ଲକଡାଉନ୍ ୫.O ନେଇ ମୋଦି-ଶାହଙ୍କ ମହାମନ୍ଥନ
Advertisement
Article Detail0/zeeodisha/odisha688191

ଲକଡାଉନ୍ ୫.O ନେଇ ମୋଦି-ଶାହଙ୍କ ମହାମନ୍ଥନ

ଲକଡାଉନ ୫.୦ରେ ମୁଖ୍ୟତଃ ୧୧ଟି ସହର ଉପରେ ରହିବ ଫୋକସ୍ । ଦିଲ୍ଲୀ, ମୁମ୍ବାଇ, ବେଙ୍ଗୁଳୁରୁ, ପୁନେ, ଥାନେ, ଇନ୍ଦୋର, ଚେନ୍ନାଇ, ଅହମ୍ମଦାବାଦ, ଜୟପୁର, ସୁରତ ଓ କଲିକତା ରହିଛି । ଏହି ସବୁ ସହରରେ କୋରୋନା ପଜିଟିଭ ସଂଖ୍ୟା ଅଧିକ ରହିଛି ।

ଫାଇଲ ଫଟୋ
ଫାଇଲ ଫଟୋ

ଶୁଭଶ୍ରୀ ମହାପାତ୍ର, ଭୁବନେଶ୍ୱର: ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ପରବର୍ତ୍ତୀ ଲକଡାଉନ୍ ସମ୍ପର୍କରେ ଆଲୋଚନା ହୋଇଛି । କୋରୋନା ଭାଇରସ ଓ ଆଗାମୀ ଦିନରେ ଲକଡାଉନ୍ ବୃଦ୍ଧି କରାଯିବ କି ନାହିଁ, ବୈଠକରେ ମତ ପ୍ରକାଶ ପାଇଛି  । ୩୧ ମଇରେ ଚତୁର୍ଥ ପର୍ଯ୍ୟାୟ ତାଲା ବନ୍ଦ ସରୁଛି । ଏହା ପୂର୍ବରୁ ଶାହ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଠାରୁ ମିଳିଥିବା କୋରୋନା ତଥ୍ୟକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ଉପସ୍ଥାପନ କରିଛନ୍ତି । ମିଳିଥିବା ତଥ୍ୟ ଆଧାରରେ କିଛି ରାଜ୍ୟ ଲକ୍ ଡ଼ାଉନ ଆଗାମୀ ଦିନରେ ବଢ଼ାଇବାକୁ ଚାହୁଁଛନ୍ତି । ଅର୍ଥାତ୍ ୫.୦ ସପକ୍ଷରେ ମତ ରଖିଛନ୍ତି । କିନ୍ତୁ ତାଲା ବନ୍ଦ ଭିତରେ ମଧ୍ୟ କିଛି କ୍ଷେତ୍ରରେ କୋହଳ ପ୍ରକ୍ରିୟା ଆପଣାଇବାକୁ ଚାହୁଁଛନ୍ତି ।

କାହିଁକି ଲକ୍ ଡାଉନ ବଢାଇବାକୁ ଚାହୁଁଛନ୍ତି ବିଭିନ୍ନ ରାଜ୍ୟ ?

କିଛି ରାଜ୍ୟରେ କୋରୋନା ସ୍ଥିତି ସଙ୍ଗୀନ ରହିଛି । ମହାରାଷ୍ଟ୍ର, ତାମିଲନାଡ଼ୁ, ରାଜସ୍ଥାନ, ଗୁଜୁରାଟ, ଦିଲ୍ଲୀ, ମଧ୍ୟପ୍ରଦେଶ ଆଦି ରାଜ୍ୟରେ ପଜିଟିଭ୍ ସଂଖ୍ୟା ଅଧିକ ରହିଛି । ଆସାମ ଭଳି ରାଜ୍ୟରେ ଗତ ୪ ଦିନରେ କୋଭିଡ ୧୯ର ଗ୍ରାଫ୍ ଅଧିକ ରହିଛି । ଲକଡାଉନ ଉଠିଗଲେ କୋରୋନା ସଂକ୍ରମଣ ବୃଦ୍ଧିର ସମ୍ଭାବନା ରହୁଛି । ଏପରିସ୍ଥଳେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି ଯେ, ଅତିକମରେ ଆହୁରି ୧୫ ଦିନ ଅଧିକ ତାଲା ବନ୍ଦର ଆବଶ୍ୟକତା ରହୁଛି । ଏହାରି ଭିତରେ ରେସ୍ତୋରାଁ, GYM ଆଦି ସାମାଜିକ ଦୂରତ୍ୱ ଗାଇଡଲାଇନ୍ ହିସାବରେ ଖୋଲିବାକୁ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ।

ଲକଡାଉନ ବଢିଲେ କେଉଁ କ୍ଷେତ୍ରରେ କରାଯିବ କୋହଳ ?

ଯଦି ତାଲାବନ୍ଦ ବଢ଼ାଯାଏ, ତେବେ ଅନେକ କ୍ଷେତ୍ରରେ ମିଳିବ ଛାଡ଼ । ବିଶେଷତଃ କୋରୋନା ସଂକ୍ରମିତ ହେଉଥିବା ରାଜ୍ୟ ଗୁଡ଼ିକରେ ସରକାରଙ୍କ ଫୋକସ୍ ରହିବ । ଦିଲ୍ଲୀ, ମୁମ୍ବାଇ, ବେଙ୍ଗୁଳୁରୁ, ପୁନେ, ଥାନେ, ଇନ୍ଦୋର, ଚେନ୍ନାଇ, ଅହମ୍ମଦାବାଦ, ଜୟପୁର, ସୁରତ ଓ କଲିକତା ରହିଛି । ସ୍କୁଲ ଓ କଲେଜ ବନ୍ଦ ରହିବ । ଇଣ୍ଟରନ୍ୟାସନାଲ ଫ୍ଲାଇଟ୍ ଉଡ଼ାଣ ଉପରେ କଟକଣା ଲାଗିବ । ଧାର୍ମିକ ସ୍ଥାନ ବା ମନ୍ଦିର ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ । ସେଲୁନ ଖୋଲା ସରିଛି । GYM ଓ ସପିଂ ମଲ୍ ଖୋଲିବା ନିଷ୍ପତ୍ତି ମଧ୍ୟ ରାଜ୍ୟ ସରକାର ନେବେ ।

ଆରମ୍ଭ ହୋଇପାରେ କି ମେଟ୍ରୋ ସେବା ?

ଦେଶରେ ରେଳ ଓ ଏୟାର ଟ୍ରାନ୍ସପୋର୍ଟ ୨୫ ମାର୍ଚ୍ଚରେ ଲକ୍ ଡ଼ାଉନ ସହିତ ବନ୍ଦ କରିଦିଆଯାଇଥିଲା । ଏବେ ରେଳବାଇ କିଛି ରୁଟରେ ସ୍ପେଶାଲ୍ ରେଳ ଚଳାଚଳ ଆରମ୍ଭ କରିଛି । ଏହା ସହିତ ମଇ ୨୫ରୁ ଘରୋଇ ଉଡାଣ ମଧ୍ୟ ଆରମ୍ଭ ହୋଇଯାଇଛି । ଲୋକାଲ୍ ସ୍ତରରେ ଅର୍ଥନୈତିକ କାର୍ଯ୍ୟକଳାପ ଆରମ୍ଭ ପାଇଁ ମେଟ୍ରୋ ରେଳ ସେବା ଆରମ୍ଭ କରିଦିଆଯିବ । ମେଟ୍ରୋ ଭିତରେ ଗୋଟିଏ ସିଟ୍ ଛାଡ଼ି ଯାତ୍ରୀ ବସିବେ । ସାମାଜିକ ଦୂରତ୍ୱ ନମାନିଲେ ଜରିମାନା ଆଦାୟ କରାଯିବ ।

;