)
PM Narendra Modi Bhavnagar Visit: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାବନଗର ଗସ୍ତ ଅବସରରେ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତଚି । ମୋଦୀ କହିଥିଲେ ଯେ, ହ୍ରାସ ପାଇଥିବା GST ହାର ଏହି ଉତ୍ସବର ମହତ୍ୱକୁ ଆହୁରି ବୃଦ୍ଧି କରିଛି। ଏହି ଉତ୍ସବର ପରିବେଶ ମଧ୍ୟରେ ଆମେ ସମୁଦ୍ରରୁ ସମୃଦ୍ଧିର ମହାନ ଉତ୍ସବ ପାଳନ କରୁଛୁ।
ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ୨୧ ଶତାବ୍ଦୀର ଭାରତ ସମୁଦ୍ରକୁ ଏକ ବିରାଟ ସୁଯୋଗ ଭାବରେ ଦେଖୁଛି। କାରଣ ବନ୍ଦର-ନେତୃତ୍ୱଗତ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରାଯାଇଛି । ଦେଶରେ କ୍ରୁଜ୍ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଆଜି ମୁମ୍ବାଇରେ ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ ମଧ୍ୟ ଉଦଘାଟନ କରାଯାଇଥିଲା।
ପ୍ରଧାନମନ୍ତ୍ରୀ ମୋଦୀ ଏକଥା ମଧ୍ୟ କହିଥିଲେ ଯେ, ଭାରତର କୌଣସି ଶତ୍ରୁ ନାହିଁ। ଭାରତ ବିଶ୍ୱବ୍ୟାପୀ ଭାଇଚାରାର ମନୋଭାବ ନେଇ ଆଗକୁ ବଢ଼ୁଛି। ଯଦି ଆମର କୌଣସି ଶତ୍ରୁ ଅଛନ୍ତି ତେବେ ତାହା ହେଉଛି ଅନ୍ୟ ଦେଶ ଉପରେ ଆମର ନିର୍ଭରଶୀଳତା। ଏହି ଶତ୍ରୁ ତଥା ନିର୍ଭରଶୀଳତାକୁ ପରାସ୍ତ କରିବା ପାଇଁ ଆମକୁ ଏକ ହେବା ଉଚିତ। ଆମକୁ ସର୍ବଦା ଏହା ଦୋହରାଇବାକୁ ପଡିବ ଯେ, ବୈଦେଶିକ ନିର୍ଭରଶୀଳତା ଯେତେ ଅଧିକ ହେବ, ଦେଶର ବିଫଳତା ସେତେ ଅଧିକ ହେବ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତର ବନ୍ଦରଗୁଡ଼ିକ ଏକ ବିଶ୍ୱ ସାମୁଦ୍ରିକ ଶକ୍ତି ଭାବରେ ଦେଶର ଉତ୍ଥାନର ମେରୁଦଣ୍ଡ। ଏହା ଚିପ୍ସ (ଅର୍ଦ୍ଧପରିବାହୀ) ହେଉ କିମ୍ବା ଜାହାଜ, ଆମକୁ ସେଗୁଡ଼ିକୁ ଅନ୍ୟ ଦେଶ ନୁହେଁ ବରଂ ଆମ ଦେଶରେ ନିର୍ମାଣ କରିବାକୁ ପଡିବ। ଭାରତ ବିଶ୍ୱବ୍ୟାପୀ ସାମଗ୍ରୀ ପଠାଇବା ପାଇଁ ବିଦେଶୀ କମ୍ପାନୀଗୁଡ଼ିକୁ ବାର୍ଷିକ ୬ ଲକ୍ଷ କୋଟି ଟଙ୍କା ଦେଉଛି । ଏହି ବଜେଟ୍ ଆମର ପ୍ରତିରକ୍ଷା ବଜେଟ୍ ସହିତ ପ୍ରାୟ ସମାନ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ୫୦ ବର୍ଷ ପୂର୍ବେ, ଦେଶର ୪୦ ପ୍ରତିଶତ ବାଣିଜ୍ୟ ଭାରତରେ ନିର୍ମିତ ଜାହାଜ ମାଧ୍ୟମରେ ପରିଚାଳିତ ହେଉଥିଲା ବର୍ତ୍ତମାନ ଏବେ ତାହା ୫ ପ୍ରତିଶତକୁ ହ୍ରାସ ପାଇଛି। ଲାଇସେନ୍ସ ରାଜ ଭଳି କଟକଣା ଲଗାଇ କଂଗ୍ରେସ ଭାରତର ପ୍ରତିଭାବାନ ଲୋକଙ୍କ ମନୋବଳକୁ ଦୁର୍ବଳ କରିଦେଇଛି। ଭାରତର ସମସ୍ତ ସମସ୍ୟାର ଏକମାତ୍ର ସମାଧାନ ହେଉଛି ସ୍ୱାବଲମ୍ବନ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।