ଦେଢ଼ କିଲୋ RDXରେ ଟ୍ରେନ ଟ୍ରାକ୍ ଉଡ଼ାଇବାକୁ Plan D; ଆତଙ୍କୀ ଷଡଯନ୍ତ୍ରରେ ଦେଶଦ୍ରୋହୀଙ୍କ ସମ୍ପୃକ୍ତି
Advertisement

ଦେଢ଼ କିଲୋ RDXରେ ଟ୍ରେନ ଟ୍ରାକ୍ ଉଡ଼ାଇବାକୁ Plan D; ଆତଙ୍କୀ ଷଡଯନ୍ତ୍ରରେ ଦେଶଦ୍ରୋହୀଙ୍କ ସମ୍ପୃକ୍ତି

ଦୀର୍ଘ ୨୮ ବର୍ଷ ପରେ ପୁଣିଥରେ ବର୍ବର କାଣ୍ଡର ପୁନରାବୃତ୍ତି ପାଇଁ ହୋଇଥିବା ପେପର ୱାର୍କର ପ୍ରତି ପୃଷ୍ଠାକୁ ତନ୍ନ ତନ୍ନ କରି ପରୀକ୍ଷା କରୁଛି ସୁରକ୍ଷା ଏଜେନ୍ସି।

ଦେଢ଼ କିଲୋ RDXରେ ଟ୍ରେନ ଟ୍ରାକ୍ ଉଡ଼ାଇବାକୁ Plan D; ଆତଙ୍କୀ ଷଡଯନ୍ତ୍ରରେ ଦେଶଦ୍ରୋହୀଙ୍କ ସମ୍ପୃକ୍ତି

ପ୍ରକାଶ ରଞ୍ଜନ ପରିଡା, ନୂଆଦିଲ୍ଲୀ: ପାକିସ୍ତାନରୁ ତାଲିମ ନେଇ ଫେରିଥିବା ଆତଙ୍କବାଦୀ ଓସାମା ଓ ଜୀଶାନ ମୁହଁରୁ ଫିଟିଛି ପ୍ଲାନ Dର ବ୍ଲୁପ୍ରିଣ୍ଟ। ଦୀର୍ଘ ୨୮ ବର୍ଷ ପରେ ପୁଣିଥରେ ବର୍ବର କାଣ୍ଡର ପୁନରାବୃତ୍ତି ପାଇଁ ହୋଇଥିବା ପେପର ୱାର୍କର ପ୍ରତି ପୃଷ୍ଠାକୁ ତନ୍ନ ତନ୍ନ କରି ପରୀକ୍ଷା କରୁଛି ସୁରକ୍ଷା ଏଜେନ୍ସି। ଦୁଇ ଦିନ ଧରି ଜେରା ସମୟରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ସୁରକ୍ଷା ଏଜେନ୍ସି ଅଧିକାରୀଙ୍କୁ ଆଶ୍ଚର୍ଯ୍ୟ କରିଛି। ଭାରତରେ ରହି ଭାରତ ବିରୋଧି ଷଡ଼ଯନ୍ତ୍ରରେ ସାମିଲ ହୋଇଥିବା ଭାରତୀୟ ଯୁବକଙ୍କ କୁକର୍ମର ତାଲିକା ପ୍ରସ୍ତୁତି ଜାରି ରହିଛି।

ଗିରଫ ଆତଙ୍କବାଦୀଙ୍କ ମଧ୍ୟରେ ସାମିଲ ଥିବା ଦିଲ୍ଲୀ ନିବାସୀ ଓସାମା ଓ ମୁମ୍ବାଇର ଧରାବୀ ବସ୍ତିରେ ରହୁଥିବା ଜାନ ମହମ୍ମଦକୁ ନେଇ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଦୀର୍ଘବର୍ଷ ଧରି ମହମ୍ମଦ ନିଜକୁ ଦାଉଦର ନିଜ ଲୋକ କହି ସ୍ଥାନୀୟ ଅଞ୍ଚଳରେ ଦବଦବା ଜାହିର କରୁଥିବା ବେଳେ ଦିଲ୍ଲୀରେ ରହୁଥିବା ଆତଙ୍କବାଦୀ ଓସାମାର ପୂରା ପରିବାର ୧୯୯୩ ବିସ୍ଫୋରଣ ପ୍ଲାନର ପୁନରାବୃତ୍ତି କରିବାକୁ ହୋଇଥିବା ଯୋଜନାରେ ସାମିଲ ହୋଇଥିଲା। ବିଦେଶୀଙ୍କ ଚକ୍ରାନ୍ତରେ ଫସିଥିବା ଏହି ଗିରଫ ଅଭିଯୁକ୍ତଙ୍କ ବାବଦରେ ଅଧିକ ଯାଞ୍ଚ ଜାରି ରହିଛି। ଏବେ ସେମାନଙ୍କୁ ଜେରା ଜାରି ରହିଛି। ସେମାନଙ୍କ ଲିଙ୍କରେ ଥିବା ଅନ୍ୟ ଆତଙ୍କବାଦୀଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରହିଛି।

ଦିଲ୍ଲୀ ପୋଲିସ ସ୍ପେଶାଲ ସେଲର ସୂଚନା ଅନୁସାରେ ଓସାମାର ପୂରା ପରିବାର ପାକିସ୍ତାନ ଗୁଇନ୍ଦା ଏଜେନ୍ସି ISI ଏବଂ ଅଣ୍ଡରୱାଲ୍ଡ ସହ ସମ୍ପର୍କରେ ରହିଥିଲେ। ଟେରର ମୋଡ୍ୟୁଲର ମାଷ୍ଟରମାଇଣ୍ଡ ଥିଲେ ଓସାମାର ବାପା ଉସୈଦୁର ରହମାନ ଏବେ ଦୁବାଇରେ ଅଛି। ସେଠାରେ ସେ ଏକ ମଦ୍ରାସା ଚଳାଇବା ସହ ISI ଲିଙ୍କରେ ରହିଛି। ଏହାସହିତ ଓସାମାର ଦାଦା  ହୁମୈଦୁର ରହମାନ ବି ISI ଟେରର ମୋଡ୍ୟୁଲରେ ସାମିଲ ଥିବା ଜଣାପଡ଼ିଛି।

Also Read: ପୁଣି ହୋଇପାରେ ୨୬/୧୧ ଆକ୍ରମଣ ଘଟଣାର ପୁନରାବୃତ୍ତି! ସନ୍ଦେହ ବଢାଉଛି ଅନୁପ୍ରବେଶ

ସେପଟେ ମୁମ୍ବାଇର ଧରାବୀ ବସ୍ତିରେ ରହୁଥିବା ଆତଙ୍କବାଦୀ ଜାନ ମହମ୍ମଦ ଶେଖ ଓରଫ ସମୀର କାଲିଆକୁ ନେଇ ମଧ୍ୟ ଏବେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ମୁମ୍ବାଇ କ୍ରାଇମବ୍ରାଞ୍ଚର ସୂଚନା ଅନୁସାରେ ଜାନ ମହମ୍ମଦ ଡି କମ୍ପାନୀ ସହ ଲିଙ୍କର ରହିବା ସହ ଅଣ୍ଡରୱାଲ୍ଡ ଲିଙ୍କକୁ ନେଇ ଧରାବୀ ବସ୍ତିରେ ପତିଆରା ବୃଦ୍ଧି  କରୁଥିଲା। ଲୋକଙ୍କୁ ନିଜ ପରିଚୟ ଦେବାକୁ ଯାଇ କହୁଥିଲା 'ମୁଁ ଭାଇର ଲୋକ'। ଗତ ୧୯୯୩ ମସିହାରେ ସିରିଏଲ ବ୍ଲାଷ୍ଟ ପରି ଏଥର ବି ସମାନ ଫର୍ମୁଲାରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। ଗତଥର ପରି ଏଥର ମଧ୍ୟ ଷଡ଼ଯନ୍ତ୍ରରେ ଅଣ୍ଡରୱାଲ୍ଡ ସାହାରା ନିଆଯାଇଥିଲା। ପୂରା ଯୋଜନାକୁ ସାକାର କରିବା ପାଇଁ ଦାଉଦର ଭାଇ ଅନୀସ ଉପରେ ଦାୟିତ୍ୱ ନ୍ୟସ୍ତ ହୋଇଥିଲା।

ଏହାସହିତ ପାକିସ୍ତାନରେ ଆତଙ୍କବାଦୀ ଓସାମା ଓ ଜୀଶାନକୁ ଟ୍ରେନ ଲାଇନ ଉଡ଼ାଇବାକୁ ଦିଆଯାଇଥିଲା ଖାସ୍ ଟ୍ରେନିଂ। ଆତଙ୍କବାଦୀ ଦେଶରେ ପାର୍ବଣ ଋତୁକୁ ହିଁ ଟାର୍ଗେଟ କରିଥିଲେ। ଧାର୍ମିକ କାର୍ଯ୍ୟ ସମୟରେ ଭିଡ଼ ସ୍ଥାନରେ ବିସ୍ଫୋରଣ କରିବାକୁ ପ୍ରସ୍ତୁତ ହୋଇଥିଲା ପ୍ଲାନ।

୧୯୯୩ରେ ସିରିଏଲ ବିସ୍ଫୋରଣରେ ଦୋହଲି ଯାଇଥିଲା ମହାନଗରୀ ମୁମ୍ବାଇ। ବିସ୍ଫୋରଣର ଏହି ଷଡ଼ଯନ୍ତ୍ର ରଚିଥିଲା ଅଣ୍ଡରୱାଲ୍ଡ ଡନ୍ ଦାଉଦ ଇବ୍ରାହିମ। ଦୀର୍ଘ ୨୮ ବର୍ଷ ପରେ ପୁଣିଥରେ ଦାଉଦ ଆଣ୍ଡ କମ୍ପାନୀ ଭାରତରେ ବିସ୍ଫୋରଣ ପାଇଁ ପଟ୍ଟକଥା ପ୍ରସ୍ତୁତ କରିଥିଲା। ଯାହାର ମୋହରା ବନିଥିଲେ ୬ ଆତଙ୍କବାଦୀ। ଏଥିପାଇଁ ସ୍ୱତନ୍ତ୍ର ଭାବରେ ଦିଲ୍ଲୀର ଓସାମା ଏବଂ ପ୍ରୟାଗରାଜର ଜୀଶାନକୁ ପାକିସ୍ତାନ ଡକାଇ ISI ଦେଇଥିଲା ତାଲିମ। ସେଠାରୁ ଧ୍ୱଂସର ପୂର୍ଣ୍ଣ ପ୍ରସ୍ତୁତି ସହ ଉଭୟେ ସ୍ୱଦେଶ ବାହୁଡ଼ିଥିଲେ। ୨୬/୧୧ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀ କସାବକୁ ପାକିସ୍ତାନର ଯେଉଁଠାରେ ଟ୍ରେନିଂ ଦିଆଯାଇଥିଲା, ସେହି ଥଟ୍ଟାରେ ଜୀଶାନ ଓ ଓସାମାକୁ ମଧ୍ୟ ବୋମା ବିସ୍ପୋରଣର ବ୍ଲାଷ୍ଟର ଟ୍ରେନିଂ ଦିଆଯାଇଥିଲା ।

ଜୀଶାନ, ଓସାମା ଏବଂ ସେମାନଙ୍କ ଟିମକୁ ଦେଶକୁ ଦୋହଲାଇ ଦେବାପାଇଁ ଯେଉଁ ଟାସ୍କ ଦିଆଯାଇଥିଲା, ତାହା ଯଦି ସଫଳ ହୋଇଯାନ୍ତା, ତେବେ ୧୯୯୩ର ମୁମ୍ବାଇ ବିସ୍ଫୋରଣ ଭଳି ଧ୍ୱଂସର ତାଣ୍ଡବଲୀଳା ଘଟିଥାନ୍ତା । ୧୯୯୩ର ମୁମ୍ବାଇ ବ୍ଲାଷ୍ଟ ଏବଂ ୨୦୨୧ର ଷଡ଼ଯନ୍ତ୍ରରେ କେଉଁଭଳି ସାମଞ୍ଜସ୍ୟ ରହିଥିଲା ତାହା ଉପରେ ପକାନ୍ତୁ ନଜର... 

Also Read: Security Threat: ବଢୁଛି Taliban ତାକତ, Afghan ପରେ India ପାଇଁ ବଢିଲା ବିପଦ

୧୯୯୩ ବିସ୍ଫୋରଣ

  • ମୁମ୍ବାଇରେ ବୋମା ବିସ୍ଫୋରଣର ଷଡ଼ଯନ୍ତ୍ର ଦାଉଦ ଇବ୍ରାହିମ
  • ବୋମା ବିସ୍ଫୋରଣକୁ ପାକ୍ ଗୁଇନ୍ଦା ସଂସ୍ଥା ISI ଅପରେଟ୍
  • ବ୍ଲାଷ୍ଟର କୋ-ଅର୍ଡିନେଟର ଥିଲା ଦାଉଦର ଭାଇ ଅନିସ ଇବ୍ରାହିମ
  • ବ୍ଲାଷ୍ଟରେ RDX ବ୍ୟବହୃତ ହୋଇଥିଲା

୨୦୨୧ ବିସ୍ଫୋରଣ ଷଡ଼ଯନ୍ତ୍ର

  • ବୋମା ବିସ୍ଫୋରଣର ଷଡ଼ଯନ୍ତ୍ର ରଚିଥିଲା ଦାଉଦ ଇବ୍ରାହିମ
  • ପାକ୍ ଗୁଇନ୍ଦା ସଂସ୍ଥା ISI ଆତଙ୍କବାଦୀଙ୍କୁ ଅପରେଟ୍ କରୁଥିଲା
  • ପୂରା ପ୍ଲାନର କୋ-ଅର୍ଡିନେଟର ଥିଲା ଦାଉଦର ଭାଇ ଅନିସ ଇବ୍ରାହିମ
  • ଏଥର ମଧ୍ୟ  ବିସ୍ଫୋରଣରେ ବ୍ୟବହୃତ ହୋଇଥିଲା RDX 
  • ବିସ୍ଫୋରଣ ପାଇଁ ଭାରତୀୟଙ୍କୁ ହିଁ ବଛାଯାଇଥିଲା