)
ନୂଆଦିଲ୍ଲୀ: ରାଜସ୍ଥାନ ସମେତ ସମଗ୍ର ଉତ୍ତର ଭାରତରେ ଏହି ସମୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ରାଜସ୍ଥାନର ଅନେକ ସହରର ତାପମାତ୍ରା ପ୍ରାୟ ୪୫ ଡିଗ୍ରୀ କିମ୍ବା ଏହା ଠାରୁ ଅଧିକ ପହଞ୍ଚିଛି । ପାଣିପାଗ ବିଭାଗ ଅନୁଯାୟୀ ମଙ୍ଗଳବାର ଚୁରୁରେ ତାପମାତ୍ରା ୫୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଉତ୍ତର ଭାରତରେ ହରିୟାଣା, ପଞ୍ଜାବ ଏବଂ ସେମାନଙ୍କର ମିଳିତ ରାଜଧାନୀ ଚଣ୍ଡିଗଡ଼ରେ ମଧ୍ୟ ଉତ୍ତାପ ଜନିତ କାରଣରୁ ଲୋକ ବିଚଳିତ ହୋଇପଡିଛି । ହରିୟାଣାର ହିସାରରେ ସବୁଠାରୁ ଉତ୍ତପ୍ତ ସ୍ଥାନ । ଯେଉଁଠାରେ ତାପମାତ୍ରା ୪୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।
ଆର୍ଦ୍ର ଉତ୍ତାପ ନାରନୌଲରେ ମଧ୍ୟ ଜାରି ରହିଛି । ଏଠାରେ ସାମାନ୍ୟ ତାପମାତ୍ରାରୁ ୫ ଡିଗ୍ରୀ ଅଧିକ ୪୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ହରିୟାଣାର ଅନ୍ୟାନ୍ୟ ସ୍ଥାନ ମଧ୍ୟରେ ଅମ୍ବାଲାରେ ୪୪.୨ ଡିଗ୍ରୀ ସେଲସିୟସ୍ ଓ କର୍ଣ୍ଣାଲରେ ୪୪ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି । ୟୁପି ଏବଂ ପଞ୍ଜାବରେ ମଧ୍ୟ ଉତ୍ତାପ ଯୋଗୁଁ ଲୋକମାନେ ଖରାପ ଅବସ୍ଥାରେ ଅଛନ୍ତି । ପ୍ରବଳ ଉତ୍ତାପ ପଞ୍ଜାବର ପଟିଆଲାରେ ମଧ୍ୟ ଦେଖିବାକୁ ମିଳିଛି । ଏଠାରେ ତାପମାତ୍ରା ୪୪.୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ପାଣିପାଗ ବିଭାଗର ସୂଚନାନୁସାରେ, ଆସନ୍ତା ୨ ଦିନ ପଞ୍ଜାବ ଓ ହରିୟାଣାରେ ପାଗ ଗରମ ରହିବ।