୱିଟ୍ କରିଛନ୍ତି । ଗମ୍ଭୀର ଟ୍ୱିଟ୍ କରି ହ୍ୟାଶଟ୍ୟାଗରେ ନୂଆ ପାକିସ୍ତାନ ଲେଖିଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓକୁ ଅନେକ ଲୋକ ପସନ୍ଦ କରୁଛନ୍ତି ।
ସୂଚନାଯୋଗ୍ୟ, ପାକିସ୍ତାନରେ କୋରୋନା ଭାଇରସ୍ ସଂକ୍ରମଣ ମାମଲା ୫,୦୦୦ରୁ ଅଧିକ ହୋଇଥିବାବେଳେ ୮୫ରୁ ଅଧିକ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।