ପାକିସ୍ତାନରେ ୧୦୨ ହିନ୍ଦୁଙ୍କ ଧର୍ମ ପରିବର୍ତ୍ତନ, ମସଜିଦକୁ ବଦଳିଗଲା ମନ୍ଦିର
Advertisement

ପାକିସ୍ତାନରେ ୧୦୨ ହିନ୍ଦୁଙ୍କ ଧର୍ମ ପରିବର୍ତ୍ତନ, ମସଜିଦକୁ ବଦଳିଗଲା ମନ୍ଦିର

ପାକିସ୍ତାନରେ ପୁଣି ଥରେ ହିନ୍ଦୁଙ୍କ ଧର୍ମ ପରିବର୍ତ୍ତନ କରାଯାଇଥିବାର ଅଭିଯୋଗ ହୋଇଛି |

ପାକିସ୍ତାନରେ ୧୦୨ ହିନ୍ଦୁଙ୍କ ଧର୍ମ ପରିବର୍ତ୍ତନ, ମସଜିଦକୁ ବଦଳିଗଲା ମନ୍ଦିର

ଇସାଲାମାବାଦ: ଧର୍ମ ଆଧାରରେ ଗଠିତ ପାକିସ୍ତାନରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଲୋକଙ୍କ ବଞ୍ଚିବା କଷ୍ଟକର ହୋଇପଡିଛି | ଏଠାରେ ପ୍ରତ୍ୟେକ ଦିନ ଅଣ ମୁସଲମାନ ସମ୍ପ୍ରଦାୟର ଲୋକଙ୍କ ଜୋର ଜବରଦସ୍ତ ଧର୍ମ ପରିବର୍ତ୍ତନ କରାଇବା ଏକ ସାଧାରଣ ଘଟଣାରେ ପରିଣତ ହୋଇସାରିଛି | ଧାର୍ମିକ ନିର୍ଯ୍ୟାତନା ଏବଂ ବାଧ୍ୟତାମୂଳକ ଧର୍ମ ପରିବର୍ତ୍ତନ କାରଣରୁ ପାକିସ୍ତାନରେ ଅଳ୍ପ ସଂଖ୍ୟାକଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି |  

ଭାରତ ସରକାରଙ୍କ ବାରମ୍ବାର ନିବେଦନ ସତ୍ତ୍ୱେ ପାକିସ୍ତାନ ସରକାର ଦେଶର ଧାର୍ମିକ ସଂଖ୍ୟାଲଘୁଙ୍କ ପ୍ରତି ହେଉଥିବା ଅତ୍ୟାଚାରରୁ ସେମାନଙ୍କୁ ରକ୍ଷା କରିବା ପାଇଁ କିଛି କରିନାହାଁନ୍ତି | ସଦ୍ୟତମ ରିପୋର୍ଟ ଅନୁଯାୟୀ, ପାକିସ୍ତାନର ସିନ୍ଧ ପ୍ରଦେଶର ବାଦିନ୍ ଜିଲ୍ଲା ଅଧୀନରେ ଥିବା ଗୋଲାରଚି ଜିଲ୍ଲାରେ ୧୦୨ ହିନ୍ଦୁଙ୍କ ଧର୍ମ ପରିବର୍ତ୍ତନ କରାଯାଇ ସେମାନଙ୍କୁ ଇସଲାମ ଧର୍ମରେ ଦୀକ୍ଷିତ କରାଯାଇଥିବା ନେଇ ଅଭିଯୋଗ ହୋଇଛି |

ବଳପୂର୍ବକ ଭାବେ ଯେଉଁ ହିନ୍ଦୁଙ୍କ ଧର୍ମ ପରିବର୍ତ୍ତନ କରାଯାଇଛି ସେମାନଙ୍କ ମଧ୍ୟରେ ପୁରୁଷ, ମହିଳା ଏବଂ ଶିଶୁ ମଧ୍ୟ ସାମିଲ ଅଛନ୍ତି | ଏହା ସହିତ ସେଠାରେ ଥିବା ଏକ ମନ୍ଦିରରେ ରଖାଯାଇଥିବା ହିନ୍ଦୁ ଦେବତାଙ୍କ ମୂର୍ତ୍ତିକୁ ନଷ୍ଟ କରାଯିବା ସହ ତାହାକୁ ଏକ ମସଜିଦରେ ପରିଣତ କରାଯାଇଥିବା ନେଇ ଜଣାପଡିଛି | 

ଏହା ପ୍ରଥମ ଘଟଣା ନୁହେଁ | ଗତ ମେ ୧୭ ତାରିଖରେ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ପାକିସ୍ତାନର ସିନ୍ଧ ପ୍ରଦେଶର ମାଟିଆରିର ନାସାରପୁର ଗାଁର ଭୀଲ ଜନଜାତିର ଜଣେ ହିନ୍ଦୁ ମହିଳାଙ୍କ ଧର୍ମ ପରିବର୍ତ୍ତନ କରିବାକୁ ନେଇ ବିରୋଧ ପ୍ରଦର୍ଶନ ହୋଇଥିବାର ଦେଖିବାକୁ ମିଳିଥିଲା | ଏହା ବ୍ୟତୀତ ଭୀଲ ଜନଜାତିର ହିନ୍ଦୁଙ୍କ ଘରକୁ ଭଙ୍ଗାରୁଜା କରାଯିବା ନିଜ ସମ୍ପତ୍ତିରୁ ସେମାନଙ୍କୁ ବେଦଖଲ କରାଯାଉଛି |
 
ସିନ୍ଧ ପ୍ରଦେଶରେ ତବଲିଗୀ ଜମାତ ସହ ଜଡିତ ଜଣେ ନେତା ଅନ୍ୟଜଣେ ହିନ୍ଦୁ ବାଳକକୁ ଅପହରଣ କରିଥିବାର ଅଭିଯୋଗ ହେବା ପରେ ତାକୁ ମୁକ୍ତ କରିବା ପାଇଁ ଇସଲାମ ଧର୍ମରେ ଦୀକ୍ଷିତ କରିବାକୁ ଦାବି କରିଥିଲେ | ଏ ଘଟଣାରେ ପୁଅର ମାଆଙ୍କ ପକ୍ଷରୁ କୁହାଯାଇଥିଲା "ଆମେ ମରିବାକୁ ପସନ୍ଦ କରିବୁ କିନ୍ତୁ କଦାପି ଇସଲାମ ଧର୍ମ ଗ୍ରହଣ କରିବୁ ନାହିଁ|" ଏହି ହିନ୍ଦୁ ବାଳକ ଅପହରଣକାରୀ ତାକୁ ମୁକ୍ତ କରିବା ପାଇଁ ତା'ର ପରିବାରକୁ ଇସଲାମ ଧର୍ମରେ ଦୀକ୍ଷିତ କରିବାକୁ ଚେଷ୍ଟା କରୁଛନ୍ତି।

ପୂର୍ବରୁ ମେ ୧୫ ତାରିଖରେ ପାକିସ୍ତାନର ସିନ୍ଧ ଜିଲ୍ଲାର ନୱବାଶାହ ସହରରେ ଥିବା ଏକ ମସଜିଦରେ ଜଣେ ହିନ୍ଦୁ ଦମ୍ପତି ଇସଲାମ ଧର୍ମ ଗ୍ରହଣ କରିଥିଲେ | ଏହି ପରିବର୍ତ୍ତନକୁ ହମିଦ କାଦ୍ରି ନାମକ ଜଣେ ସ୍ଥାନୀୟ ଇମାମଙ୍କ ଦ୍ୱାରା କରାଯାଇଥିଲା | ଜମାଟ ଅହଲେ ସୁନ୍ନତ ସହିତ ଜଡିତ ଅନ୍ୟ ଜଣେ ମୁସଲମାନ ନେତା ମଧ୍ୟ ଏହି ସମୟରେ ଉପସ୍ଥିତ ଥିଲେ | ନଗଦ ଟଙ୍କା ଦିଆଯାଇ ଏହି ଦମ୍ପତିଙ୍କୁ ଇସଲାମ ଧର୍ମରେ ଦୀକ୍ଷିତ କରାଯାଇଥିଲା |