ଆରପାରିରେ ଲାଲୁଙ୍କ ସଂକଟମୋଚକ ରଘୁବଂଶ ପ୍ରସାଦ ସିଂହ, ଦିଲ୍ଲୀ ଏମ୍ସରେ ନେଲେ ଅନ୍ତିମ ନିଶ୍ୱାସ
Advertisement

ଆରପାରିରେ ଲାଲୁଙ୍କ ସଂକଟମୋଚକ ରଘୁବଂଶ ପ୍ରସାଦ ସିଂହ, ଦିଲ୍ଲୀ ଏମ୍ସରେ ନେଲେ ଅନ୍ତିମ ନିଶ୍ୱାସ

କିଛି ଦିନ ପୂର୍ବେ ଅର୍ଥାତ ସେପ୍ଟମ୍ବର ୧୦ ତାରିଖରେ ସେ ଚିଠି ଲେଖି ଆରଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଥିଲେ । ହେଲେ ଯାହାକୁ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଅସ୍ୱୀକାର କରିଥିଲେ ।

ଆରପାରିରେ ଲାଲୁଙ୍କ ସଂକଟମୋଚକ ରଘୁବଂଶ ପ୍ରସାଦ ସିଂହ, ଦିଲ୍ଲୀ ଏମ୍ସରେ ନେଲେ ଅନ୍ତିମ ନିଶ୍ୱାସ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳର-ଆରଜେଡି(RJD-Rastriya Janata Dal) ବରିଷ୍ଠ ନେତା ରଘୁବଂଶ ପ୍ରସାଦ ସିଂହଙ୍କ (Raghuvansh Prasad Singh) ରବିବାର (ସେପ୍ଟମ୍ବର ୧୩, ୨୦୨୦) ନିଧନ ହୋଇଯାଇଛି । ବିଗତ କିଛି ଦିନ ଧରି ସେ ଦିଲ୍ଲୀସ୍ଥିତ ଏମ୍ସରେ (Delhi AIIMS) ଚିକିତ୍ସାଧିନ ଥିଲେ । ଯେଉଁଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କୁ ପୋଷ୍ଟ କୋଭିଡ କେୟାର (Post Covid Care) ଲାଗି ଏମ୍ସ ଅଣାଯାଇଥିଲା । ସେଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ।

କିଛି ଦିନ ପୂର୍ବେ ଅର୍ଥାତ ସେପ୍ଟମ୍ବର ୧୦ ତାରିଖରେ ସେ ଚିଠି ଲେଖି ଆରଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଥିଲେ । ହେଲେ ଯାହାକୁ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଅସ୍ୱୀକାର କରିଥିଲେ । ଚଳିତ ବର୍ଷ ଅଗଷ୍ଟରେ ସେ ଦଳର ଉପାଧ୍ୟକ୍ଷ ପଦରୁ ଇସ୍ତଫା ପ୍ରଦାନ କରିସାରିଥିଲେ । ୧୯୭୭ ମସିହାରୁ ସେ ସକ୍ରିୟ ରାଜନୀତିରେ ପାଦ ଥାପିଥିଲେ । ଲାଲୁ ଯାଦବଙ୍କ ସଂକଟମୋଚକ ଭାବେ ଜଣାଶୁଣା ଥିଲେ ସେ । ବିହାର ରାଜନୀତିରେ ସେ ରଘୁବଂଶ ବାବୁ (Raghuvansh Babu) ନାମରେ ପରିଚିତ ଥିଲେ ସେ ।  

ରାଜ୍ୟର ବୈଶାଳୀ ଲୋକସଭା ଆସନରୁ (Vaishali Lok Sabha) ସେ ୪ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଏପରିକି କେନ୍ଦ୍ରରେ କଂଗ୍ରେସ ନେତୃତ୍ୱରେ ଗଠିତ ହୋଇଥିବା ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ-ୟୁପିଏ(UPA-United Progressive Alliance) ସରକାରରେ ମନ୍ତ୍ରୀ ମଧ୍ୟ ରହିଥିଲେ ।      

ରାଜନୀତିରେ ଆସିବା ପୂର୍ବରୁ ସେ ଗଣିତ ଅଧ୍ୟାପକ (Mathematics Lecturer) ଥିଲେ । ବିହାର ବିଶ୍ୱବିଦ୍ୟାଳୟରୁ (Bihar University) ଡକ୍ଟରେଟ ଡିଗ୍ରୀ ହାସଲ କରିଥିଲେ । ୧୯୬୯-୧୯୭୪ ପର୍ଯ୍ୟନ୍ତ ସେ ସୀତାମଢିସ୍ଥିତ ଗୋଏଙ୍କା କଲେଜରେ ପ୍ରଫେସର ଭାବେ କାର୍ଯ୍ୟ କରିଥିଲେ । ୧୯୭୦ ମସିହରେ ସେ ଶିକ୍ଷକ ଆନ୍ଦୋଳନରେ ସାମିଲ ହୋଇ ଜେଲ ଯାଇଥିଲେ । ଅନେକ ଆନ୍ଦୋଳନରେ ସାମିଲ ହେବା କାରଣରୁ ତାଙ୍କୁ ବହୁ ଥର ଜେଲ ଯିବାକୁ ପଡିଥିଲା ।      

୧୯୭୩ ମସିହାରେ ସଂଯୁକ୍ତ ସୋଶିଆଲିଷ୍ଟ ପାର୍ଟି(United Socialist Party) ପକ୍ଷରୁ  କରାଯାଇଥିବା ଆନ୍ଦୋଳନରେ ଜେଲ ଯାଇଥିଲେ ବିହାର ରାଜନୀତିର ଅନ୍ୟତମ ଚର୍ଚ୍ଚିତ ଚେହେରା ଭାବେ ଜଣାଶୁଣା ରଘୁବଂଶ ବାବୁ । ୧୯୭୪ ମସିହାରେ ଜେପି ଆନ୍ଦୋଳନରେ (Jay Prakash Movement) ଭାଗ ନେଇଥିଲେ । ଏହି ସମୟରେ ଉଭୟ କେନ୍ଦ୍ର ଏବଂ ବିହାରରେ ଏକ କଂଗ୍ରେସ ଦଳ କ୍ଷମତାସୀନ ଥିଲା । ବିହାର ସରକାର ଜେଲରେ ଥିବା ରଘୁବଂଶ ପ୍ରସାଦ ସିଂଙ୍କୁ ପ୍ରଫେସର ପଦରୁ ବରଖାସ୍ତ କରିଥିଲେ । ଏହା ପରେ କେବେ ରଘୁବଂଶ ବାବୁ ଆଉ ପଛକୁ ଚାହିଁନଥିଲେ ଏବଂ ରାଜନୀତିରେ ସମ୍ପୂର୍ଣ୍ଣ ସକ୍ରିୟ ହୋଇଯାଇଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭେଟେରାନ ଆରଜେଡି ନେତା ରଘୁବନ ପ୍ରସାଦଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ରଘୁବଂଶ ବାବୁଙ୍କ ବିୟୋଗ ବିହାର ଏବଂ ଦେଶର ରାଜନୀତିରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ସେ ସାରା ଜୀବନ ସଂଗ୍ରାମରେ ବିତାଇଥିଲେ। ସେ ଯେଉଁ ଆଦର୍ଶରେ ବଢିଥିଲେ, ସେ ତାଙ୍କୁ ସାରା ଜୀବନ ଅନୁସରଣ କରିଥିଲେ । ତାଙ୍କ ମଧ୍ୟରେ ଏକ ମନ୍ଥନ ଚାଲିଥିଲା । ସେ ଯେଉଁ ଆଦର୍ଶ ସହ ଚାଲିଥିଲେ, ଏହା ସହିତ ଚାଲିବା ସମ୍ଭବ ନୁହେଁ । ସେ ଏକ ଚିଠି ଲେଖି ସେ ଏ ବାବଦରେ ମଧ୍ୟ ପ୍ରକାଶ କରିଛନ୍ତି । ସେ ନୀତୀଶ ଜୀଙ୍କୁ ଶେଷ ଚିଠି ଲେଖିଥିଲେ ଯେଉଁଥିରେ ସେ ବିକାଶ ବିଷୟରେ କହିଥିଲେ। "

ଦୁଃଖ ପ୍ରକାଶ କରିଛନ୍ତି ଲାଲୁ ପ୍ରସାଦ

ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ତାଙ୍କ ସହଯୋଗୀ ରଘୁବଂଶ ପ୍ରସାଦଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି, ପ୍ରିୟ ରଘୁବଂଶ ବାବୁ! ଆପଣ ଏହା କ'ଣ କଲେ? ପଅର ଦିନ ରାତିରେ ମୁଁ ଆପଣଙ୍କୁ କହିଥିଲି, ଆପଣ କେଉଁଆଡେ ଯିବେ ନାହଁ । ଆପଣ ଏବେ ବହୁତ ଦୂରକୁ  ଚାଲିଯାଇଛନ୍ତି । ମୁଁ ନିଃଶବ୍ଦ, ମୁଁ ଦୁଃଖିତ, ଆପଣ ମନେପଡିବେ ।