ନୂଆଦିଲ୍ଲୀ: ଗତ ବର୍ଷ ସମଗ୍ର ବିଶ୍ୱକୁ ଆତଙ୍କିତ କରି ରଖିଥିବା କୋରୋନା ମହାମାରୀ କାରଣରୁ ଆନ୍ତର୍ଜାତୀୟ ସ୍ତରରେ ଅନୁଷ୍ଠିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ପ୍ରଭାବିତ ହୋଇଥିଲା। ଧିରେ ଧିରେ ସ୍ଥିତି ସୁଧାରିବା ବିଭିନ୍ନ ଦେଶଙ୍କୁ ନେଇ ଅନୁଷ୍ଠିତ ହେଉଥିବା ସମ୍ମିଳନୀକୁ ପୁଣି ଥରେ ସ୍ୱାଭାବିକ ଢଙ୍ଗରେ ଆୟୋଜନ କରିବା ନେଇ ଆରମ୍ଭ ହୋଇଯାଇଛି ପ୍ରୟାସ।
ଏହି କ୍ରମରେ ଚଳିତ ବର୍ଷ ବ୍ରିଟେନ ଠାରେ ଆୟୋଜିତ ହେବାକୁ ଯାଉଛି ଜି୭ ଶିଖର ସମ୍ମେଳନ (G7 Summit)। ଏହି ସମ୍ମିଳନୀରେ ଭାଗ ନେବା ପାଇଁ ଭାରତୀୟ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ। ଜି୭ ସଙ୍ଗଠନର ସଦସ୍ୟ ରାଷ୍ଟ୍ର ହେଉଛନ୍ତି କାନାଡା, ଫ୍ରାନ୍ସ,, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ ଏବଂ ଯୁକ୍ତରାଷ୍ଟ୍ର ଆମେରିକା।
ବ୍ରିଟେନର କର୍ଣ୍ଣବଲ ଠାରେ ଜୁନ ୧୧-୧୩ ତାରିଖ ମଧ୍ୟରେ ଆୟୋଜିତ ହେବାକୁ ଯାଉଛି ଜି୭ ସମ୍ମିଳନୀ। ଏହି କାର୍ଯ୍ୟକ୍ରମରେ ବିଶ୍ୱର ୭ଟି ପ୍ରମୁଖ ଦେଶର ରାଷ୍ଟ୍ରମୁଖ୍ୟ ଅଂଶଗ୍ରହଣ କରିବେ। ଏହି ସମ୍ମିଳନୀରେ ବିଶ୍ୱ ମହମାରୀ କୋରୋନା ଭାଇରସର ମୁକାବିଲା ଏବଂ ଜଳବାୟୁ ପରିବର୍ତ୍ତନ କାରଣକୁ ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ କିପରି କରାଯିବ ସେ ପ୍ରସଙ୍ଗରେ ଆଲୋଚନା କରାଯିବ। ଚଳିତ ବର୍ଷ ମଧ୍ୟଭାଗରେ ବ୍ରିଟେନରେ ଆୟୋଜିତ ଜି୭ ଶିଖର ସମ୍ମେଳନରେ ଏହି ସଙ୍ଗଠନର ସଦସ୍ୟ ରାଷ୍ଟ୍ରଙ୍କ ବ୍ୟତୀତ ଭାରତ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ ଆଦି ଦେଶକୁ ଯୋଗଦେବା ଲାଗି ଆମନ୍ତ୍ରଣ କରାଯାଇଛି।
Also Read: ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ବ୍ରିଟେନ ପ୍ରଧାନମନ୍ତ୍ରୀ
କୋରୋନା ମହାମାରୀ ମୁକାବିଲା କ୍ଷେତ୍ରରେ ଭାରତ ସରକାର ନେଇଥିବା ପଦକ୍ଷେପକୁ ପ୍ରଂଶସା କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଜନସନ। ଏନେଇ କୋରୋନା ସଂକଟ କାଳରେ ଭାରତ-ବ୍ରିଟେନ ମିଳିତ ଭାବେ କାମ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ନିୟମିତ ଭାବେ ମୁଁ ଲଗାତାର ଭାବେ କଥାବାର୍ତ୍ତା ଜାରି ରଖିଥିଲି। ବିଶ୍ୱର ସର୍ବବୃହତ ଫାର୍ମାସି ଭାବରେ ଭାରତ ୫୦ ପ୍ରତିଶତରୁ ଅଧିକ ଟିକା ଯୋଗାଇ ଦେଇଛି।
Also Read: ବୋରିସଙ୍କ ଭାରତ ଗସ୍ତ ବାତିଲ; କିଏ ହେବ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି?
ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆୟୋଜିତ ହେଉଥିବା ପ୍ୟାରେଡରେ ଯୋଗଦେବା ଲାଗି ବ୍ରିଟେନ ପ୍ରଧାନମନ୍ତ୍ରୀ ଜନସନଙ୍କୁ ମିଳିଥିଲା ନିମନ୍ତ୍ରଣ। ମାତ୍ର ବ୍ରିଟେନ ସମେତ ବିଭିନ୍ନ ୟୁରୋପୀୟ ଦେଶେ କୋରୋନା ଷ୍ଟ୍ରେନ ବ୍ୟାପିବା ଫଳରେ ପ୍ରସ୍ତାବିତ ଭାରତ ଗସ୍ତକୁ ବାତିଲ କରିଥିଲେ ସେ। ଏନେଇ ପ୍ରଧାନମନ୍ତ୍ରୀ ଜନସନ କହିଥିଲେ ସାମ୍ପ୍ରତିକ ସ୍ଥିତିରେ ବିଦେଶ ଯାତ୍ରା କରିବା ଅପେକ୍ଷା ଦେଶରେ ରହିବା ମୋ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଜି୭ ଶିଖର ସମ୍ମିଳନୀ ପୂର୍ବରୁ ଭାରତ ଗସ୍ତରେ ଆସିବେ ବ୍ରିଟିଶ ପ୍ରଧାନମନ୍ତ୍ରୀ।