Advertisement
Article Detail0/zeeodisha/odisha2764318
Zee OdishaOdisha National-InternationalPolavaram Meet: ୨୮ରେ ପୋଲାଭରମ ବୈଠକ: ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

Polavaram Meet: ୨୮ରେ ପୋଲାଭରମ ବୈଠକ: ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ପ୍ରକଳ୍ପ ସମ୍ବନ୍ଧରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ପ୍ରଭାବିତ ରାଜ୍ୟଗୁଡ଼ିକ ସହ ଆଲୋଚନା କରିବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଥିଲେ କିନ୍ତୁ ଆନ୍ଧ୍ୟ ପ୍ରଦେଶ ସରକାର ଏହାକୁ  ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଛି।  ଓଡ଼ିଶାର ବିଜୁ ଜନତା ଦଳ  ଏହି ପ୍ରକଳ୍ପକୁ ଜୋରଦାର ବିରୋଧ କରିଆସିଛି। ବିଜେଡିର ଅଭିଯୋଗ ଅନୁସାରେ  କେନ୍ଦ୍ର ସରକାର ଓ ଆନ୍ଧ୍ରପ୍ରଦେଶ ସରକାର ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରୁଛନ୍ତି।

Polavaram Meet: ୨୮ରେ ପୋଲାଭରମ ବୈଠକ: ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

Polavaram Meet: ଭୁବନେଶ୍ବର: ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ଗୋଦାବରୀ ନଦୀ ଉପରେ ନିର୍ମାଣାଧୀନ ବିବାଦୀୟ ପୋଲାଭରମ୍‍ ପ୍ରକଳ୍ପକୁ ନେଇ ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ। ଆସନ୍ତା ୨୮ ତାରିଖକୁ ଏଥିପାଇଁ ସ୍ଥିର କରାଯାଇଛି। ଆନ୍ଧ୍ରର ଏହି ପ୍ରକଳ୍ପ ସମ୍ପୃକ୍ତ ରାଜ୍ୟପାଇଁ ଫାଇଦା ଆଣିବାକୁ ଥିଲେ ମଧ୍ୟ ଓଡ଼ିଶା, ଛତିଶଗଡ଼ ଓ ତେଲେଙ୍ଗାନା ଏଥିରେ ଗୁରୁତର ପ୍ରଭାବିତ ହେବାକୁ ଯାଉଛନ୍ତି। ଏପରିକି ଅନେକ ସମୟରେ ଏହି ରାଜ୍ୟମାନେ କେନ୍ଦ୍ର ଆଗରେ ପ୍ରକଳ୍ପ ସମ୍ବନ୍ଧରେ ହସ୍ତକ୍ଷେପ ପାଇଁ ନିବେଦନ କରି ବିଫଳ ହୋଇଛନ୍ତି।  ଏପରିକି ଏ ପ୍ରକଳ୍ପକୁ ନେଇ ସୁପ୍ରିମ୍‍କୋର୍ଟରେ ମଧ୍ୟ ଭିନ୍ନ ଭିନ୍ନ ଆବେଦନ ବିଚାଧୀନ ରହିଛି।  ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ଚାରୋଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ସିଧାସଳଖ ଆଲୋଚନା କରିବାକୁ ଯାଉଥିବାରୁ ଅନ୍ୟ ରାଜ୍ୟଙ୍କ ଭିତରେ ଆଶା ସଞ୍ଚାର ହୋଇଛି। 

ପୋଲାଭରମ ପ୍ରକଳ୍ପ ବା ଇନ୍ଦିରା ସାଗର ପୋଲାଭରମ ବହୁମୁଖୀ ପ୍ରକଳ୍ପ, ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଓ ପୂର୍ବ ଗୋଦାବରୀ ଜିଲ୍ଲା ନିକଟରେ ଗୋଦାବରୀ ନଦୀ ଉପରେ ନିର୍ମାଣ ହେଉଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ  ଭିତରେ ଜଳ ସେଚନ, ଜଳ ବିଦ୍ୟୁତ୍‍ ଉତ୍ପାଦନ, ପାନୀୟ ଜଳ ଯୋଗାଣ ଓ ବନ୍ୟା ନିୟନ୍ତ୍ରଣ ପ୍ରଭୃତି ବିଷୟ ରହିଛି। ଆନ୍ଧ୍ରପ୍ରଦେଶ ସରକାରଙ୍କ ସୂଚନା ଅନୁସାରେ ଏହି ପ୍ରକଳ୍ପ ଦ୍ୱାରା  ବିଶାଖାପାଟଣା, ପୂର୍ବ ଗୋଦାବରୀ, ପଶ୍ଚିମ ଗୋଦାବରୀ ଓ କୃଷ୍ଣା ଜିଲ୍ଲାର ପ୍ରାୟ ୭.୨ ଲକ୍ଷ ଏକର ଜମିକୁ ଜଳସେଚନ ସୁବିଧା ମିଳିବ। ସେହିପରି  ୯୬୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେବା ସାଙ୍ଗକୁ ବିଶାଖାପାଟଣା ଓ ଆନ୍ଧ୍ରପ୍ରଦେଶର ଅନ୍ୟ ଅଞ୍ଚଳକୁ ପାନୀୟ ଜଳ ଯୋଗାଇବା ସହଜ ହେବ। 

ଏହି ପ୍ରକଳ୍ପ ୧୯୪୦ ଦଶକରେ ପ୍ରଥମେ ପରିକଳ୍ପନା ହୋଇଥିଲା, କିନ୍ତୁ ରାଜନୈତିକ, ଆର୍ଥିକ ଓ ପରିବେଶଗତ କାରଣରୁ ଏହାର ନିର୍ମାଣ ବାରମ୍ବାର ବିଳମ୍ବିତ ହୋଇଛି। ୨୦୦୪ ମସିହାରେ ଏହା ପୁନର୍ବାର ଆରମ୍ଭ ହୋଇଥିଲା ଏବଂ ୨୦୧୪ରେ ଏହାକୁ ଜାତୀୟ ପ୍ରକଳ୍ପ ମାନ୍ୟତା ଦିଆଯାଇଥିଲା। ପ୍ରକଳ୍ପର ଅନେକ ଗୁରୁତ୍ୱପୂର୍ଣ୍ଣ ଅଂଶ ଯଥା ବନ୍ଧର ମୂଳ ଢାଞ୍ଚା, ସ୍ପିଲୱେ ଓ ଜଳବିଦ୍ୟୁତ ଉତ୍ପାଦନ ଗୃହର ନିର୍ମାଣ କାର୍ଯ୍ୟ ପ୍ରାୟ ୭୦-୮୦% ଶେଷ ହୋଇଛି। କିନ୍ତୁ, କିଛି ଜଟିଳ ଅଂଶ ଏବଂ ପୁନର୍ବାସନ କାର୍ଯ୍ୟ ଏବେ ବି ଅଧୁରା ରହିଛି। ଏହି ପକଳ୍ପ ଲାଗି କେନ୍ଦ୍ର ସରକାର ୧୮,୦୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ମଞ୍ଜୁର କରିଛନ୍ତି। ଏହା ବ୍ୟତୀତ, ଆନ୍ଧ୍ରପ୍ରଦେଶ ସରକାର ମଧ୍ୟ ନିଜସ୍ୱ ଅର୍ଥ ବିନିଯୋଗ କରୁଛନ୍ତି।

Add Zee News as a Preferred Source

ପ୍ରକଳ୍ପ ଯୋଗୁଁ ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ଛତିଶଗଡ଼ର ଅନେକ ଗାଁ ଜଳମଗ୍ନ ହେବାର ଆଶଙ୍କା ରହିଛି। ଏହା ଯୋଗୁଁ ଲକ୍ଷାଧିକ ଲୋକଙ୍କୁ ପୁନର୍ବାସନ କରାଯିବାର ଆବଶ୍ୟକତା ରହିଛି। ପରିବେଶଗତ ପ୍ରଭାବ ମଧ୍ୟ ଏକ ବଡ଼ ଚିନ୍ତାର ବିଷୟ, କାରଣ ଏହା ଜଙ୍ଗଲ, ଜୈବବିବିଧତା ଓ ଆଦିବାସୀ ସଂସ୍କୃତିକୁ ପ୍ରଭାବିତ କରୁଛି। ଏହି ପ୍ରକଳ୍ପ ଯୋଗୁଁ ଓଡ଼ିଶାର ମାଲକାନଗିରି ଜିଲ୍ଲାର ୨୦୦ରୁ ଅଧିକ ଗାଁ ଜଳମଗ୍ନ ହେବାର ଆଶଙ୍କା ରହିଛି। ଏହା ହଜାର ହଜାର ଆଦିବାସୀଙ୍କ ଜୀବନଜୀବିକାକୁ ପ୍ରଭାବିତ କରିବ। ପ୍ରକଳ୍ପର ଜଳ ଧାରଣ କ୍ଷମତା ୩୬ ଲକ୍ଷ କ୍ୟୁସେକ୍‌ରୁ ୫୦ ଲକ୍ଷ କ୍ୟୁସେକ୍‌କୁ ଏକତରଫା ଭାବେ ବୃଦ୍ଧି କରାଯାଇଛି, ଯାହା ଓଡ଼ିଶା ପାଇଁ ଅଧିକ ବିପଦ ସୃଷ୍ଟି କରୁଛି। ଖାଲି ସେତିକି ନୁହେଁ, ମାଲକାନଗିରିର ଆଦିବାସୀ ସମୁଦାୟ ଏହି ପ୍ରକଳ୍ପର ବିରୋଧ କରୁଛନ୍ତି, କାରଣ ଏହା ସେମାନଙ୍କ ଜମି, ସଂସ୍କୃତି ଓ ଜୀବନଜୀବିକାକୁ ନଷ୍ଟ କରିବ। ପୁନର୍ବାସନ ପ୍ରକ୍ରିୟା ଅପାରଦର୍ଶୀ ଓ ଅପର୍ଯ୍ୟାପ୍ତ ହୋଇଥିବା ଅଭିଯୋଗ ରହିଛି।

ପ୍ରକଳ୍ପ ସମ୍ବନ୍ଧରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ପ୍ରଭାବିତ ରାଜ୍ୟଗୁଡ଼ିକ ସହ ଆଲୋଚନା କରିବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଥିଲେ କିନ୍ତୁ ଆନ୍ଧ୍ୟ ପ୍ରଦେଶ ସରକାର ଏହାକୁ  ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଛି।  ଓଡ଼ିଶାର ବିଜୁ ଜନତା ଦଳ  ଏହି ପ୍ରକଳ୍ପକୁ ଜୋରଦାର ବିରୋଧ କରିଆସିଛି। ବିଜେଡିର ଅଭିଯୋଗ ଅନୁସାରେ  କେନ୍ଦ୍ର ସରକାର ଓ ଆନ୍ଧ୍ରପ୍ରଦେଶ ସରକାର ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରୁଛନ୍ତି।

About the Author