ବଢିଲା ଭାରତୀୟଙ୍କ ସମସ୍ୟା, ଭିସା ନିୟମରେ ପରିବର୍ତ୍ତନ ଆଣିଲା ଆମେରିକା

ଆମେରିକା ଦ୍ୱାରା ଭିସା ନିୟମରେ ପରିବର୍ତ୍ତନ ଅଣାଯିବା ପରେ ଭାରତୀୟଙ୍କ ଲାଗି ସମସ୍ୟା ବଢିଯାଇଛି । 

ବଢିଲା ଭାରତୀୟଙ୍କ ସମସ୍ୟା, ଭିସା ନିୟମରେ ପରିବର୍ତ୍ତନ ଆଣିଲା ଆମେରିକା

ୱାଶିଂଟନ: ଭିସା ନିୟମରେ ପରିବର୍ତ୍ତନ ଆଣିଛି ଆମେରିକା । ଯାହା ଦ୍ୱାରା ଅଧ୍ୟୟନ କରିବାକୁ ଆମେରିକା ଯିବା ପାଇଁ ଆବଶ୍ୟକୀୟ ଏଫ୧ ଭିସା(F1 visa) ନିୟମରେ ପରିବର୍ତ୍ତନ କରାଯାଇଛି । ଏହା ଦ୍ୱାରା ଛାତ୍ରଛାତ୍ରୀଙ୍କ ଲାଗି ସମସ୍ୟା ବଢିପାରେ।    
ଏନେଇ ୱାଶିଂଟନ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି, ଛାତ୍ରଛାତ୍ରୀଙ୍କୁ ଅତି କମରେ ଗୋଟିଏ ପାଠ୍ୟକ୍ରମ ଚୟନ କରିବାକୁ ହେବ, ଯାହା ଦ୍ୱାରା ସେମାନଙ୍କୁ ବ୍ୟକ୍ତିଗତ ଭାବେ ନିଜ କ୍ଲାସରେ ଉପସ୍ଥିତ ରହିବାକୁ ପଡିବ ଅନ୍ୟଥା ସେମାନଙ୍କୁ ଆମେରିକାରୁ ବିତାଡିତ କରାଯିବ। 

ଏନେଇ ଭାରତୀୟ ଦୂତାବାସର ଜଣେ ମୁଖପାତ୍ର କହିଛନ୍ତି, ଯେଉଁ ସମୟରେ ଆମେରିକାର ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକ ନୂତନ ଶିକ୍ଷାବର୍ଷ ପାଇଁ ଯୋଜନା ଘୋଷଣା କରିନାହାଁନ୍ତି, ସେତେବେଳେ ଏହି ନୂତନ ନିର୍ଦ୍ଦେଶାବଳୀ ଆମେରିକାରେ ଅଧ୍ୟୟନ ଜାରି ରଖିବାକୁ ଚାହୁଁଥିବା କିଛି ଭାରତୀୟ ଛାତ୍ରଙ୍କ ପାଇଁ ଅନିଶ୍ଚିତତା ସୃଷ୍ଟି କରିଛି। ଏହା ଦ୍ୱାରା ଅନେକ ସମସ୍ୟା ଏବଂ ଅସୁବିଧା ଉପୁଜିପାରେ। 

ଏ ମାମଲାରେ ଭାରତ ସରକାର, ଆମେରିକାର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଜୁଲାଇ ୭ ତାରିଖରେ ଭାରତ-ଆମେରିକା ବୈଦେଶିକ କାର୍ଯ୍ୟାଳୟ ସମ୍ମିଳନୀରେ ବିଦେଶ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ରାଜନୈତିକ ବ୍ୟାପାର ବିଭାଗର ଉପ ମନ୍ତ୍ରୀ ଡେଭିଡ ହେଲଙ୍କୁ ଏ ବାବଦରେ ଜଣାଇଛନ୍ତି ।

ଏକ ରିପୋର୍ଟ ଅନୁସାରେ, ଚଳିତ ବର୍ଷ ଜାନୁଆରୀରେ ୧,୯୪,୫୫୬ ଭାରତୀୟ ଛାତ୍ର ଆମେରିକାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପଞ୍ଜୀକୃତ ହୋଇଛନ୍ତି। ସେମାନଙ୍କ ୧୨୬୧୩୨ ଛାତ୍ର ଏବଂ ୬୮୪୦୫ ଛାତ୍ରୀ । ବିଶ୍ୱ ମହାମାରୀ କୋଭିଡ୧୯ କାରଣରୁ ସୃଷ୍ଟି ହୋଇଥିବା ପରିସ୍ଥିତି ପାଇଁ ଆମେରିକୀୟ କର୍ତ୍ତୃପକ୍ଷ ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ସେମାନଙ୍କ ଭିସା ନିୟମକୁ କୋହଳ ପାରନ୍ତି ବୋଲି ଆଶାବାଦୀ ଅଛନ୍ତି ଭାରତୀୟ ଦୂତାବାସର ପ୍ରବକ୍ତ।