)
ନୂଆଦିଲ୍ଲୀ: ଭାରତରେ ଆରୋଗ୍ୟ ସେତୁ(Arogya Setu) ଆପ୍ ଦ୍ରୁତଗତିରେ ଡାଉନଲୋଡ୍ ଓ ଇନଷ୍ଟଲ କରାଯାଉଛି । ଲଞ୍ଚ ହେବାର କିଛି ଦିନ ମଧ୍ୟରେ ଏହି ଆପ୍ ଲକ୍ଷ ଲକ୍ଷ ଡାଉନଲୋଡ୍ ହୋଇସାରିଛି । ବର୍ତ୍ତମାନ ସର୍ବଶେଷ ସୂଚନା ଅନୁଯାୟୀ, ଆରୋଗ୍ୟ ସେତୁ ଆପ୍ ୭.୫ କୋଟି (75 ମିଲିୟନ) ଥର ଡାଉନଲୋଡ୍ କରାଯାଇଛି । ଆରୋଗ୍ୟ ସେତୁ ଆପ୍ ଏପ୍ରିଲ ୨ରେ ଲଞ୍ଚ କରାଯାଇଥିଲା । ସେବେଠାରୁ ଦ୍ରୁତ ଗତିରେ ଏହାର ଡାଉନଲୋଡ ବୃଦ୍ଧି ପାଉଛି । ଅନ୍ୟପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆରୋଗ୍ୟ ସେତୁ ଆପକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି ଯେ, ସରକାରକୁ ଭୟର ଫାଇଦା ଉଠାଇବା ଉଚିତ୍ ନୁହେଁ ।
ରାହୁଲ ତାଙ୍କ ଟ୍ୱିଟରେ ଲେଖିଛନ୍ତି, "ଆରୋଗ୍ୟ ସେତୁ ଆପ୍ ଏକ ଅତ୍ୟାଧୁନିକ ମନିଟରିଂ ସିଷ୍ଟମ । ଯାହା ହେଉଛି ଏକ ଘରୋଇ ଅପରେଟରଙ୍କ ଆଉଟସୋର୍ସିଂ । ଏହାସହ ଏହା ଉପରେ ସଂସ୍ଥାଗତ ସ୍ତର ଉପରେ ମଧ୍ୟ କୌଣସି ମନିଟରିଂ କରାଯାଉ ନାହିଁ । ଏହି ଆପ୍ ସହିତ ଡାଟା ଏବଂ ଗୋପନୀୟତା ସହ ଜଡିତ ଅନେକ ସମସ୍ୟା ରହିଛି । ଟେକ୍ନୋଲୋଜି ଆମକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିପାରିବ । କିନ୍ତୁ ବିନା ଅନୁମତିରେ ଲୋକଙ୍କୁ ଟ୍ରାକ୍ କରିବା ଭୁଲ ଅଟେ । ଭୟ ନାଁରେ ଲାଭ ଉଠାଇବା ଭୁଲ ଅଟେ ।"
ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କ ପାଇଁ ମୋବାଇଲରେ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିବା ବାଧ୍ୟତାମୂଳକ କରିଛନ୍ତି । ଏହାର ଉଦ୍ଦେଶ୍ୟ ହେଉଛି କୋରୋନା ଭାଇରସ୍ (Covid-19)ର ଶୃଙ୍ଖଳା ଭାଙ୍ଗିବା ପାଇଁ ଆପର ପ୍ରଭାବଶାଳୀ ବ୍ୟବହାର ନିଶ୍ଚିତ କରିବା । ସରକାରଙ୍କ ଦ୍ୱାରା ଜାରି ହୋଇଥିବା ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଆରୋଗ୍ୟ ସେତୁ ଆପ୍ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ମୋବାଇଲ୍ ଫୋନରେ ତୁରନ୍ତ ପ୍ରଭାବ ସହିତ ଡାଉନଲୋଡ୍ ହେବା ଆବଶ୍ୟକ ।