)
PM Narendra Modi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ ଦେଇ GST ସଂସ୍କାର ବିଷୟରେ ବାଖ୍ୟା କରିଛନ୍ତି । ନିଜ ବକ୍ତବ୍ୟରେ ମୋଦୀ କହିଛନ୍ତି ଯେ, କାଲିଠାରୁ ଗରିବ ଓ ମଧ୍ୟମ ବର୍ଗ ଲୋକେ ଉପକୃତ ହେବାକୁ ଯାଉଛନ୍ତି । କେବଳ ସେତିକି ନୁହେଁ ସବୁ ବର୍ଗର ଲୋକେ GST ସଂସ୍କାର ଦ୍ବାରା ଉପକୃତ ହେବେ । ଏହା ଭାରତର ବିକାଶକୁ ଆହୁରି ଅଧିକ ତ୍ବରାନ୍ବିତ କରିବ ବୋଲି ମୋଦୀ କହିଛନ୍ତି ।
ଏଥିସହ ପ୍ରଧାନମନ୍ତ୍ରୀ ଏକଥା ମଧ୍ୟ କହିଛନ୍ତି ଯେ, ୨୦୧୭ ମସିହାରେ GST ପ୍ରଥମ କରି ଲାଗୁ କରାଯାଇଥିଲା । ପୂର୍ବରୁ ଭିନ୍ନ ଭିନ୍ନ ଟ୍ୟାକ୍ସକୁ ନେଇ ଲୋକେ ଅନେକ ପ୍ରକାରର ହନ୍ତସନ୍ତ ହେଉଥିଲେ । ଲୋକଙ୍କୁ ଅନେକ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ୁଥିଲା । ପୂର୍ବରୁ ଗରିବ ଲୋକଙ୍କୁ ଅଧିକ ଟିକସ ଦେବାକୁ ପଡ଼ୁଥିଲା । ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ହେବା ପରେ GST ପାଇଁ ସଂକଳ୍ପ କରିଥିଲି ଏବଂ ଆଜି ସବୁ ରାଜ୍ୟକୁ ସାଥିରେ ନେଇ GST ସଂସ୍କାର ସମ୍ଭବ ହୋଇପାରିଛି । ଗୋଟିଏ ଦେଶ ଗୋଟିଏ ଟିକସ ବ୍ୟବସ୍ଥା ଆପଣାଯାଇ ପାରିଛି । ଭବିଷ୍ୟତକୁ ଆଖିରେ ରଖି ଏପରି ସଂଶୋଧନ କରାଯାଇଛି । କେବଳ ୫% ଓ ୧୮% ଟିକସ ବ୍ୟବସ୍ଥା ରଖି ଅନ୍ୟ ସ୍ଲାବ ଉଠିଛି ଏବଂ ବର୍ତ୍ତମାନ ୯୯ ପ୍ରତିଶତ ସାମଗ୍ରୀ ୫% ଟିକସ ପରିସରକୁ ଆସିଛି ।
ପିଏମ ମୋଦୀ କହିଛନ୍ତି ଯେ, ଲୋକଙ୍କ ପାଇଁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ ଟିକସମୁକ୍ତ ମଧ୍ୟ କରାଯାଇଛି । GST ସଂସ୍କାରରୁ ଘର ନିର୍ମାଣ, ଗାଡ଼ି କିଣିବା, ବୁଲାବୁଲି ଖର୍ଚ୍ଚ କମିବ ଏବଂ ଛୋଟ ଛୋଟ ବ୍ୟବସାୟୀ ମଧ୍ୟ ଏଥିରୁ ବେଶି ଉପକୃତ ହେବେ । ଆୟକର କମିବା ଓ GST ସଂସ୍କାର ଦ୍ବାରା ଅଢ଼େଇ ଲକ୍ଷ କୋଟି ଫାଇଦା ବିଷୟରେ ମୋଦୀ କହିଛନ୍ତି । ସାଧାରଣ ବର୍ଗର ଲୋକେ ଅଢ଼େଇ ଲକ୍ଷ କୋଟି ଫାଇଦା ନେବେ ଏବଂ ଲଘୁ ଓ କୁଟିର ଉଦ୍ୟୋଗକୁ ମଧ୍ୟ ଡବଲ ଫାଇଦା ହେବ । କେବଳ ସେତିକି ନୁହେଁ ବରଂ ବିଦେଶୀ ସାମଗ୍ରୀରୁ ଆମକୁ ମୁକ୍ତି ପାଇବାକୁ ପଡ଼ିବ ଏବଂ ସବୁ ଘରକୁ ସ୍ବଦେଶୀର ପ୍ରତୀକ ବନାଇବାକୁ ପଡ଼ିବ । ଗର୍ବରେ ଆମେ ସମସ୍ତେ କହିବା ଯେ, ଆମେ ସ୍ବେଦେଶୀ ସାମଗ୍ରୀ କ୍ରୟ କରୁଛୁ । ପ୍ରତି ରାଜ୍ୟ ନିବେଶ ପାଇଁ ରାସ୍ତା ଉନ୍ମୁକ୍ତ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।