)
ଲକ୍ଷ୍ନୌ: କୁବେର ଅତର ବ୍ୟବସାୟୀ ପୀୟୁଷ ଜୈନଙ୍କୁ ନେଇ ଏବେ ପୁରା ଦେଶରେ ଜୋର ଧରିଛି ରାଜନୀତି । ଆଗକୁ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଥିବା ବେଳେ ଏହି ଘଟଣା ପରେ ରାଜନୀତି ବେଶ ସରଗରମ ହୋଇଛି । ସେପଟେ ଅତର ବ୍ୟବସାୟୀଙ୍କ ଘରୁ ଟଙ୍କା ସୁନା ଜବତ ହେବା ଅସରନ୍ତି ପରି ଲାଗୁଛି । କାରଣ ଯେତେ ଖୋଳା ହଉଛି ସେତେ ବାହାରୁଛି । କାନପୁର ବ୍ୟବସାୟୀ ପୀୟୁଷ ଜୈନଙ୍କ ବାସଭବନରେ ଚଢଉ କରି ଆୟକର ଅଧିକାରୀମାନେ ୨୫୦ କୋଟିରୁ ଅଧିକ ଟଙ୍କା ଜବତ କରିଛନ୍ତି । ଇତିହାସରେ ଏତେ ପରିମାଣରେ ନଗଦ ଟଙ୍କା କେବେ ଜବତ ହୋଇନଥିଲା ।
ତେବେ ଏଠି ସମସ୍ତେ ଭାବୁଥିବେ କି ଯଦି ଏତେ ଟଙ୍କା ପିୟୁଷଙ୍କ ପାଖରେ ଥିଲା ତେବେ ତାଙ୍କ ଚଳଣି ମଧ୍ୟ ସେମିତି ବିଳାସପୂର୍ଣ୍ଣ ହୋଇଥିବ । ହେଲେ ତାହା ସମ୍ପୂର୍ଣ୍ଣ ଭୁଲ। ତାଙ୍କ ଚଳଣୀ ଶୁଣିଲେ ଯିଏ କେହି ବି ଆଶ୍ଚର୍ଯ୍ୟ ହେବେ। ସାଧାରଣ ମଣିଷଟେ ପରି ଚଳିବା ସହ ସ୍କୁଟର (Scooter) ରେ ଯିବାଆସିବା କରୁଥିଲେ । ଆଉ ଭୋଜି ହେଉ ବା ଫଙ୍କସନ ସାଧାସିଧା ପୋଷାକ ସହ ହାୱାଇ ଚପଲ ପିନ୍ଧି ପହଞ୍ଚିଯାଉଥିଲେ । ତାଙ୍କ ଜୀବନର ଗୋଟିଏ ମୂଳ ମନ୍ତ୍ର ଥିଲା ନା କାହା ସହ ବନ୍ଧୁତା ନା କାହା ସହ ଶତ୍ରୁତା।
ଅତର ବ୍ୟବସାୟୀ ପୀୟୁଷ ଜୈନ (piyush jain) ପ୍ରଥମେ ନିଜ ବାପାଙ୍କ ବ୍ୟବସାୟ ସମ୍ଭାଳୁଥିଲେ । ସାବୁନ ଓ ଡିଟରଜେଣ୍ଟ ବ୍ୟବସାୟ ଆଗକୁ ବଢାଇ ପରେ ତମ୍ବାଖୁ ବିକ୍ରୟ ଉପରେ ଧ୍ୟାନ ଦେଲେ । ପରେ ବଡ ବଡ କମ୍ପାନୀକୁ ବିକ୍ରୟ କରିବା ଆରମ୍ଭ କରିବା ସହ ଧିରେ ଧିରେ ଧନ କୁବେର ପାଲଟିଗଲେ ପୀୟୁଷ ଜୈନ। ପୀୟୁଷଙ୍କ ଗୋଟିଏ ଝିଅ ଯିଏ ବିବାହିତ ଓ ସେ ପାଇଲଟ ଅଛନ୍ତି । ସେହିପରି ପୀୟୁଷଙ୍କ ଦୁଇଟି ପୁଅ ମଧ୍ୟ ରହିଛନ୍ତି।
କାନପୁର (Kanpur) ରୁ କୁଏତ ଯାଏ ଲମ୍ବିଥିବା ଏହି ବ୍ୟବସାୟୀ ପାଖରୁ ଏଯାବତ ଟଙ୍କା ଓ ସୁନା ଗହଣା ଏବଂ ବିଭିନ୍ନ ସ୍ଥାନରେ ଥିବା ପ୍ରୋପର୍ଟି ମିଳିଛି । ତଦନ୍ତ ଅଧିକାରୀ ପ୍ରତିଦିନ ଏସଂକ୍ରାନ୍ତରେ ନୂଆ ନୂଆ ତଥ୍ୟ ରଖୁଛନ୍ତି । ମଙ୍ଗଳବାର ପୀୟୁଷଙ୍କ କନ୍ନୌଜ ସ୍ଥିତ ବାସଭବନରୁ ଘରୁ ପୁଳା ପୁଳା ଟଙ୍କା ବାହାରିବା ପରେ ସୁନା ଗହଣା ମିଳିଛି । ପାଖାପାଖି ୬ଟି ବାକ୍ସରେ ୬୪ କିଲୋ ସୁନା ସହିତ ୧୭ କୋଟି ଟଙ୍କା ଜବତ ହୋଇଛି । ସେପଟେ କାନପୁରର କୁବେର କୁହାଯାଉଥିବା ଏହି ବ୍ୟବସାୟୀ କିନ୍ତୁ ଏବେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ରହିଛନ୍ତି ।