)
ଭୁବନେଶ୍ୱର: ଦେଶର ପ୍ରତିରକ୍ଷା ବ୍ୟବସ୍ଥାରେ ଏକ ଶକ୍ତିଶାଳୀ ଅଙ୍ଗ ସାଜିଥିବା ରାଫାଲ୍ ଯୁଦ୍ଧ ବିମାନରେ ରାଷ୍ଟ୍ରପତି ଉଡ଼ିବେ। ଆଜି ଏନେଇ ହରୟାଣାର ଆମ୍ବାଲା ବାୟୁସେନା ଘାଟିରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ହରିୟାଣା ଗସ୍ତରେ ଆସୁଥିବାରୁ ବାୟୁସେନା ପକ୍ଷରୁ ଏ ନେଇ ପ୍ରସ୍ତୁତ ହୋଇଛି।
ରାଷ୍ଟ୍ରପତି ମୁର୍ମୁ ହେଉଛନ୍ତି ଦେଶର ତୃତୀୟ ରାଷ୍ଟ୍ରପତି ଯିଏ ବାୟୁସେନାର ବିମାନରେ ଉଡ଼ି ସୈନିକ ଓ ଦେଶବାସୀଙ୍କ ମନୋବଳ ବଢ଼ାଇଛନ୍ତି। ଏହାଙ୍କ ପୂର୍ବରୁ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ଏବଂ ପ୍ରତିଭା ପାଟିଲ ବାୟୁସେନାର ଯୁଦ୍ଧ ବିମାନରେ ଉଡ଼ିଥିଲେ। କିନ୍ତୁ ରାଫାଲ ବିମାନରେ ଯାତ୍ରା କରିବାରେ ସେ ହେବେ ପ୍ରଥମ ରାଷ୍ଟ୍ରପତି।
ରାଷ୍ଟ୍ରପତିଙ୍କ ଏହା ହେଉଛି ଦ୍ୱିତୀୟ ଯୁଦ୍ଧବିମାନ ଉଡ଼ାଣ। ରାଷ୍ଟ୍ରପତି ମୁର୍ମୁ ପୂର୍ବରୁ ଋଷ ତିଆରି ସୁଖୋଇ ୩୦ ଏମକେଆଇରେ ଯାତ୍ରା କରିଥିଲେ। ସେତେବଳେ ସେ ଆସାମର ତେଜପୁର ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିଲେ। ବ୍ରହ୍ମପୁତ୍ର ଓ ଆସାମକୁ ଆକାଶ ମାର୍ଗରୁ ପରିଦର୍ଶନ କରିଥିଲେ। ଏହା ୨୦୨୩ ଏପ୍ରିଏ ୮ ତାରିଖରେ ହୋଇଥିଲା।
ରାଫାଲ ହେଉଛି ଫ୍ରାନ୍ସ ତିଆରି ଏକ ଶକ୍ତିଶାଳୀ ବିମାନ। ଏହି ପ୍ରକାର ୬୨ଟି ବିମାନକୁ ଭାରତ ସରକାର ଫ୍ରାନ୍ସ ନିର୍ମାତାଙ୍କଠାରୁ ୨୦୩୦ ସୁଦ୍ଧା କିଣିବାକୁ ଲକ୍ଷ୍ୟ ରଖିଛନ୍ତି। ଏ ଭିତରେ ୩୬ଟି ରାଫାଲ୍ ଯୁଦ୍ଧ ବିମାନ ଭାରତୀୟ ବାୟୁସେନା ପାଖରେ ରହିଛି। ନିକଟରେ ହୋଇଥିବା ଅପରେସନ୍ ସିନ୍ଦୂରରେ ଏହି ବିମାନର ଶକ୍ତିକୁ ନେଇ ଅନେକ ର୍ଚ୍ଚା ହୋଇଛି।