)
Sheikh Hasina News: ମାନବତା ବିରୋଧୀ ଅପରାଧ ଅଭିଯୋଗରେ ବୁଧବାର ଦିନ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍ (ICT) ଶେଖ୍ ହସିନା ଏବଂ ହସିନା ସରକାରରେ କାର୍ଯ୍ୟ କରୁଥିବା ଅନ୍ୟ ଅନେକ ଅଧିକାରୀଙ୍କ ବିରୁଦ୍ଧରେ ଆରେଷ୍ଟ ୱାରେଣ୍ଟ ଜାରି କରିଛି। ପୂର୍ବରୁ ଏକ ତିନି ସଦସ୍ୟ ବିଶିଷ୍ଟ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍ (ICT) ବେଞ୍ଚ ଦୁଇଟି ପୃଥକ ମାମଲାରେ ଦାୟର ଅଭିଯୋଗର ବିଚାର କରିଥିଲା। ରିପୋର୍ଟ ଅନୁଯାୟୀ ହସିନା ଓ ଅନ୍ୟ ୨୯ ଜଣଙ୍କ ବିରୁଦ୍ଧରେ ଦେଶର ସୁରକ୍ଷା ଏଜେନ୍ସିଗୁଡ଼ିକ ଦ୍ୱାରା ଗୁପ୍ତ ସ୍ଥାନରୁ ରାଜନୈତିକ ବିରୋଧୀଙ୍କୁ ଅଟକ ରଖିବା, ନିର୍ଯାତନା ଦେବା ଏବଂ ନିଖୋଜ କରିବାର ଅଭିଯୋଗ ରହିଛି।
ରିପୋର୍ଟ ଅନୁଯାୟୀ ପ୍ରଥମ ମାମଲାରେ ହସିନା ଏବଂ ତାଙ୍କର ପୂର୍ବତନ ସୁରକ୍ଷା ଏବଂ ପ୍ରତିରକ୍ଷା ପରାମର୍ଶଦାତା ତାରିକ ଅହମ୍ମଦ ସିଦ୍ଦିକିଙ୍କ ସମେତ ୧୩ ଜଣଙ୍କୁ ଅଭିଯୁକ୍ତ କରାଯାଇଛି। ଅନ୍ୟ ଏକ ମାମଲାରେ ହସିନା, ସିଦ୍ଦିକି ଏବଂ ଅନ୍ୟ ୧୫ ଜଣଙ୍କୁ ରାପିଡ୍ ଆକ୍ସନ୍ ବାଟାଲିଅନର ଟାସ୍କ ଫୋର୍ସ ପଚରାଉଚରା ୟୁନିଟର ଗୁପ୍ତ ସେଲରେ ରଖାଯାଇଥିବା କଏଦୀଙ୍କ ନିଖୋଜ ଏବଂ ନିର୍ଯାତନା ଘଟଣାରେ ଭୂମିକା ଗ୍ରହଣ କରିବାର ଅଭିଯୋଗ ରହିଛି। ଏହି ମାମଲାଗୁଡ଼ିକର ବିଚାର କରି ଆଇସିଟି ହସିନା ଏବଂ ଅନ୍ୟ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଆରେଷ୍ଟ ୱାରେଣ୍ଟ ଜାରି କରିଛି ଏବଂ ସମସ୍ତ ଅଭିଯୁକ୍ତଙ୍କୁ ଅକ୍ଟୋବର ୨୨ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।
କହି ରଖୁଛୁ ଯେ ଗତ ବର୍ଷ ଅଗଷ୍ଟ ୫ ତାରିଖରେ ପଦରୁ ଇସ୍ତଫା ଦେବା ପରେ ଶେଖ୍ ହସିନା ଭାରତରେ ଆଶ୍ରୟ ନେଇଥିଲେ। ଆୱାମୀ ଲିଗ୍ ସରକାରର ପତନ ପରଠାରୁ ତାଙ୍କ ବିରୁଦ୍ଧରେ ଅନେକ ମାମଲାରେ ଆରେଷ୍ଟ ୱାରେଣ୍ଟ ଜାରି କରାଯାଇଛି ଏବଂ ଅନେକ ମାମଲା କୋର୍ଟରେ ବିଚାରାଧୀନ ଅଛି। ଏହି ସମୟରେ ୭୮ ବର୍ଷୀୟ ହସିନାଙ୍କ ଭାରତରୁ ଫେରିବା ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତରରେ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ କହିଛନ୍ତି ଯେ ଏହି ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଛି।