ରାଜସ୍ଥାନ ସଂକଟ: ସଚିନ ପାଇଲଟଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି ବିଜେପିର ନଜର
Advertisement

ରାଜସ୍ଥାନ ସଂକଟ: ସଚିନ ପାଇଲଟଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି ବିଜେପିର ନଜର

ସଚିନ ପାଇଲଟଙ୍କ ପରବର୍ତ୍ତୀ ପଦକ୍ଷେପ କ'ଣ ରହିବ ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା।      

ରାଜସ୍ଥାନ ସଂକଟ: ସଚିନ ପାଇଲଟଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି ବିଜେପିର ନଜର

ଜୟପୁର: ରାଜସ୍ଥାନରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟକୁ ନଜରରେ ରଖି ସତର୍କ ହୋଇଉଠିଛି ରାଜ୍ୟର ମୁଖ୍ୟ ବିରୋଧି ଦଳ ବିଜେପି । ଦଳୀୟ ଦଳ ବିରୁଦ୍ଧରେ ଖୋଲାଖୋଲି ବିଦ୍ରୋହ ଘୋଷଣା କରିବା ପରେ ରାଜ୍ୟ କଂଗ୍ରେସର ପୂର୍ବତନ ସଭାପତି ତଥା ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ପରବର୍ତ୍ତୀ ପଦକ୍ଷେପ କ'ଣ ରହିବ ତାହା ଏବେଠୁ ଦୃଷ୍ଟି ନିକ୍ଷେପ କଲେଣୀ ବିଜେପିର ଦଳୀୟ ନେତୃବୃନ୍ଦ ।      
 
ମଙ୍ଗଳବାର ଏ ପ୍ରସଙ୍ଗରେ ବିଜେପି ଶିବିରରେ ଆଲୋଚନା ହୋଇସାରିଛି । ରାଜସ୍ଥାନର ସାମ୍ପ୍ରତିକ ରାଜନୈତିକ ସ୍ଥିତିକୁ ନେଇ ବୁଧବାର ରାଜସ୍ଥାନ ରାଜ୍ୟ ବିଜେପି ଶାଖା ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ରାଜସ୍ଥାନ ବିଜେପି ସଭାପତି ସତୀଶ ପୁନିୟା, ବିଜେପି ରାଷ୍ଟ୍ରୀୟ ଉପରାଷ୍ଟ୍ରପତି ଓମ ମଥୁର, ସଙ୍ଗଠନ ସାଧାରଣ ସମ୍ପାଦକ ଭି ସତୀଶ, ବିରୋଧି ଦଳର ନେତା ଗୁଲାବ ଚନ୍ଦ କାଟାରିଆ, ବିରୋଧି ଦଳ ଉପନେତା ରାଜେନ୍ଦ୍ର ରାଠୋର ଏବଂ ରାଜ୍ୟ ସଙ୍ଗଠନର ସାଧାରଣ ସମ୍ପାଦକ ଚନ୍ଦ୍ର ଶେଖର ପ୍ରମୁଖ ଉପସ୍ଥିତ ରହିବେ । ଏହା ପୂର୍ବରୁ ରାଜସ୍ଥାନ ବିଜେପି ଅଧ୍ୟକ୍ଷ ଏବଂ ବିରୋଧି ଦଳ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରାଙ୍କ ସହ ଫୋନରେ କଥା ହୋଇଛନ୍ତି । 

ସମସ୍ତଙ୍କ ଆଖି ଏବେ ସଚିନ ପାଇଲଟଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ । ବୁଧବାର ସକାଳ ୧୦ଟା ସମୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ପାଇଲଟ ତାଙ୍କର ଆଗାମୀ କାର୍ଯ୍ୟପନ୍ଥା ବାବଦରେ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି । ଦଳରୁ ବହିଷ୍କୃତ ହେବା ପରେ ଏବେ ନୀରବତା ଅବଲମ୍ବନ କରିଛନ୍ତି  ପୂର୍ବତନ ରାଜସ୍ଥାନ କଂଗ୍ରେସ ସଭାପତି । 

ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ଉପରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ କହିଛନ୍ତି, ବିଦ୍ରୋହ କରିଥିବା ସଚିନ ପାଇଲଟଙ୍କ ହାତରେ କିଛି ନାହିଁ । ସେ କେବଳ ବିଜେପି ଇସାରାରେ ଚାଲୁଛନ୍ତି । ରାଜସ୍ଥାନରେ ମଧ୍ୟପ୍ରଦେଶର ଖେଳକୁ ପୁନରାବୃତ୍ତି କରିବାକୁ ବିଜେପି ଚାହୁଁଥିଲା ଏବଂ ବିଗତ ମାସରେ ଏସବୁ ଚାଲିଥିଲା।

ଏହା ସହିତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲୋତ କହିଛନ୍ତି ପାଇଲଟ୍ ଏବଂ ତାଙ୍କ ସହ ଯାଇଥିବା ମନ୍ତ୍ରୀ ତଥା ବିଧାୟକମାନଙ୍କୁ ସୁଯୋଗ ଦିଆଯାଇଥିଲା ହେଲେ ସେମାନେ ସୋମବାର କିମ୍ବା ମଙ୍ଗଳବାର କଂଗ୍ରେସ ବିଧାୟକ ଦଳ ବୈଠକରେ ଯୋଗ ଦେଇ ନାହାଁନ୍ତି । ପାଇଲଟ ଗୋଷ୍ଠୀର ବିଧାୟକ ହରିୟାଣାର ଏକ ହୋଟେଲରେ ଏକାଠି ହୋଇଥିବା ଦର୍ଶାଇ ସେ କହିଛନ୍ତି, 'ସଚିନ ପାଇଲଟଙ୍କ ହାତରେ କିଛି ନାହିଁ। ସେ ନିଜେ ଏବଂ ତାଙ୍କ ଗୋଷ୍ଠୀ ବିଜେପି  ଇସାରାରେ କାମ କରୁଛି । 

ବିଗତ କିଛି ମାସ ଧରି ରାଜ୍ୟରେ ବିଧାୟକ କ୍ରୟ ତଥା ବିକ୍ରୟ ପାଇଁ ଉଦ୍ୟମ ଚାଲିଥିଲା। ରାଜସ୍ଥାନରେ ବିଜେପିର ଯୋଜନା ସଂପୂର୍ଣ୍ଣ ହୋଇନାହିଁ। ମଧ୍ୟପ୍ରଦେଶ ଏବଂ କର୍ଣ୍ଣାଟକରେ ସେମାନେ ଯେପରି ଭାବେ ଅର୍ଥବଳ ମାଧ୍ୟମରେ ରାଜନୈତିକ ଚାଲ ଚଳାଇଲେ, ତାହାକୁ ରାଜସ୍ଥାନରେ ମଧ୍ୟ କରିବାକୁ ଚାହୁଁଥିଲେ। ଏହା ଏକ ଖୋଲା ଖେଳ ଥିଲା ।  ମୁଁ ଏହାକୁ ବୁଝି ପାରୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଗେହୋଲତ ।