Supreme Court: ୧୧ ଜଣ ମହିଳା ସୁପ୍ରିମକୋର୍ଟର ବିଚାରପତି ଭାବେ କାର୍ଯ୍ୟ ତୁଲାଇଛନ୍ତି। ୧୯୮୯ରେ ଜଷ୍ଟିସ ଫାତିମା ବିବି ପ୍ରଥମ ମହିଳା ବିଚାରପତି ଭାବେ ସୁପ୍ରିମ କୋର୍ଟରେ ସ୍ୱତନ୍ତ୍ର ମର୍ଯ୍ୟାଦାର ଅଧିକାରୀଣୀ ହୋଇପାରିଥିଲେ। ତେବେ ସେ ମାତ୍ର ଅଢ଼େଇ ବର୍ଷ ପାଇଁ ସୁପ୍ରିମକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଥିଲେ।
Trending Photos
Supreme Court: ୨୦୨୭ ମସିହାରେ ଭାରତର ସୁପ୍ରିମକୋର୍ଟରେ ଜଣେ ମହିଳା ବିଚାରପତି ପ୍ରଧାନ ବିଚାରପତି ହୋବାର ସୁଯୋଗ ପାଇପାରନ୍ତି। ଯେଉଁ କଲିଜିୟମ ବ୍ୟବସ୍ଥାରେ ବରିଷ୍ଠତାକୁ ଆଧାର କରି ଭାରତରେ ପ୍ରଧାନ ବିଚାରପତି ନିଯୁକ୍ତ କରାଯାଉଛି, ଯଦି ସେହି ପରମ୍ପରା ଚାଲେ ତେବେ ସେତେବେଳେ ଜଷ୍ଟିସ ବିଭି ନାଗରତ୍ନା ହେବେ ଭାରତର ପ୍ରଥମ ମହିଳା ପ୍ରଧାନ ବିଚାରପତି। ସେ ୫୪ତମ ପ୍ରଧାନ ବିଚାରପତି ଭାବେ ଶପଥ ନେବେ। ଏବେ ସେ ସୁପ୍ରିମକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି। ପୁଣି ଯଦି ସେ ଭାରତର ପ୍ରଥମ ମହିଳା ପ୍ରଧାନ ବିଚାରପତି ହୁଅନ୍ତି, ତା’ହେଲେ ମାତ୍ର ୩୬ ଦିନ ପାଇଁ ଏହି ପଦରେ କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି।
ବୁଧବାର ଜଷ୍ଟିସ ଭୂଷଣ ରାମକୃଷ୍ଣ ଗବାଇ ଦେଶର ୫୨ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି। ସେ ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ଭାରତୀୟ ନ୍ୟାୟବ୍ୟବସ୍ଥା ପାଇଁ ଏକ ଐତିହାସିକ ମୁହୂର୍ତ୍ତ, କାରଣ ଜଷ୍ଟିସ୍ ଗବାଇ ହେଉଛନ୍ତି ଦଳିତ ମାନ୍ୟତାରୁ ଆସୁଥିବା ଦ୍ୱିତୀୟ ବ୍ୟକ୍ତି ଯିଏ ଏହି ଉଚ୍ଚ ପଦରେ ବସିଛନ୍ତି। ସେ ଆସନ୍ତା ନଭେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ଏହି ପଦବୀରେ ରହିବେ। ଅର୍ଥାତ୍ ତାଙ୍କ କାର୍ଯ୍ୟକାଳ ୬ ମାସ ରହିବ। ତାଙ୍କ ପୂର୍ବରୁ ଏହି ପଦରେ ବସିଥିବା ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ କାର୍ଯ୍ୟକାଳ ମଧ୍ୟ ୬ ମାସ ରହିଥିଲା।
ସୁପ୍ରିମକୋର୍ଟ ପ୍ରତିଷ୍ଠା ହେବାର ୭୫ ବର୍ଷର ଇତିହାସରେ ପ୍ରଧାନ ବିଚାରପତି ପଦରେ ଜଣେ ହେଲେ ମହିଳା ଦାୟିତ୍ୱ ଗ୍ରହଣ ନାହାନ୍ତି। କିନ୍ତୁ ୧୧ ଜଣ ମହିଳା ସୁପ୍ରିମକୋର୍ଟର ବିଚାରପତି ଭାବେ କାର୍ଯ୍ୟ ତୁଲାଇଛନ୍ତି। ୧୯୮୯ରେ ଜଷ୍ଟିସ ଫାତିମା ବିବି ପ୍ରଥମ ମହିଳା ବିଚାରପତି ଭାବେ ସୁପ୍ରିମ କୋର୍ଟରେ ସ୍ୱତନ୍ତ୍ର ମର୍ଯ୍ୟାଦାର ଅଧିକାରୀଣୀ ହୋଇପାରିଥିଲେ। ତେବେ ସେ ମାତ୍ର ଅଢ଼େଇ ବର୍ଷ ପାଇଁ ସୁପ୍ରିମକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଥିଲେ।
ପ୍ରଧାନ ବିଚାରପତି ଚୟନରେ ଏକ ଅଲିଖିତ ନିୟମକୁ ଅନୁସରଣ କରାଯାଏ। ସାଧାରଣତଃ ବରିଷ୍ଠତା ଭିତ୍ତିରେ ପ୍ରଧାନ ବିଚାରପତିଙ୍କୁ ନିଯୁକ୍ତି ଦିଆଯାଇଥାଏ। ଅର୍ଥାତ୍ ସୁପ୍ରିମକୋର୍ଟ ବିଚାରପତିମାନଙ୍କ ମଧ୍ୟରୁ ଯାହାଙ୍କ ବୟସ ସବୁଠୁ ଅଧିକ ହୋଇଥାଏ, ତାଙ୍କୁ ପ୍ରଧାନ ବିଚାରପତି ପଦରେ ନିଯୁକ୍ତି ଦିଆଯାଇଥାଏ। ଫଳରେ ସେହି ଅନୁସାରେ ତାଙ୍କ କାର୍ଯ୍ୟକାଳ ମଧ୍ୟ ସ୍ଥିର ହୋଇଯାଏ ଓ ସେ ଅବସର ନିଅନ୍ତି। ଯଦି ଏହି ବରିଷ୍ଠତା ନିୟମକୁ ହିସାବକୁ ନିଆଯାଏ, ତା’ହେଲେ ୨୦୨୭ ମସିହାରେ ଜଷ୍ଟିସ ବିଭି ନାଗରତ୍ନା ସବୁଠାରୁ ବରିଷ୍ଠ ଜଜ୍ ହେବେ। ଯଦି ସେ ଭାରତର ପ୍ରଥମ ମହିଳା ପ୍ରଧାନ ବିଚାରପତି ହୁଅନ୍ତି, ତା’ହେଲେ ମାତ୍ର ୩୬ ଦିନ ପାଇଁ ଏହି ପଦରେ କାର୍ଯ୍ୟ କରିବେ।
ଏବେ ସୁପ୍ରିମକୋର୍ଟରେ ୩୪ ଜଣ ବିଚାରପତିଙ୍କ ମଧ୍ୟରେ କେବଳ ୨ ଜଣ ମହିଳା ବିଚାରପତି ଅଛନ୍ତି। ୨୦୨୪ରେ ଜଷ୍ଟିସ ହିମା କୋହଲି ଅବସର ନେବା ପରେ ସୁପ୍ରିମକୋର୍ଟରେ ମହିଳା ବିଚାରପତିଙ୍କ ସଂଖ୍ୟା ୨କୁ ଖସି ଯାଇଛି। ଜଷ୍ଟିସ ବିଭି ନାଗରତ୍ନାଙ୍କ ବ୍ୟତୀତ ଜଷ୍ଟିସ ବେଲା ଏମ୍ ତ୍ରିବେଦୀ ଦେଶର ସର୍ବୋଚ୍ଚ କୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି। ତେବେ ଜଷ୍ଟିସ ବେଲା ଏମ୍ ତ୍ରିବେଦୀଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଆସୁଛି। ସେ ଆସନ୍ତା ଜୁନ୍ ୯ ତାରିଖରେ ଅବସର ନେବେ।