Sunita Williams: ଅପେକ୍ଷାର ଘଟିଲା ଅନ୍ତ। ଦିର୍ଘ ୯ ମାସ ପରେ ମହାକାଶରୁ ଫେରିଲେ ସୁନୀତା ୱିଲିୟମ୍ସ । ଭାରତୀୟ ସମୟ ଭୋର ୩ଟା ୨୭ ମିନିଟରେ ସମୁଦ୍ରରେ ଲ୍ୟାଣ୍ଡ ହୋଇଛି । ସୁନୀତା ୱିଲିୟମ୍ସ ଓ ତାଙ୍କ ସାଥୀ ଫେରିଛନ୍ତି।
ଭାରତୀୟ ସମୟ ଭୋର ୩ଟା ୨୭ ମିନିଟରେ ଆମେରିକାର ଫ୍ଲୋରିଡ଼ାରେ ଅବତରଣ କରିଛନ୍ତି ସୁନୀତା, ବଚ ୱିଲମୋର ଓ ଅନ୍ୟ ୨ ସାଥୀ ଆମେରିକାର ନିକ୍ ହେଗ୍ ଓ ରୁଷିଆର ଆଲେକଜାଣ୍ଡାର ଗୋର୍ବୁନୋଭ। ମହାକାଶଚାରୀଙ୍କୁ ଆଣିବାକୁ ଯାଇଥିଲା ସ୍ପେସ୍ ଏକ୍ସର ଡ୍ରାଗନ ସ୍ପେସକ୍ରାଫ୍ଟ।
ପ୍ରାୟ ୯ ମାସ ହେଲା ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନରେ ଫସି ରହିଥିଲେ ସୁନୀତା ଏବଂ ୱିଲମୋର। ଗତ ବର୍ଷ ଜୁନ ୫ ତାରିଖରେ ସେମାନେ ISS କୁ ଯାଇଥିଲେ। ଏକ ମରାମତି କାମ କରିବାକୁ ଯାଇଥିଲେ ସୁନୀତା ଓ ବଚ୍ ।
ସୂଚନାଯୋଗ୍ୟ, କିଛି ଦିନରେ କାମ ଶେଷ କରି ସେମାନେ ବୋଇଂ ଷ୍ଟାରଲାଇନର୍ ରେ ଫେରିବାର ଥିଲା। କିନ୍ତୁ ଏହି ମହାକାଶଯାନରେ ତ୍ରୁଟି ଦେଖାଯିବାରୁ ସେମାନେ ଫେରି ପାରିନଥିଲେ। ଏପରିକି ସେମାନଙ୍କ ଫେରିବାକୁ ନେଇ ବହୁତ ଅନିଶ୍ଚିତତା ଦେଖା ଦେଇଥିଲା। ପୃଥିବୀ ପୃଷ୍ଠରୁ ଆଉ ଏକ ମହାକାଶଯାନ ପଠାଇବାରୁ ବ୍ୟବସ୍ଥା ହୋଇଥିଲା।
ଶେଷରେ ଏଲନ୍ ମସ୍କଙ୍କ ସ୍ପେସ୍ ଏକ୍ସ ସଂସ୍ଥା ପକ୍ଷରୁ ଡ୍ରାଗନକୁ ପଠା ଯାଇଥିଲା। ଗତ ମାର୍ଚ୍ଚ ୧୫ ତାରିଖରେ ସ୍ପେସଏକ୍ସରେ ଯାଇଥିଲେ ନାସାର ଆନ୍ନେ ମାକଲେନ, ନିକୋଲ ଆୟର୍ସ, ଜାପାନର ତାକୁୟୁ ଓନିସି ଓ ରୁଷର କିରିଲ ପେସକୋଭ । ମହାକାଶରେ ସର୍ବାଧିକ କାଳ ରହିଥିବା ଯାତ୍ରୀ ହେଉଛନ୍ତି ରୁଷୀୟ କସମୋନାଟ ଭାଲେରି ପୋଲ୍ଯାକୋଭ । ସେ ମୋଟ ୪୩୭ ଦିନ ମହାକାଶରେ ରହିଥିଲେ । ସେହିପରି ଆମେରିକୀୟ ଆଷ୍ଟ୍ରୋନଟ ଫ୍ରାଙ୍କ ରୁବିଓ ଦ୍ବିତୀୟ ସର୍ବାଧିକ ୩୭୧ ଦିନ ରହିଥିଲେ ।
ସେପଟେ, ମହାକାଶଚାରୀଙ୍କ ସଫଳ ପ୍ରତ୍ୟାବର୍ତ୍ତନ ନେଇ ଖୁସି ବ୍ୟକ୍ତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ସେ ଏନେଇ ଏକ ଏକ୍ସ ଜରିଆରେ ଏକ ବାର୍ତ୍ତା ଦେଇଛନ୍ତି। ‘କ୍ରିଉ ମେମ୍ବରଙ୍କ ସହ ଭାରତର ଝିଅ ସୁନୀତାଙ୍କ ସଫଳ ପ୍ରତ୍ୟାବର୍ତ୍ତନ’। ‘ସୁନୀତାଙ୍କ ଅବିଶ୍ବସନୀୟ ଯାତ୍ରା, ସମର୍ପଣ, ଲଢ଼ୁଆ ମନୋଭାବ ସମସ୍ତଙ୍କୁ ପ୍ରେରଣା ଦେବ’। ସୁନୀତାଙ୍କ ସାହାସ ଓ ସଫଳତା ସମସ୍ତଙ୍କୁ ଗର୍ବିତ କରେ ବୋଲି ସେ କହିଛନ୍ତି।
ट्रेन्डिंग फोटोज़