ନେପାଳରେ ବର୍ଷାର ତାଣ୍ଡବଲୀଳା: ୧୦ ମୃତ, ୪୦ରୁ ଅଧିକ ନିଖୋଜ

ଏହା ପୂର୍ବରୁ ନେପାଳର ସିନ୍ଧୁପାଲଚୌକ୍ ଜିଲ୍ଲାରେ ବନ୍ୟା ଯୋଗୁଁ ଅତି କମରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ଏହାସହ ୧୮ ଜଣ ନିଖୋଜ ଥିବା ଜଣାଯାଇଛି । 

ନେପାଳରେ ବର୍ଷାର ତାଣ୍ଡବଲୀଳା: ୧୦ ମୃତ, ୪୦ରୁ ଅଧିକ ନିଖୋଜ

କାଠମାଣ୍ଡୁ: ନେପାଳରେ ଲଗାତାର ପ୍ରବଳ ବର୍ଷା ଜାରି ରହିଛି । ବର୍ଷା ଯୋଗୁଁ ନଦୀଗୁଡ଼ିକର ଜଳ ସ୍ତର ବଢ଼ିବାରେ ଲାଗିଛି । ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଘଟୁଛି । ଏପର୍ଯ୍ୟନ୍ତ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ନିଖୋଜ ଲୋକଙ୍କ ତଲାସୀ ଅଭିଯାନ ଜାରି ରହିଛି । ଏହା ସହ ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଚାଲିଛି ।

ଏହା ପୂର୍ବରୁ ନେପାଳର ସିନ୍ଧୁପାଲଚୌକ୍ ଜିଲ୍ଲାରେ ବନ୍ୟା ଯୋଗୁଁ ଅତି କମରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ଏହାସହ ୧୮ ଜଣ ନିଖୋଜ ଥିବା ଜଣାଯାଇଛି । ଗୁରୁବାର ପୋଲିସ ଏହା ନିଶ୍ଚିତ କରିଛି । ବନ୍ୟା ଓ ଭୂସ୍ଖଳନ ଯୋଗୁଁ ନେପାଳ ଓ ଚୀନ୍ ମଧ୍ୟରେ ତତୋପାନି-ୱାଙ୍ଗମୁ ସୀମା ବିନ୍ଦୁକୁ ସଂଯୋଗ କରୁଥିବା ରାସ୍ତା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

ସିନ୍ଧୁପାଲଚୌକ୍ ଜିଲ୍ଲା ପ୍ରଶାସନ କାର୍ଯ୍ୟାଳୟର ମୁଖ୍ୟ ଜିଲ୍ଲା ଅଧିକାରୀ ଉମେଶ କୁମାର ଢକାଲ ଗୁରୁବାର ସକାଳେ ନ୍ୟୁଜ୍ ଏଜେନ୍ସି ସିନହୁଆକୁ କହିଛି ଯେ, ବାରହାବିସେ ପୌରସଂସ୍ଥାରେ ପ୍ରବାହିତ ୧୧ଟି ଘର ଭାସି ଯିବାରୁ ୧୪ ଜଣ ନିଖୋଜ ଅଛନ୍ତି । ଏହା ସହିତ ୩ ଜଣ ଆହତ ହୋଇଛନ୍ତି । ଏଥିସହ ଭୋଟେକୋଶୀ ପୌରସଂସ୍ଥାରେ ଦୁଇଟି ଘର ପ୍ରବାହିତ ହେବା ପରେ ଚାରି ଜଣ ନିଖୋଜ ହୋଇଯାଇଛନ୍ତି । ଆଉ ଦୁଇ ଜଣ ଆହତ ହୋଇଛନ୍ତି ।

ଉମେଶ କୁମାର ଢକାଲ ଏହା ମଧ୍ୟ କହିଛନ୍ତି ଯେ, ରାଜଧାନୀ କାଠମାଣ୍ଡୁକୁ ନେପାଳ-ଚୀନ୍ ସୀମା ବିନ୍ଦୁକୁ ସଂଯୋଗ କରୁଥିବା ଆରାନିକୋ ରାଜପଥ ମଧ୍ୟ ଅତି କମରେ ସାତୋଟି ସ୍ଥାନରେ କ୍ଷତିଗ୍ରସ୍ତ ହୋଇଛି । କିଛି ଦିନ ଧରି ଚୀନ୍ ସହିତ ଆମ ଦେଶର ବାଣିଜ୍ୟ ଉପରେ ଏହା ପ୍ରଭାବ ପକାଇବ ବୋଲି ଢକାଲ କହିଛନ୍ତି ।