Sushanta Singh Rajput death case: ମୁଣ୍ଡ ଟେକୁଛି ରାଜନୈତିକ ଲିଙ୍କ !
Advertisement

Sushanta Singh Rajput death case: ମୁଣ୍ଡ ଟେକୁଛି ରାଜନୈତିକ ଲିଙ୍କ !

ରହସ୍ୟାବୃତ୍ତ ହୋଇ ପଡ଼ୁଛି ସୁଶାନ୍ତଙ୍କ ମୃତ୍ୟୁ ମାମଲା...

Sushanta Singh Rajput death case: ମୁଣ୍ଡ ଟେକୁଛି ରାଜନୈତିକ ଲିଙ୍କ !

ନୂଆଦିଲ୍ଲୀ: ବଲିଉଡ଼ର କିଛି ଅଭିନେତା ଅଭିନେତ୍ରୀଙ୍କ ମୃତ୍ୟୁ ଆଜି ବି ରହସ୍ୟମୟ। ଅପରାଧିଙ୍କ ନିକଟରେ ପହଞ୍ଚିବା ତ ଦୂରର କଥା, କାରଣ ମଧ୍ୟ ଖୋଜି ପାଇନାହିଁ ପୋଲିସ। ଏସବୁ ମଧ୍ୟରେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ରହସ୍ୟମୟ ହୋଇ ପଡ଼ୁଛି। ଘଟଣାରେ ତଦନ୍ତ କରୁଥିବା ମୁମ୍ବାଇ ପୋଲିସର ଭୁମିକା ଉପରେ ମଧ୍ୟ ଧିରେ ଧିରେ ପ୍ରଶ୍ନ ଉଠିବାକୁ ଲାଗିଲାଣି। ମୁମ୍ବାଇ ପୋଲିସ ତଦନ୍ତ ଯେତିକି ଆଗଉନି, ବିହାର ପୋଲିସକୁ ବିରୋଧ କରି ବର୍ତ୍ତମାନ ସମୟରେ ସେତିକି ଚର୍ଚ୍ଚାରେ ରହିଛି ମୁମ୍ବାଇ ପୋଲିସ। 

ପାଟନାରେ ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବାପା କେକେ ସିଂହ ପାଟନାରେ ଏକ ମାମଲା ଦାୟର କରିବା ପରେ ମୁମ୍ବାଇରେ ତଦନ୍ତ ଚଳାଇଛି ବିହାର ପୋଲିସ। ଏପରିକି ବିହାରର ଜଣେ ଆଇପିଏସଙ୍କୁ କ୍ୱାରେଣ୍ଟାଇନରେ ରଖିଛି ମୁମ୍ବାଇ ପୋଲିସ। ଅଭିନେତାଙ୍କ ମୃତ୍ୟୁ ସମ୍ପର୍କିତ କୌଣସି ତଥ୍ୟ ମଧ୍ୟ ପ୍ରଦାନ କରୁନଥିବା ଅଭିଯୋଗ ବର୍ତ୍ତମାନ ସାମ୍ନାକୁ ଧୀରେଧୀରେ ଆସିବାରେ ଲାଗିଛି। ମୁମ୍ବାଇରେ ବିହାର ପୋଲିସ ଚାଲି ଚାଲି ତଦନ୍ତ କରୁଥିବାର ଚିତ୍ର ସାମ୍ନାକୁ ଆସିବାରେ ଲାଗିଛି। ସେପଟେ ମୁମ୍ବାଇ ପୋଲିସର ଏଭଳି ସନ୍ଦେହାତ୍ମକ ତଦନ୍ତ ପାଇଁ ସିବିଆଇକୁ ମାମଲା ହସ୍ତାନ୍ତର ପାଇଁ ଦାବି ଜୋର ଧରିଛି। 

ସେପଟେ ବିହାର ପୋଲିସର ତଦନ୍ତ ଯେତିକି ଯେତିକି ଆଗଉଛି, ମାମଲାର କେନା ସେତେ ଅଧିକ ଅଧିକ ବାହାରିବାରେ ଲାଗିଛି। ଆରମ୍ଭରୁ ନେପୋଟିଜିମର ସ୍ୱର ଜୋର ଧରିଥିଲା। ବଲିଉଡ଼ର କିଛି ଆଗଧାଡ଼ିର ଅଭିନେତା ମଧ୍ୟ ଏହି ନେପୋଟିଜମକୁ ସମର୍ଥନ ଜଣାଇଥିଲେ। ମାତ୍ର ଏବେ ଏହି ମୃତ୍ୟୁ ମାମଲା ଏକାଧିକ କେନା ବାହାରିବାରେ ଲାଗିଲାଣି। ଏପରିକି  ସିଧାସଳଖ ନ ହେଲେ ମଧ୍ୟ, ରାଜନୈତିକ ସମ୍ପର୍କ ଥିବା ନେଇ ମଧ୍ୟ ଗନ୍ଧ ବାରି ହୋଇ ପଡ଼ିଲାଣି। ମାମଲାରେ ଏହି ଆଙ୍ଗେଲରେ ମହାରାଷ୍ଟ୍ର ସରାକରରେ ଥିବା ଯୁବମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କ ନାମ ମଧ୍ୟ ସାମ୍ନାକୁ ଆସିଲାଣି। 

କୁହାଯାଉଛି ଯେ, ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କର କିଛି ଦିନ ପୂର୍ବରୁ ମୃତ୍ୟୁ ହୋଇଥିଲା। ତେବେ ଦିଶା ସାଲିଆନଙ୍କ ମୃତ୍ୟୁ ସମ୍ପର୍କରେ ସୁଶାନ୍ତଙ୍କୁ ଜଣାଥିଲା ଏବଂ ଦିଶାଙ୍କ ମୃତ୍ୟୁର କାରଣ ମହାରାଷ୍ଟ୍ର ସରକାରର ଜଣେ ଯୁବ ନେତାଙ୍କ ନାଁ ମଧ୍ୟ ସାମିଲ ହୋଇଥିବା ଚର୍ଚ୍ଚା ଜୋର ଧରିଛି। ତେବେ ଉକ୍ତ ରାଜନେତାଙ୍କ ନାମ ସିଧାସଳଖ ନିଆ ଯାଇନଥିଲେ ମଧ୍ୟ ଆଦିତ୍ୟଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ ହେଉଛି। ସେପଟେ ସୁଶାନ୍ତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତିଙ୍କ ନାମରେ ଅର୍ଥ ହେରଫେର ଅଭିଯୋଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ତଦନ୍ତ ଆରମ୍ଭ କରିଦେଇଛି।  

ବିଭିନ୍ନ ଗଣମାଧ୍ୟମରୁ ସୁଶାନ୍ତଙ୍କ ନିକଟତମ ବନ୍ଧୁ, ତାଙ୍କ ପୂର୍ବତନ କର୍ମଚାରୀମାନେ ମଧ୍ୟ ନିଜର ମତାମତ ରଖୁଛନ୍ତି। ଘଟଣାଦିନ ଠାରୁ ଆରମ୍ଭ କରି ଦିଶା ସାଲିଆନଙ୍କ ମୃତ୍ୟୁ ସମ୍ପର୍କରେ ଅନେକ ତଥ୍ୟ ଧୀରେଧୀରେ ସାମ୍ନାକୁ ଆସିବାରେ ଲାଗିଛି। ରିଆ ଏକ ବର୍ଷ ମଧ୍ୟରେ ସୁଶାନ୍ତଙ୍କ ଆକାଉଣ୍ଟରୁ ପ୍ରାୟ ୧୫ କୋଟି ଟଙ୍କା ଉଠାଇ ନେଇଥିବା ଚର୍ଚ୍ଚା ହେଉଛି। ଏହି ଟଙ୍କା ତାଙ୍କର ଦୁଇଟି କମ୍ପାନୀ, ନିଜ ସୌଖିନ ଜୀବନ, ଓ ଭାଇଙ୍କ ପିଛା ଖର୍ଚ୍ଚ କରିଥିବା ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏତେ ସବୁ ପରେ ମଧ୍ୟ ମୁମ୍ବାଇ ପୋଲିସ ସଠିତ ଢଙ୍ଗରେ ତଦନ୍ତକୁ ଅଗ୍ରସର କରୁନଥିବାରୁ ଚର୍ଚ୍ଚାର ପରିଧି ମଧ୍ୟରେ ଏବେ। 

ସେପଟେ ପାଟନା ପୋଲିସ ମୁମ୍ବାଇରେ ଖୋଳତାଡ଼ ଜୋରଦାର କରିବା ପରେ ମୁମ୍ବାଇ ପୋଲିସର ବିରୋଧର ଶିକାର ହୋଇଛି ପାଟନା ପୋଲିସ। ମୁମ୍ବାଇ ପୋଲିସ କୌଣସି ସହାୟତା କରୁନଥିବା ନେଇ ବିହାର ଡିଜିପି ଅଭିଯୋଗ କରିଛନ୍ତି। ଏପରିକି ତାଙ୍କର ଏକ ବରିଷ୍ଠ ଅଧିକାରୀଙ୍କୁ ରାତାରାତି ଜବରଦସ୍ତି କ୍ୱାରେଣ୍ଟାଇନରେ ରଖିଥିବା ନେଇ ଅଭିଯୋଗ କରିଛନ୍ତି।