)
ମୁମ୍ବଇ: ତମାମ ଦେଶରେ ଏବେ ମୌସୂମୀ ପ୍ରଭାବରେ ବର୍ଷା ଜାରି ରହିଛି। କେଉଁଠାରେ ଅଧିକ ହେଉଛି ତ ଆଉ କେଉଁଠାରେ ସ୍ୱଳ୍ପ ପରିମାଣରେ ବର୍ଷା ହେଉଥିବା ଦେଖିବାକୁ ମିଳିଛି। ଦେଶର ଅନେକ ସ୍ଥାନରେ ବର୍ଷା ଜାରି ରହିଛି। ସୋମବାର ସକାଳେ ମୁମ୍ବାଇରେ ପ୍ରବଳ ବର୍ଷା ହୋଇଛି। ବର୍ଷା ହେତୁ ଅନେକ ସ୍ଥାନରେ ବର୍ଷାପାଣି ଭର୍ତ୍ତି ହୋଇଛି। ଫଳରେ ସମସ୍ୟା ଉପୁଜିଛି। ଭୋର ପ୍ରାୟ ୫ଟାରୁ ମୁମ୍ବାଇରେ ଲଗାଣ ବର୍ଷା ଜାରି ରହିଛି। ଦାଦର-ହିନ୍ଦମାତାରେ ରାସ୍ତାରେ ବର୍ଷାପାଣି ଜମିବାରୁ ଯାତାୟତରେ ସମସ୍ୟା ଉପୁଜିଛି। ଦିନ ତମାମ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।
ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ ଏବଂ ବିହାରରେ ଆଗାମୀ ଦୁଇ ଦିନ ମଧ୍ୟରେ ପଞ୍ଜାବ ଏବଂ ହରିୟାଣାରେ ୨୯ ତାରିଖ ମଧ୍ୟରେ ପ୍ରବଳ ବର୍ଷା ହୋଇପାରେ। ଏଥିସହ ହିମାଳୟ ଉପାନ୍ତ ଅଞ୍ଚଳରେ, ପଶ୍ଚିମବଙ୍ଗ, ଆସାମ ଏବଂ ଅରୁଣାଚଳ ପ୍ରଦେଶରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ବିହାର ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେତୁ ବନ୍ୟା ପରିସ୍ଥିତି ବୃଦ୍ଧି ପାଇଛି। ବନ୍ୟା ଯୋଗୁଁ ଏପର୍ଯ୍ୟନ୍ତ ୭ଜଣ ପ୍ରାଣ ହରାଇଛନ୍ତି ଏବଂ ୧୦।୬ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟାରେ ଅଧିକ ପ୍ରଭାବିତ ଲୋକଙ୍କୁ ଖାଦ୍ୟ, ପାନୀୟ ଜଳ ଏବଂ ଅନ୍ୟାନ୍ୟ ରିଲିଫ୍ ସାମଗ୍ରୀ ଯୋଗାଇବା ପାଇଁ ଦାରବଙ୍ଗା, ପୂର୍ବ ଏବଂ ପଶ୍ଚିମ ଚମ୍ପାରନ୍, ମଧୁବନୀ ଏବଂ ଗୋପାଳଗଞ୍ଜ ଅଞ୍ଚଳରେ ବାୟୁସେନା ସାହାଯ୍ୟରେ ପହଞ୍ଚାଯାଇଛି।