)
ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର ସମେତ ଦେଶର ଅନେକ ସ୍ଥାନରେ ବର୍ଷା ଜାରି ରହିଛି । ଫଳରେ ଅନେକ ସ୍ଥାନରେ ରାବଣ ଦହନ (ରାବଣ ପୋଡି) କାର୍ଯ୍ୟକ୍ରମ ବାତିଲ କରାଯାଇଥିବା ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇନ୍ଦ୍ରପ୍ରସ୍ଥ ଏକ୍ସଟେନସନରେ ଅନୁଷ୍ଠିତ ରାବଣ ପୋଡି କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା କିନ୍ତୁ ତାହା ବାତିଲ୍ ହୋଇଛି। ସେହିପରି ବର୍ଷା କାରଣରୁ ଗୃହମନ୍ତ୍ରୀ ଅମିତ ଶାହଙ୍କ ପିତାମପୁରା କେଶବ ରାମଲୀଳା ଗସ୍ତ ବାତିଲ ହୋଇଛି।
କେବଳ ରାଜଧାନୀ ନୁହେଁ, ଓଡ଼ିଶା ସମେତ ସମେତ ଦେଶର ଅନେକ ସହରରେ ପ୍ରବଳ ବର୍ଷା ଯୋଗୁଁ ରାବଣ ପୋଡି ସମାରୋହ ପ୍ରଭାବିତ ହୋଇଛି । ଦିଲ୍ଲୀ, ନୋଏଡା ଏବଂ ପାଟନା ସମେତ ଦେଶର ଅନେକ ସ୍ଥାନରେ ରାବଣ ପୁତ୍ତଳିକା କେଉଁଠି ପଡ଼ି ଯାଇଥିଲା ପୁଣି କେଉଁଠି ଅଧାରୁ ଭାଙ୍ଗି ଯାଇଥିଲା। ରାବଣ ପୋଡି ଦେଖିବାକୁ ଆସିଥିବା ଲୋକମାନେ ବର୍ଷାରେ ଭିଜି ଘରକୁ ଫେରିଥିଲେ। ଦିଲ୍ଲୀର ରାମଲୀଳା ମୈଦାନରୁ ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି, ଯେଉଁଥିରେ ଲୋକମାନେ ବର୍ଷା ଯୋଗୁଁ ହୋର୍ଡିଂ ତଳେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା ।
ଇନ୍ଦ୍ରପ୍ରସ୍ଥ ରାମଲୀଳା ମୈଦାନରେ ଦଶହରା ଉତ୍ସବ ଫିକା ପଡିଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଗମନ ପୂର୍ବରୁ ମଧ୍ୟ ରାବଣଙ୍କ ପ୍ରତିମୂର୍ତ୍ତି ଓଦା ହୋଇଯାଇଥିବା ଦେଖିବାକୁ ମିଳିଥିଲା। ଯାହା ଫଳରେ ଆୟୋଜକମାନେ ଏହାକୁ ଘୋଡ଼ାଇବାକୁ ଚେଷ୍ଟା କରିଥିଲେ ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲାଲକିଲ୍ଲାରେ ଶ୍ରୀ ଧାର୍ମିକ ଲୀଳା ସମିତିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ପ୍ରତୀକାତ୍ମକ ଭାବରେ ଏକ ତୀର ମାରି ରାବଣଙ୍କ ପ୍ରତିମୂର୍ତ୍ତି ଦହନ କରିଥିଲେ ରାଷ୍ଟ୍ରପତି । ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ, ଭାରତୀୟ ସେନାର ଅପରେସନ ସିନ୍ଦୂର ଆତଙ୍କବାଦର ରାବଣ ଉପରେ ମାନବତାର ବିଜୟକୁ ପ୍ରତୀକ କରେ। ରାଷ୍ଟ୍ରପତି ଏକଥା ମଧ୍ୟ କହିଥିଲେ ଯେ, "ଯେତେବେଳେ ଆତଙ୍କବାଦର ରାକ୍ଷସ ମାନବତା ଉପରେ ଆକ୍ରମଣ କରେ, ସେତେବେଳେ ଏହାକୁ ହତ୍ୟା କରିବା ଜରୁରୀ ହୋଇପଡେ। ଏହି ଅଭିଯାନ ଆତଙ୍କବାଦର ରାବଣ ଉପରେ ମାନବତାର ବିଜୟର ପ୍ରତୀକ। ଏଥିପାଇଁ, ଆମେ ଭାରତ ମାତାକୁ ସୁରକ୍ଷା ଦେଉଥିବା ଯୋଦ୍ଧାମାନଙ୍କୁ ନିକଟରେ ନତମସ୍ତକ।"