)
Bus Fire: ଏମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁ କିଛି। କ୍ଷିଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। ଜଳିଗଲା ଯାତ୍ରୀବାସୀ ବାସ୍ । ଘଟଣାସ୍ଥଳରେ ୨୦ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ରାଜସ୍ଥାନର ଜୈସଲମେର୍- ଯୋଧପୁର ରାଜପଥରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା। ସବୁଠୁ ବଡ଼ କଥା ହେଲା ଆହତଙ୍କ ମଧ୍ୟରେ ୪ ଜଣ ମହିଳା ଓ ୨ ଜଣ ଶିଶୁ ରହିଛନ୍ତି। ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି।
ସୂଚନା ଅନୁସାରେ, ମଙ୍ଗଳବାର ଅପରାହ୍ନ ସମୟରେ ଏକ ଘରୋଇ ବସ୍ ଟି ୫୭ ଜଣ ଯାତ୍ରୀଙ୍କୁ ନେଇ ଜୈସଲମେରରୁ -ଯୋଧପୁର ଅଭିମୁଖେ ଯାତ୍ରା କରୁଥିଲା। ହେଲେ ରାସ୍ତା ମଝିରେ କୌଣସି ଏକ କାରଣରୁ ବସ୍-ଟି ଜଳି ଉଠିଲା । ବସ୍ ରେ ଥିବା ୫୭ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୦ ଜଣ ଜୀବନ୍ତ ଜଳି ଯାଇଥିଲେ। ପରେ ଘଟଣାସ୍ଥଳରେ ଖବର ପାଇ ଉଦ୍ଧାରକାରୀ ଦଳ ଓ ପୋଲିସ୍ ଟିମ୍ ପହଞ୍ଚିଥିଲେ।
ବସ୍ ଭିତରେ ଫସି ରହିଥିବା ସମସ୍ତ ଯାତ୍ରୀଙ୍କୁ ବାହାର କରିଥିଲେ ଉଦ୍ଧାରକାରୀ ଦଳ। ଆଉ ଗୁରୁତର ଓ ଆହତ ହୋଇଥିବା ଯାତ୍ରୀଙ୍କୁ ମେଡିକାଲ୍ ପଠାଯାଇଛି। ସେଠାରେ ଚିକିତ୍ସା ଜାରି ରହିଛି। ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ ବୋଲି ଆଶଙ୍କା କରାଯାଉଛି। ତେବେ, ପ୍ରାଥମିକ ତଦନ୍ତରୁ ଏହା ଜଣାପଡୁଛି ଯେ, ଦୁର୍ଘଟଣାଟି ସର୍ଟ ସର୍କିଟ୍ ରୁ ହୋଇଥିବା ଅନୁମାନ କରାଯାଉଛି।
ସେପଟେ, ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ପ୍ରତାପ୍ ସିଂହ। ଏବଂ ଆହତଙ୍କୁ ତୁରନ୍ତ ସହାୟତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କୁ ଚିହ୍ନଟ କରିବା ଏବେ କାଠିକର ପାଠ ହୋଇପଡିଛି। ସେନେଇ ଡିଏନଏ ଟେଷ୍ଟ କରାଯାଇ ମୃତଦେହ ଚିହ୍ନଟ କରାଯିବ। ଏହାପରେ ହିଁ ମୃତଦେହ ଗୁଡ଼ିକୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
ଅନ୍ୟପଟେ, ଘଟଣାକୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଏବଂ ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କ ପାଇଁ ୫୦ ହଜାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି।