Trending Photos
Sambidhan Padyatra: ନୂଆଦିଲ୍ଲୀ: ଆସନ୍ତା ୨୬ ତାରିଖରେ ସମ୍ବିଧାନ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଏକ ପଦଯାତ୍ରା ଆୟୋଜନ କରିବେ କେନ୍ଦ୍ର ସରକାର। ମେରା ସମ୍ବିଧାନ, ମେରା ସ୍ୱାଭିମାନ ଭାବଧାରା ଆଧାର କରି ଏହି ସମ୍ବିଧାନ ପଦଯାତ୍ରାକୁ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟ ନେତୃତ୍ୱ ନେବେ। ନୂଆଦିଲ୍ଲୀ ଠାରେ ଏହି ପଦଯାତ୍ରା ଆରମ୍ଭ ହେବ। ଯେଉଁଥିରେ ଭାରତର ଗଣତାନ୍ତ୍ରିକ ଯାତ୍ରାକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ବାର୍ତ୍ତା ପ୍ରଦାନ କରାଯିବ।
ଆସନ୍ତା ଏକ ବର୍ଷ ଯାଏଁ ଦେଶର ବିଭିନ୍ନ ଅଞ୍ଚଳରେ ଏହି ଭଳି ପଦଯାତ୍ରାକୁ ଆୟୋଜନ କରିବାକୁ କେନ୍ଦ୍ର ସରକାର ସ୍ଥିର କରିଛନ୍ତି। ଏହି ପଦଯାତ୍ରା ଭାରତୀୟ ସମ୍ବିଧାନର ମୂଲ୍ୟବୋଧ, ଏହାର ପ୍ରଧାନ ନୀତି ସମ୍ପର୍କରେ ଯୁବବର୍ଗଙ୍କ ମନରେ ଆଗ୍ରହ ଏବଂ ସଚେତନ ସୃଷ୍ଟି ଲାଗି ଉଦ୍ଦିଷ୍ଟ। ନଭେମ୍ବର ୨୫ ତାରିଖ ସକାଳ ୮ଟାରୁ ଆରମ୍ଭ ହେବାକୁ ଥିବା ଏହି ପଦଯାତ୍ରାରେ କେନ୍ଦ୍ରମନ୍ତ୍ରୀ ମଣ୍ଡଳର ସଦସ୍ୟ, ସାଂସଦ, ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହା ସହିତ ସମ୍ବିଧାନ ଦିବସ ଅବସରରେ ଭାରତର ସାମ୍ବିଧାନିକ ଯାତ୍ରାକୁ ଆଧାର କରି ଏକ ପ୍ରଦର୍ଶନୀ ମଧ୍ୟ ଉଦଘାଟନ କରାଯିବ।
ମିଳିଥିବା ସୂଚନା ଅନୁସାରେ କ୍ରୀଡ଼ା ଓ ଯୁବ ବ୍ୟାପାର ପକ୍ଷରୁ ଆୟୋଜିତ ଏହି ପଦଯାତ୍ରା ମେଜର ଧ୍ୟାନଚାନ୍ଦ ନ୍ୟାସନାଲ ଷ୍ଟାଡ଼ିୟମରୁ ଆରମ୍ଭ ହୋଇ କର୍ତ୍ତବ୍ୟପଥ, ଇଣ୍ଡିଆ ଗେଟ ଦେଇ ପୁଣିଥରେ ଷ୍ଟାଡିୟମକୁ ଫେରିବ। ଏଥିରେ ପ୍ରାୟତଃ ୧୦ ହଜାର ଯୁବକ ଭାଗ ନେବାର କାର୍ଯ୍ୟକ୍ରମ ରହିଛି।