'ନୀତିଶ ହେଉଛନ୍ତି ରାବଣ, ଜନତା କରିବେ ବଦ୍ଧ'

ବିଭିନ୍ନ ପ୍ରସଙ୍ଗ ପରେ ଏବେ ଶବ୍ଦ ବାଣ ମାଧ୍ୟମରେ ବିରୋଧଙ୍କୁ ମାତ ଦେବା ଲାଗି ଯୋଜନା ଚଳାଇଛନ୍ତି ବିଭିନ୍ନ ଦଳ। 

'ନୀତିଶ ହେଉଛନ୍ତି ରାବଣ, ଜନତା କରିବେ ବଦ୍ଧ'

ପାଟନା: ବିହାର ବିଧାନସଭା ନିର୍ବାଚନ (Bihar Assembly Poll 2020) ଲାଗି ସମୟ ପାଖେଇ ଆସୁଥିବା ବେଳେ ବିଭିନ୍ନ ଦଳ ପକ୍ଷରୁ ଜାରି ରହିଥିବା ନିର୍ବାଚନ ପ୍ରଚାରକୁ ନେଇ ସରଗରମ ହୋଇଉଠିଛି ରାଜ୍ୟର ରାଜନୈତିକ ପାଣିପାଗ। ବିଭିନ୍ନ ପ୍ରସଙ୍ଗ ପରେ ଏବେ ଶବ୍ଦ ବାଣ ମାଧ୍ୟମରେ ବିରୋଧଙ୍କୁ ମାତ ଦେବା ଲାଗି ଯୋଜନା ଚଳାଇଛନ୍ତି ବିଭିନ୍ନ ଦଳ। ହେଲେ ଏହା ନିର୍ବାଚନ ସମୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି।

ଏହିକ୍ରମରେ ବିରୋଧି ରାଷ୍ଟ୍ରୀୟ ଜନତା ଦଳ-ଆରଜେଡି (RJD-Rastriya Janata Dal) ପକ୍ଷରୁ ଜନତା ଦଳ ୟୁନାଇଟେଡ-ଜେଡିୟୁ (JDU-Janata Dal United) ସୁପ୍ରିମୋ ତଥା ଏନଡିଏ (NDA) ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନୀତିଶ କୁମାର (Nitish Kumar) ଙ୍କ ଉଦ୍ଦେଶ୍ୟରେ ଏକ ବିବାଦୀୟ ମନ୍ତବ୍ୟ ଦିଆଯାଇଛି। ଯାହାକୁ ନେଇ ଏବେ ରାଜନୀତି ଉଠୁଛିପଡୁଛି। 

ଆରଜେଡି ନେତା ମୃତ୍ୟୁଞ୍ଜୟ ତିୱାରୀ ଜେଡିୟୁ ସୁପ୍ରିମୋଙ୍କୁ କଟାକ୍ଷ କରି କହିଛନ୍ତି,"ନୀତିଶ କୁମାର ହେଉଛନ୍ତି ରାବଣ। ରାକ୍ଷାସ ରାଜ ସହ ରାବଣ ବଦ୍ଧ କରିବାକୁ ବିହାର ଜନତା ପ୍ରସ୍ତୁତ ହୋଇଗଲେଣି। ବିଜୟା ଦଶମୀରେ ରାଜ୍ୟର ୧୨ କୋଟି ଲୋକ ଶପଥ ନେଇଛନ୍ତି ରାବଣ ରାଜ୍ୟ ଶେଷ ହେବ ଏବଂ ରାମ ରାଜ୍ୟ ୧୦ ନଭେମ୍ବରରେ ଆସିବ। "
 
ଏହା ସହିତ ଆରଜେଡିର ସହଯୋଗୀ କଂଗ୍ରେସ ନେତା ଆନନ୍ଦ ମାଧବ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କୁ ଲାଗିଲାଣି ଏବେ ସମୟ ଆସିଯାଇଛି। ସେ ମାର୍ଗଦର୍ଶକ ମଣ୍ଡଳୀରେ ସାମିଲ ହୋଇଯିବା ଦରକାର। ରାଜ୍ୟରୁ ଗୋଡସେ, ଗୋଡସେଙ୍କ ସମ୍ପର୍କୀୟ ଏବଂ ତାଙ୍କ ପୁରା ପରିବାରକୁ ଶେଷ କରିବାକୁ ବିହାର ବାସିନ୍ଦା ଶପଥ ନେଇଛନ୍ତି।

ବିରୋଧି ଦଳ ନେତା ତେଜସ୍ୱୀ ଯାଦବ (Tejaswi Yadav) ମୁଖ୍ୟମନ୍ତ୍ରୀ ନୀତୀଶଙ୍କୁ ଟାର୍ଗେଟ କରିବାକୁ ଯାଇ କହିଥିଲେ ସେ ଶକ୍ତିହୀନ ଏବଂ କ୍ଳାନ୍ତ ହୋଇପଡିଲେଣି। ଯାହାକୁ ନେଇ ରାଜନୈତିକ ମହଲରେ ଉତ୍ତେଜନା ଦେଖାଦେଇଛି। ବିରୋଧିଙ୍କ ପକ୍ଷରୁ ଦିଆଯାଇଥିବା ଏପରି ବୟାନର ଜବାବ ଦେବାକୁ ଯାଇ ଏନଡିଏର ନେତୃତ୍ୱ ନେଉଥିବା ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଚୌବେ ସହଯୋଗୀ ଜେଡିୟୁ ସୁପ୍ରିମୋଙ୍କୁ ସମର୍ଥନ ଦେବାକୁ ଯାଇ କହିଛନ୍ତି କେହି ଥକି ନାହାଁନ୍ତି। ବିଜୟା ଦଶମୀ ଅବସରରେ ରାକ୍ଷାସଙ୍କ ବଧ କରାଯିବ।