ଗତକାଲି ଗିରଫ, ଆଜି ଏନକାଉଣ୍ଟର । ପୋଲିସକୁ ଚକମା ଦେଇ ଖସି ଯିବାକୁ ଉଦ୍ୟମ କରୁଥିବା ବିକାଶ ଦୁବେକୁ ମାରି ଗଡ଼ାଇଲା ୟୁପି ପୋଲିସ ।
Trending Photos
ନୂଆଦିଲ୍ଲୀ: କାନପୁର ହତ୍ୟାକାଣ୍ଡ (Kanpur Encounter)ର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେ(Vikas Dubey)କୁ କରାଯାଇଥିବା ଏନକାଉଣ୍ଟରକୁ ସମର୍ଥନ କରିଛି ଶିବସେନା । ଦଳର ବରିଷ୍ଠ ନେତା ସଞ୍ଜୟ ରାଉତ(Sanjay Raut) କହିଛନ୍ତି, ୟୁପି ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇବା ଠିକ୍ ନୁହେଁ । ଯେଉଁ ଗୁଣ୍ଡାମାନେ ପୋଲିସକୁ ହତ୍ୟା କରିଥିଲେ, ତାଙ୍କ ଉପରେ ପ୍ରଶ୍ନ ଉଠାଇବା ଦରକାର । ପୋଲିସ ଉପରେ ନୁହେଁ । ବିକାଶ ଦୁବେର ଏନକାଉଣ୍ଟର ଲ ଆଣ୍ଡ ଅର୍ଡର ଉପରେ ପ୍ରଶ୍ନ ଥିଲା ବୋଲି କହିଛନ୍ତି ସଞ୍ଜୟ ।
ଗତକାଲି ଗିରଫ, ଆଜି ଏନକାଉଣ୍ଟର । ପୋଲିସକୁ ଚକମା ଦେଇ ଖସି ଯିବାକୁ ଉଦ୍ୟମ କରୁଥିବା ବିକାଶ ଦୁବେକୁ ମାରି ଗଡ଼ାଇଲା ୟୁପି ପୋଲିସ । ଅବଶ୍ୟ ବିରୋଧୀ ଏହି ଏନକାଉଣ୍ଟରକୁ ନେଇ ଅନେକ ପ୍ରଶ୍ନ ଉଠାଇଲେଣି । ବିକାଶ ସହ ବହୁ ନେତା ଓ ପୋଲିସ ଅଧିକାରୀଙ୍କ ସମ୍ପୃକ୍ତି ରହିଥିଲା । ତେଣୁ ବିକାଶ କୋର୍ଟରେ ହାଜର ହୋଇଥିଲା, ଅନେକ କଥା ସାମ୍ନାକୁ ଆସିଥାନ୍ତା । ଯେଉଁଥିପାଇଁ ଏହି କୁଖ୍ୟାତ ଅପରାଧୀକୁ ଜାଣି ଜାଣି ଏନକାଉଣ୍ଟର କରାଯାଇଛି ବୋଲି କହୁଛନ୍ତି ବିରୋଧୀ । ତେବେ ଶିବସେନା ଯଦିଓ ଏବେ ବିରୋଧୀ ଶିବିରରେ ରହିଛି, ତଥାପି ମଧ୍ୟ ୟୁପି ପୋଲିସର ଏହି ଏନକାଉଣ୍ଟରକୁ ସମର୍ଥନ କରିଛି ।
କେମିତି ଥିଲା ପୁରା ଘଟଣା ?
ଗତକାଲି ମଧ୍ୟପ୍ରଦେଶ ଉଜ୍ଜୈନରୁ ଧରା ପଡ଼ିଥିଲା କାନପୁର ଏନକାଉଣ୍ଟରର ମାଷ୍ଟରମାଇଣ୍ଡ ବିକାଶ ଦୁବେ । ପରେ ତାକୁ କାନପୁର ନିଆଯାଉଥିଲା । ତେବେ ନିଜ ଅଞ୍ଚଳରେ ପହଞ୍ଚିଯାଇଥିବା ଜାଣି ବିକାଶର ବଳ ବଢ଼ିଯାଇଥିଲା । ପୋଲିସ ପାଖରୁ ବନ୍ଧୁକ ଛଡ଼ାଇ ଖସି ଯିବାକୁ ଉଦ୍ୟମ କରିଥିଲା ଏହି କୁଖ୍ୟାତ ଅପରାଧି । ଭାରସାମ୍ୟ ହରାଇ ଗାଡ଼ିଟି ଓଲଟି ପଡ଼ିବାରୁ ବିକାଶକୁ ସୁବିଧା ହୋଇଥିଲା । ଆହତ ସୁରକ୍ଷାକର୍ମୀଙ୍କ ବନ୍ଧୁକ ଛଡ଼ାଇ ଗୁଳିଚାଳନା କରିଥିଲା ବିକାଶ ଦୁବେ । ଆଉ ପୋଲିସ ନିଜକୁ ବଞ୍ଚାଇବାକୁ ଯାଇ ବିକାଶ ଦୁବେ ଉପରେ ପାଲଟା ଗୁଳି ଚାଳନା କରିବାକୁ ବାଧ୍ୟ ହୋଇଥିବା କୁହାଯାଉଛି ।
ଯାହା ଜଣାପଡ଼ିଛି, ଆଜି ସକାଳ ୭ଟା ୧୫ରୁ ୭ଟା ୩୫ ମଧ୍ୟରେ ଏହି ଏନକାଉଣ୍ଟର ହୋଇଛି । କୁହାଯାଉଛି, ଗାଡ଼ି ଓଲଟି ପଡ଼ିବା ପରେ ବିକାଶ ଦୁବେ ଆହତ ପୋଲିସ କର୍ମଚାରୀଙ୍କ ପାଖରୁ ବନ୍ଧୁକ ଛଡ଼ାଇ ଖସି ଯାଉଥିଲା । ତେବେ ସୁରକ୍ଷାକର୍ମୀ ବିକାଶର ପିଛା କରିଥିଲେ । ପିଛା କରୁଥିବା ପୋଲିସ ଉପରେ ମଧ୍ୟ ବିକାଶ ଦୁବେ ଗୁଳି ଚଳାଇଥିଲା । ତେଣୁ ପୋଲିସ ପାଲଟା ଗୁଳି ଚଲାଇଥିଲା ।
ପୋଲିସ ଗୁଳିରେ ଗୁରୁତର ଆହତ ହୋଇଥିବା ବିକାଶ ଦୁବେକୁ ତୁରନ୍ତ ମେଡିକାଲ ନିଆଯାଇଥିଲା । ତେବେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିବା କୁହାଯାଉଛି । ସକାଳ ୭ଟା ୫୫ ମିନିଟ ବେଳକୁ ବିକାଶ ଦୁବେକୁ ମୃତ ଘୋଷଣା କରିଥିଲେ ଡାକ୍ତର ।