ଚୀନକୁ ଜବାବ: ୨୯୦୦ କୋଟିର ସେତୁ ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ପକ୍ଷରୁ ବାତିଲ

୨୯୦୦ କୋଟିର ବ୍ରିଜ ପ୍ରୋଜେକ୍ଟରେ ଚୀନ ସାମିଲ ଥିବାର ଜଣାପଡିବା ପରେ ଏହି ପ୍ରକଳ୍ପକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବାତିଲ କରାଯାଇଛି |  

ଚୀନକୁ ଜବାବ: ୨୯୦୦ କୋଟିର ସେତୁ ପ୍ରକଳ୍ପ  କେନ୍ଦ୍ର ସରକାରଙ୍କ ପକ୍ଷରୁ ବାତିଲ

ପାଟନା: ବିହାରରେ କାର୍ଯ୍ୟକାରୀ ହେଉଥିବା ପ୍ରାୟ ୨୯୦୦ କୋଟିର ଏକ ସେତୁ ପ୍ରକଳ୍ପକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବାତିଲ କରାଯାଇଛି | ଏହି ବ୍ରିଜ ପ୍ରୋଜେକ୍ଟରେ ଚୀନ ପୁଞ୍ଜି ନିବେଶ କରିଥିବାର ଜଣାପଡିଛି | ଲଦାଖର ଗଲୱାନ ଉପତ୍ୟାକାରେ ହୋଇଥିବା ସାମରିକ ସଂଘର୍ଷ ପରେ ଏବେ ଦେଶରେ ଚୀନ ବିରୋଧି ଆକ୍ରୋଶ ଜାରି ରହିଛି | 

ଗଙ୍ଗାନଦୀରେ ନିର୍ମିତ ହେବାକୁ ଥିବା ଏହି ବ୍ରିଜର କାମ ଦାୟିତ୍ୱରେ ୨ଟି ଚୀନ ଭିତ୍ତିକ କମ୍ପାନୀ ସାମିଲ ଅଛନ୍ତି | ଏହି ପ୍ରକଳ୍ପ ଆସନ୍ତା ୨୦୨୩ ଜାନୁୟାରୀ ସୁଦ୍ଧା ଶେଷ ହେବାର ଥିଲା | ଏନେଇ ବିହାର ସରକାରଙ୍କ ଜଣେ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି,   
ଏହି ପ୍ରକଳ୍ପ ପାଇଁ ମନୋନୀତ ହୋଇଥିବା ଚାରିଜଣ କଣ୍ଟ୍ରାକ୍ଟରଙ୍କ ମଧ୍ୟରୁ ଦୁଇ ଜଣ ଚୀନର ରହିଥିବା କାରଣରୁ ଟେଣ୍ଡର ପ୍ରକ୍ରିୟାକୁ ବାତିଲ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି | 

ପ୍ରାୟ ୨୯୦୦ କୋଟି ଟଙ୍କାର ଏହି ପ୍ରକଳ୍ପ ପାଇଁ ପୁନର୍ବାର ଆଉ ଥରେ ଟେଣ୍ଡର ଗ୍ରହଣ କରାଯିବ | ୫.୬ କିଲୋମିଟର ଦୂରତା ଏହି ବ୍ରିଜ କାର୍ଯ୍ୟରେ ଅନ୍ୟାନ୍ୟ ଛୋଟ ବ୍ରିଜ୍, ଅଣ୍ଡରପାସ୍ ଏବଂ ରେଳ ଓଭରବ୍ରିଜ ନିର୍ମାଣ ଆଦି ଅନ୍ତର୍ଭୂକ୍ତ ରହିଥିଲା | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟର ଆର୍ଥିକ ବ୍ୟାପାର ବିଭାଗ ପକ୍ଷରୁ ଗତ ଡିସେମ୍ବର ୧୬ ତାରିଖରେ ଏହି ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିଲା | 

ଏହି ନୂତନ ସେତୁ ଗଙ୍ଗା ନଦୀ ପାର୍ଶ୍ୱରେ ଥିବା ମହାତ୍ମା ଗାନ୍ଧୀ ସେତୁ ସହିତ ସମାନ୍ତରାଳ ଭାବେ ନିର୍ମିତ ହେବ । ଏହା ଦ୍ୱାରା ପାଟନା, ସରନ ଏବଂ ବୈଶାଳୀ ଜିଲ୍ଲାର ଲୋକେ ଉପକୃତ ହେବା ନେଇ ଆଶା କରାଯାଉଛି | ଏହି ମେଗା ପ୍ରୋଜେକ୍ଟ ମାଧ୍ୟମରେ ଚାରିଟି ଯାନବାହାନ ଅଣ୍ଡରପାସ୍, ରେଲୱେ ଓଭରବ୍ରିଜ୍, ୧.୫୮କିଲୋମିଟର ଲମ୍ୱା ପୋଲ, ଫ୍ଲାଏ ଓଭର, ୪ଟି ଛୋଟ ବ୍ରିଜ୍, ୫ଟି ବସ୍ ଆଶ୍ରୟସ୍ଥଳ ଏବଂ ୧୩ଟି ରୋଡ ଜଙ୍କସନ ନିର୍ମିତ ହେବାର ଅଛି |