ଏହି ପ୍ରସଙ୍ଗରେ ରାହୁଲଙ୍କୁ ନାପସନ୍ଦ କଲେ ଏନସିପି ମୁଖ୍ୟ

ଶରଦ ପାୱାର କହିଛନ୍ତି, ୧୯୬୨ରେ ଭାରତର ୪୫ ହଜାର ସ୍କୋୟାର କିଲୋମିଟର ଜାଗାକୁ ଅକ୍ତିଆର କରିନେଇଥିଲା ଚୀନ । ଏହା ଉପରେ ଦାଦାଗିରି ଦେଖାଇଥିଲା । ଆଉ ଏବେ ଗଲୱାନ ଘାଟିରେ ମଧ୍ୟ ସମାନ ଧରଣର ଦାଦାଗିରି ଦେଖାଇବାକୁ ଚେଷ୍ଠା କରିଛି ।

ଏହି ପ୍ରସଙ୍ଗରେ ରାହୁଲଙ୍କୁ ନାପସନ୍ଦ କଲେ ଏନସିପି ମୁଖ୍ୟ
ଫାଇଲ ଫଟୋ

ନୂଆଦିଲ୍ଲୀ: ଚୀନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଟାର୍ଗେଟ କରୁଛନ୍ତି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ । ଏହି ମାମଲାରେ ପ୍ରଧାନମନ୍ତ୍ରୀ ଚୀନ ପାଖରେ ଆତ୍ମସମର୍ପଣ କରିଥିବା ରାହୁଲ କହୁଛନ୍ତି । ସେହିପରି ସୀମାକୁ ସେନା କାହିଁକି ବିନା ଅସ୍ତ୍ରରେ ଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି ରାହୁଲ । ତେବେ ବାରମ୍ବାର କେନ୍ଦ୍ର ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ ଏପ୍ରକାର ସମାଲୋଚନାକୁ ନାପସନ୍ଦ କରିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର । ଏପରିକି ୧୯୬୨ରେ ଚୀନ ଯେଉଁପ୍ରକାର ଦାଦାଗିରି କରିଥିଲା, ସେକଥାକୁ ମଧ୍ୟ ମନେପକାଇ ଦେଇଛନ୍ତି । 

ଶରଦ ପାୱାର କହିଛନ୍ତି, ୧୯୬୨ରେ ଭାରତର ୪୫ ହଜାର ସ୍କୋୟାର କିଲୋମିଟର ଜାଗାକୁ ଅକ୍ତିଆର କରିନେଇଥିଲା ଚୀନ । ଏହା ଉପରେ ଦାଦାଗିରି ଦେଖାଇଥିଲା । ଆଉ ଏବେ ଗଲୱାନ ଘାଟିରେ ମଧ୍ୟ ସମାନ ଧରଣର ଦାଦାଗିରି ଦେଖାଇବାକୁ ଚେଷ୍ଠା କରିଛି । ତେଣୁ ଏହି ପ୍ରସଙ୍ଗରେ ବାରମ୍ବାର ମତ ରଖିବା ପୂର୍ବରୁ ପୂର୍ବ ଘଟଣା ସମ୍ପର୍କରେ ମଧ୍ୟ ମନେ ପକାଇବା ଦରକାର ବୋଲି କହିଛନ୍ତି ଏନସିପି ମୁଖ୍ୟ ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଶରଦ ପାୱାର । 

ସେହିପରି ଗଲୱାନ ବିବାଦ ଦେଶର ସୁରକ୍ଷା ପ୍ରସଙ୍ଗ । ଗଲୱାନ ଘାଟିରେ ଯାହା ହୋଇଛି, ସେଥିପାଇଁ କେନ୍ଦ୍ର ସରକାରଙ୍କୁ ଦୋଷ ଦେଇହେବନି ବୋଲି କହିଛନ୍ତି ଶରଦ ପାୱାର । ଚୀନ ସେନା ଆମ ସୀମାରେ ପ୍ରବେଶ କରିବା ପାଇଁ ଚେଷ୍ଠା କରିଥିଲେ । ତେବେ ଭାରତୀୟ ଯବାନ ସେମାନଙ୍କୁ ତଡ଼ିବାରେ ସଫଳ ହୋଇଛନ୍ତି । ସେହିପରି ଏଲଏସିରେ ଦୁଇ ଦେଶ ଅସ୍ତ୍ରଶସ୍ତ୍ର ଧରିବେ ନାହିଁ ବୋଲି ଚୁକ୍ତି ହୋଇଛି । ତେଣୁ ଏସବୁକୁ ନେଇ ରାଜନୀତି କରିବା ଉଚିତ ନୁହେଁ ବୋଲି କହିଛନ୍ତି ଏନସିପି ମୁଖ୍ୟ ।