ପାଇଲଟଙ୍କୁ ଆଶ୍ୱସ୍ତି
Advertisement

ପାଇଲଟଙ୍କୁ ଆଶ୍ୱସ୍ତି

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଏବେ ନୋଟିସ କାଏମ ରହିବ । କିନ୍ତୁ ବାଚସ୍ପତି କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଇପାରିବେ ନାହିଁ । 

ଫାଇଲ ଫଟୋ

ନୂଆଦିଲ୍ଲୀ: ରାଜସ୍ଥାନ ରାଜନୈତିକ ସଙ୍କଟ ମଧ୍ୟରେ ବିଦ୍ରୋହୀ କ୍ୟାମ୍ପକୁ ଆଶ୍ୱସ୍ତି । ସଚିନ ପାଇଲଟ ଓ ତାଙ୍କ ସମର୍ଥିତ ଅନ୍ୟ ସମସ୍ତ ୧୮ ବିଦ୍ରୋହୀ ବିଧାୟକଙ୍କୁ ରାଜସ୍ଥାନ ହାଇକୋର୍ଟ(Rajasthan High Court)ରୁ ଏହି ଆଶ୍ୱସ୍ତି ମିଳିଛି । ରାଜସ୍ଥାନ ବିଧାନସଭା ବାଚସ୍ପତି ସିପି ଯୋଶୀ(CP Joshi)ଙ୍କ ନୋଟିସ ଉପରେ ରହିତାଦେଶ ଜାରି କରିଛନ୍ତି ଉଚ୍ଚ ନ୍ୟାୟାଳୟ । ଫଳରେ ମୁଖ୍ୟମନ୍ତ୍ରୀ ଗେହଲଟ ଯେଉଁ ଢଙ୍ଗରେ ପାଇଲଟ ଓ ତାଙ୍କ ସମର୍ଥିତ ବିଦ୍ରୋହୀ ବିଧାୟକଙ୍କୁ ଚକମା ଦେବାକୁ ଚାହୁଁଥିଲେ, ତାହା ଗୋଟିଏ ପ୍ରକାର ଫେଲ ମାରିଛି । ଅବଶ୍ୟ ଏବେ ଗେହଲଟ 'ପ୍ଲାନ-ବି' ଉପରେ ଗୁରୁତ୍ୱାରୋପ କଲେଣି । 

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଏବେ ନୋଟିସ କାଏମ ରହିବ । କିନ୍ତୁ ବାଚସ୍ପତି କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଇପାରିବେ ନାହିଁ । ଏହି ମାମଲାରେ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ମଧ୍ୟ ପକ୍ଷଭୁକ୍ତ କରିବାକୁ ହଁ କହିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଉତ୍ତର ରଖିବା ପାଇଁ ସମୟ ମଗାଯାଇଛି । 

ଗୁରୁବାର ଆବେଦନକାରୀଙ୍କ ଆବେଦନକୁ ଗ୍ରହଣ କରିଛନ୍ତି ରାଜସ୍ଥାନ ହାଇକୋର୍ଟ । ଯେହେତୁ ସମ୍ବିଧାନ ସଂଶୋଧନ ଉପରେ ଚ୍ୟାଲେଞ୍ଜ ଦିଆଯାଇଛି, ତେଣୁ କେନ୍ଦ୍ର ସରକାରଙ୍କ ମଧ୍ୟ ପକ୍ଷଭୁକ୍ତ କରିବା ପାଇଁ ଆବେଦନ ହୋଇଥିଲା । ତେବେ ବାଚସ୍ପତିଙ୍କ ନୋଟିସ ପ୍ରସଙ୍ଗରେ ଏବେ କେନ୍ଦ୍ର ସରକାର ମଧ୍ୟ ପକ୍ଷଭୁକ୍ତ ହେବେ । 

ସଚିନ ପାଇଲଟ ଓ ତାଙ୍କ ସମର୍ଥିତ ୧୮ ବିଦ୍ରୋହୀ ବିଧାୟକଙ୍କୁ ବିଧାନସଭା ବାଚସ୍ପତି ନୋଟିସ କରିଥିଲେ । ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ନୋଟିସ ଜାରି କରିଥିଲେ ବାଚସ୍ପତି । ଅନ୍ୟପଟେ ସଚିନ କ୍ୟାମ୍ପ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ସଚିନ କ୍ୟାମ୍ପରେ ଥିବା ବିଧାୟକଙ୍କ ଯୁକ୍ତି ଏହା ଯେ ଦଳୀୟ ହ୍ୱିପର ଉଲଙ୍ଘନ ସେତେବେଳେ ଦର୍ଶାଯାଇପାରିବ, ଯେତେବେଳେ ବିଧାନସଭା ଅଧିବେଶନ ଚାଲିଥାଏ । ତେବେ ଆଜି ମଧ୍ୟ ସଚିନ ପାଇଲଟ ଓ ସମର୍ଥିତ ବିଧାୟକଙ୍କୁ ଆଶ୍ୱସ୍ତି ମିଳିଛି । କାହିଁକିନା ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।