ଜମା ଛାଡ଼ିବେନି ପାଇଲଟ...
Advertisement

ଜମା ଛାଡ଼ିବେନି ପାଇଲଟ...

ସୂତ୍ର ଅନୁସାରେ ଜଣାପଡ଼ିଛି, ଗିରିରାଜ ମଲିଙ୍ଗାଙ୍କୁ ଲିଗାଲ ନୋଟିସ୍ ମଧ୍ୟ ପଠାଇଛନ୍ତି ସଚିନ । 

ଫାଇଲ ଫଟୋ

ନୂଆଦିଲ୍ଲୀ: ପାଇଲଟ କୁଆଡ଼େ ବିଏସପିରୁ କଂଗ୍ରେସରେ ସାମିଲ ହୋଇଥିବା ଜଣେ ବିଧାୟକଙ୍କୁ ଦଳ ପରିବର୍ତ୍ତନ ପାଇଁ ୩୫ କୋଟି ଟଙ୍କାର ଅଫର କରିଥିଲେ । ଗେହଲଟ କ୍ୟାମ୍ପର ବିଧାୟକ ଗିରିରାଜ ମଲିଙ୍ଗା(Giriraj Malinga) ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି । ଯାହାକୁ ଭିତ୍ତିହୀନ କହିଥିଲେ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବିଦ୍ରୋହୀ ବିଧାୟକ ସଚିନ ପାଇଲଟ । ଏବେ ସୂତ୍ର ଅନୁସାରେ ଜଣାପଡ଼ିଛି, ଗିରିରାଜ ମଲିଙ୍ଗାଙ୍କୁ ଲିଗାଲ ନୋଟିସ୍ ମଧ୍ୟ ପଠାଇଛନ୍ତି ସଚିନ । ଅବଶ୍ୟ ଏଭଳି ଅଭିଯୋଗ ଆସିବା ପରେ ହିଁ ଅଭିଯୋଗ ଆଣୁଥିବା ବିଧାୟକଙ୍କ ବିରୋଧରେ ଆଇନ ଅନୁସାରେ ଉଚିତ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବି ବୋଲି କହିଥିଲେ ପାଇଲଟ । 

ଅଭିଯୋଗ ଆସିବା ପରେ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ କହିଥିଲେ, ଏଭଳି ଅଭିଯୋଗକୁ ନେଇ ମୁଁ ଦୁଃଖିତ । ଏହା ମୋତେ ବଦନାମ କରିବା ପାଇଁ ଏକ ଷଡ଼ଯନ୍ତ୍ର । କେବଳ ଏତିକି ନୁହେଁ, ଅସଲ ମୁଦ୍ଦାରୁ ଧ୍ୟାନ ହଟାଇବା ପାଇଁ ମୋ ନାଁରେ ଏଭଳି ଅଭିଯୋଗ ଅଣାଯାଇଛି । ସେହିପରି ଏନେଇ ଆଇନର ସାହାଯ୍ୟ ନେବି ବୋଲି ମଧ୍ୟ କହିଥିଲେ ସଚିନ । ତାଙ୍କ ଉପରେ ମନଗଢ଼ା ଅଭିଯୋଗ ଅଣାଯାଇଥିବା ସେ କହିଥିଲେ । 

କ'ଣ ଅଭିଯୋଗ ଆଣିଥିଲେ ଗିରିରାଜ ?  

ଗତବର୍ଷ ବିଏସପିରୁ ଆସି କଂଗ୍ରେସରେ ମିଶିଥିବା ବିଧାୟକ ଗିରିରାଜ ମଲିଙ୍ଗା ଏବେ ଏଭଳି ସାଂଘାତିକ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ଏହା ଯେ, ପଦ୍ମ ଧରିବା ପାଇଁ ପାଇଲଟ ତାଙ୍କୁ ୩୫ କୋଟି ଟଙ୍କାର ଅଫର କରିଥିଲେ । କିନ୍ତୁ ସେ ଏହାକୁ ମନା କରିଦେଇଥିଲେ । ଏହା ଗତ ବର୍ଷ ଡିସେମ୍ବର ମାସର ଘଟଣା ବୋଲି କହିଥିଲେ ଗିରିରାଜ । 

ଗିରିରାଜ ଆହୁରି ମଧ୍ୟ କହିଥିଲେ, ପଦ୍ମ ଧରିବା ପାଇଁ ସଚିନ ପାଇଲଟ ମୋ ସହ କଥାବାର୍ତ୍ତା କରିଥିଲେ । ଏପରିକି କେତେ ଦରକାର(ଟଙ୍କା) ବୋଲି ମଧ୍ୟ ପ୍ରଶ୍ନ କରିଥିଲେ ? ଆଉ ୩୫ କୋଟିର କଥା କହିଥିଲେ । ତେବେ ଗିରିରାଜଙ୍କ କହିବା ଅନୁଯାୟୀ, ''ସେ ଏହାକୁ ମନା କରିଦେଇଥିଲେ । ବିଏସିପିରେ ଏଭଳି କିଛି କଥାବାର୍ତ୍ତା ଯୋଗୁ ସେ ଦଳ ଛାଡ଼ି କଂଗ୍ରେସକୁ ପଳାଇ ଆସିଥିଲେ । କିନ୍ତୁ ଯଦି ଟଙ୍କା ପାଇଁ ପଦ୍ମ ଧରିବେ, ତେବେ ଜନତା ତାଙ୍କୁ କ'ଣ କହିବେ ବୋଲି ପାଇଲଟଙ୍କୁ ପ୍ରଶ୍ନ ମଧ୍ୟ କରିଥିଲେ ।''

ତେବେ ଏହି କଥା ସେହି ସମୟରେ ହିଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ କହିଥିବା କହିଛନ୍ତି ଗିରିରାଜ । ଦଳକୁ ବିଭାଜିତ କରିବା ପାଇଁ ଉଦ୍ୟମ ହେଉଥିବା ମୁଁ ସେବେଠୁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିବା ଗଣମାଧ୍ୟମ ସାମ୍ନାରେ କହିଛନ୍ତି । 

ପାଇଲଟଙ୍କ ବିରୋଧରେ ଗିରିରାଜ କେତେ ସତ କେତେ ମିଛ ଗପିଛନ୍ତି, ସେକଥା ତ ସ୍ପଷ୍ଟ ଜଣାପଡ଼ିନି । ହେଲେ ଏବେ ପାଇଲଟଙ୍କ ଲିଗାଲ ନୋଟିସର ଉତ୍ତର ଗିରିରାଜଙ୍କୁ ଦେବାକୁ ପଡ଼ିବ ।