ଭାଇକୁ ପଦ ନ ମିଳିବାରୁ ଫେସବୁକରେ ବିଷ ଓଗାଳିଲେ ସଞ୍ଜୟ
ନୂଆବର୍ଷ ଉପଲକ୍ଷେ ସଞ୍ଜୟ ରାୱତ ନିଜ ଫେସବୁକରେ ଏହା ଲେଖି ପୋଷ୍ଟ କରିଛନ୍ତି
ମୁମ୍ୱାଇ: ମହାରାଷ୍ଟ୍ରରେ ମନ୍ତ୍ରୀ ମଣ୍ଡଳ ବିସ୍ତାର ହେବା ପରେ ବଢୁଛି ଅସନ୍ତୋଷ । ସଞ୍ଜୟ ରାୱତଙ୍କ ଭାଇ ସୁନିଲ ରାୱତଙ୍କୁ ଉଦ୍ଧବଙ୍କ କ୍ୟାବିନେଟରେ ସ୍ଥାନ ମିଳି ନ ଥିବାରୁ ସଞ୍ଜୟଙ୍କ ମନ ମୌଳି ଯାଇଛି । ନୂଆବର୍ଷ ଉପଲକ୍ଷେ ସଞ୍ଜୟ ରାୱତ ନିଜ ଫେସବୁକରେ ଏହା ଲେଖି ପୋଷ୍ଟ କରିଛନ୍ତି ଯେ 'ହମେଶା ଏସେ ବ୍ୟକ୍ତି କୋ ସମ୍ଭାଲ କର ରଖିଏ, ଜିସନେ ଆପକୋ ତିନ ଭେଟ ଦି ହୋ- ସାଥ, ସମୟ ଓ ସମର୍ପଣ '।
ସଞ୍ଜୟଙ୍କ ଏପରି ପୋଷ୍ଟ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ତେରଛା ବାଣ ମରାଯାଇଛି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କିନ୍ତୁ ବର୍ତ୍ତମାନ ସଞ୍ଜୟଙ୍କ ଫେସବୁକରେ ଏହି ପୋଷ୍ଟ ଦେଖିବାକୁ ମିଳୁ ନାହିଁ । ବୋଧ ହୁଏ ସବୁ ମହଲରେ ନାନା ପ୍ରକାର ଚର୍ଚ୍ଚା ଆରମ୍ଭ ହେବାରୁ ସଞ୍ଜୟ ତାଙ୍କର ଏହି ପୋଷ୍ଟଟିକୁ ଡିଲିଟ କରିଦେଇଛନ୍ତି ।
ଉଦ୍ଧବ ଠାକରେଙ୍କ ମୁଖ୍ୟମନ୍ତ୍ରୀ ବନିବା ପଛରେ ଯଦିଓ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଭୂମିକା ଅଛି ତଥାପି ମହାରାଷ୍ଟ୍ର ନିର୍ବାଚନର ଫଳାଫଳ ପ୍ରକାଶ ପାଇବାଠାରୁ ଆରମ୍ଭ କରି ଉଦ୍ଧବ ଶପଥ ଗ୍ରହଣ କରିବା ପର୍ଯ୍ୟନ୍ତ ସଞ୍ଜୟ ଉଦ୍ଧବଙ୍କ ପକ୍ଷ ଲଗାତାର ଭାବେ ଲୋକଙ୍କ ପାଖରେ ରଖିଥିଲେ । ଆଉ ଶେଷରେ ଉଦ୍ଧବ ମୁଖ୍ୟମନ୍ତ୍ରୀ ହେବା ପରେ ଯେତେବେଳେ କ୍ୟାବିନେଟରେ ଭାଇ ସୁନିଲଙ୍କୁ ଜାଗା ମିଳି ନ ଥିଲା ସେତେବେଳେ ସଞ୍ଜୟଙ୍କ ମୁହଁ ଫିକା ହୋଇଯାଇଥିଲା । ଏପରିକି କ୍ୟାବିନେଟ ସମ୍ପ୍ରସାରଣ ସମୟରେ ମନ୍ତ୍ରୀଙ୍କ ଶପଥପାଠ ଉତ୍ସବରେ ମଧ୍ୟ ସଞ୍ଜୟ ଉପସ୍ଥିତ ନ ଥିଲେ । ଆଉ ଏହା ପଛର କାରଣ ବି ଲୋକେ ଭାଇକୁ କ୍ୟାବିନେଟରେ ଜାଗା ନ ମିଳିବା ପଛର କାରଣ ବୋଲି ଚର୍ଚ୍ଚା କରିଥିଲେ ।
ବିଜେପି ସହ ମେଣ୍ଟ କଲେ ଅଢେଇ ବର୍ଷିଆ ମୁଖ୍ୟମନ୍ତ୍ରୀ ପଦ ଡିମାଣ୍ଡ କରିବାରେ, ଏନସିପି କଂଗ୍ରେସ ସହ ମେଣ୍ଟ କରିବାରେ ସଞ୍ଜୟ ଆଗରେ ଥିଲେ । ଆଉ ଏମିତିରେ ତାଙ୍କ ଭାଇଙ୍କୁ କ୍ୟାବିନେଟରେ ସ୍ଥାନ ମିଳିବା କଥା ସମସ୍ତେ ଭାବିଥିଲେ ମାତ୍ର ସେପରି ହୋଇ ନ ଥିଲା ।