ରାମ ମନ୍ଦିରର ଭୂମି ପୂଜନ ପୂର୍ବରୁ ବାବ୍ରି ମସଜିଦ ମାମଲା ବନ୍ଦ କରିବାକୁ ଶିବସେନାର ଦାବି

ରାମ ମନ୍ଦିରର ଭୂମି ପୂଜନ ପୂର୍ବରୁ କୋର୍ଟରେ ପଡି ରହିଥିବା ରାମ ଜନ୍ମଭୂମି-ବାବ୍ରି ମସଜିଦ ମାମଲାକୁ ବନ୍ଦ କରିବାକୁ ଦାବି କରିଛି ଶିବସେନା ।

ରାମ ମନ୍ଦିରର ଭୂମି ପୂଜନ ପୂର୍ବରୁ ବାବ୍ରି ମସଜିଦ ମାମଲା ବନ୍ଦ କରିବାକୁ ଶିବସେନାର ଦାବି

ନୂଆଦିଲ୍ଲୀ: ଧର୍ମନଗରୀ ଅଯୋଧ୍ୟାରେ ନିର୍ମିତ ହେବାକୁ ଯାଉଛି ଭଗବାନ ରାମଙ୍କ ଭବ୍ୟ ମନ୍ଦିର । ଏଥିଲାଗି ଅଗଷ୍ଟ ୫ ତାରିଖରେ ହେବାକୁ ଯାଉଛି ଭୂମି ପୂଜନ । ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ କେନ୍ଦ୍ରରେ କ୍ଷମତାସୀନ ଥିବା ବିଜେପିକୁ ଦଳୀୟ ମୁଖପତ୍ର 'ସାମନା' ମାଧ୍ୟମରେ ଟାର୍ଗେଟ କରିଛି ପୂର୍ବତନ ସହଯୋଗୀ ଶିବସେନା ।    

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଅଯୋଧ୍ୟାରେ ପ୍ରତିଷ୍ଠା ହେବାକୁ ଥିବା ରାମ ମନ୍ଦିର ନିର୍ମାଣ ଲାଗି ଆସନ୍ତା ମାସାରେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ହେଲେ ସଦ୍ୟ ଶିବସେନାର ଦଳୀୟ ମୁଖପତ୍ରରେ ପ୍ରକାଶିତ ଲେଖା ଏହି ପ୍ରସଙ୍ଗକୁ ଆହୁରି ବିବାଦୀୟ କରିଛି । ଏନେଇ ଶିବସେନା ପକ୍ଷରୁ ମତ ରଖି କୁହାଯାଇଛି ଅଯୋଧ୍ୟାରେ ହେବାକୁ କାର୍ଯ୍ୟକ୍ରମରେ କିଛି ବିଜେପି ନେତା ସାମିଲ ହେବାକୁ ଯାଉଛନ୍ତି, ଯେଉଁମାନେ ରାମ ଜନ୍ମଭୂମି-ବାବ୍ରୀ ମସଜିଦ ବିବାଦ ମାମଲାରେ ଜଡିତ ଅଛନ୍ତି । ସେମାନେ ଯୋଗ ଦେବା ଲାଗି ସେହି ବିବାଦିତ ଜମିରେ ଉପସ୍ଥିତ ରହିବେ ।     

ଏହି ଲେଖା ମାଧ୍ୟମରେ ଶିବସେନା ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ବାବ୍ରି ମସଜିଦ ଧ୍ୱଂସ ମାମଲାରେ ବିଜେପିର ଫାୟାରବ୍ରାଣ୍ଡ ନେତା ମୂରଲୀ ମନୋହର ଯୋଶୀ ଏବଂ ଲାଲକୃଷ୍ଣ ଆଡଭାନୀ ସମ୍ପୃକ୍ତ ରହିଛନ୍ତି । ହେଲେ ସୁପ୍ରିମକୋର୍ଟ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବା ସପକ୍ଷରେ ରାୟ ଶୁଣାଇଛନ୍ତି । ଭୂମି ପୂଜନ ପୂର୍ବରୁ ଯଦି ବାବ୍ରି ମାମଲାକୁ ବନ୍ଦ କରାଯାଏ, ଏହି ବିବାଦରେ ପ୍ରାଣ ହରାଇଥିବା ଶହୀଦଙ୍କ ଲାଗି ଏହା ଏକ ଶ୍ରଦ୍ଧାଞ୍ଜଳି ହେବ। ଅଯୋଧ୍ୟା ବିବାଦକୁ ବନ୍ଦ କରିବାକୁ ଦାବି କରିଛି ଶିବସେନା ।

ଏହା ସହିତ 'ସାମନା' ମାଧ୍ୟମରେ ଶିବସେନା ପକ୍ଷରୁ କୁହାଯାଇଛି, "ବାବର ଜଣେ ଆକ୍ରମଣକାରୀ ଥିଲା। ଏହି ସତ୍ୟକୁ ଗ୍ରହଣ କରିବା ପରେ ବାବ୍ରି ମସଜିଦ ଭାଙ୍ଗିବାକୁ ଯୋଜନା କରାଯାଇଥିଲା । କାରଣ ଏହା ଦ୍ୱାରା ଏହି ମାମଲା ଶେଷ ହୋଇଯିବ। ହେଲେ ଏବେ ରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମ ଅଟକି ରହିଛି ।

ଭୂମି ପୂଜନ କାର୍ଯ୍ୟକ୍ରମ ବାବଦରେ ମତ ରଖି ସାମନା ମାଧ୍ୟମରେ କୁହାଯାଇଛି, ଅନେକ ବାଧାବିଘ୍ନକୁ ଦୂର କରି ଅଗଷ୍ଟ ୫ ତାରିଖରେ ରାମ ମନ୍ଦିରର ଭୁମି ପୂଜନ ଆୟୋଜନ କରାଯାଉଛି । ଶୁଭ ଦିନରେ ଅଯୋଧ୍ୟାକୁ ସଜାଯିବ। ଏହା ଶ୍ରୀରାମଙ୍କ ରାଜ୍ୟଭିଷେକ ଭଳି ଏକ ଖୁସିର ମୁହୂର୍ତ୍ତ ହେବ। ଯଦି କରୋନା ସଂକଟ ସୃଷ୍ଟି ହୋଇନଥାନ୍ତା, ତାହେଲେ ଅଯୋଧ୍ୟା ଲକ୍ଷ ଲକ୍ଷ ଭକ୍ତଙ୍କ ଦ୍ୱାରା ପରିପୂର୍ଣ୍ଣ ହୋଇଥାନ୍ତେ।  ସେ ଦିନ ସୀମିତ ଲୋକଙ୍କ ଉପସ୍ଥିତିରେ ରାମ ମନ୍ଦିରରେ ପୂଜା କରାଯିବ।